କୋରାପୁଟ ମାଲିପଦର ଏନକାଉଣ୍ଟରକୁ ନେଇ ତେଜିଲା ବିବାଦ। ମୃତଦେହ ପରିବାର ଲୋକଙ୍କୁ ନଦେବାରୁ ରାସ୍ତା ଅବରୋଧ।

83

କନକ ବ୍ୟୁରୋ: କୋରାପୁଟ ଜିଲ୍ଲା ମାଲିପଦର ଜଙ୍ଗଲରେ ଏନକାଉଣ୍ଟର ଘଟଣାକୁ ନେଇ ବିବାଦ ତେଜିଛି । ମୃତକଙ୍କ ଶବ ପରିବାର ଲୋକଙ୍କୁ ହସ୍ତାନ୍ତର ନକରିବାରୁ ରାସ୍ତାରୋକ କରିଛନ୍ତି ଗ୍ରାମବାସୀ । ମାଲକାନଗିରି-କୋରାପୁଟ ୩୨୬ ନମ୍ବର ଜାତୀୟ ରାଜପଥର ଅବରୋଧ କରିଛନ୍ତି । ନ୍ୟାୟଦାବିରେ ଜାତୀୟ ରାଜପଥକୁ କତାମେଟାଠାରେ ଅବରୋଧ କରି ଗାଁ ଲୋକେ ଧାରଣାରେ ବସିଛନ୍ତି । ମିଥ୍ୟା ଏନକାଉଣ୍ଟର କରି ପୁଲିସ ନିରୀହ ଗ୍ରାମବାସୀଙ୍କୁ ହତ୍ୟା କରିଥିବା ଅଭିଯୋଗ ଆଣିଛନ୍ତି ।

ଗତ ୯ ତାରିଖରେ କୋରାପୁଟ ଜିଲ୍ଲା ମାଲିପଦର ଜଙ୍ଗଲରେ ପୁଲିସ ଦୁଇ ଜଣ ମାଓବାଦୀଙ୍କୁ ଏନକାଉଣ୍ଟର କରିଥିବା ସୂଚନା ଦେଇଥିଲା । ଏନକାଉଣ୍ଟରରେ ମାଲକାନଗିରି ଜିଲ୍ଲା ସର୍ଗିଗୁଡା ଗାଁର ଧନ କମାର ପ୍ରାଣ ହରାଇଥିଲେ । ପୁଲିସ ଧନ କମାରଙ୍କୁ ମାଓବାଦୀ ବୋଲି କହୁଛି, ହେଲେ ଗ୍ରାମବାସୀ ମୃତ ଧନ କମାର ମାଓବାଦୀ ନୁହେଁ ବୋଲି କହିଛନ୍ତି । ଧନ କମାର ଦିନ ମଜୁରୀ କରି ପରିବାର ଚଲାଉଥିଲେ । ପୁଲିସ ତାଙ୍କୁ ଗୁଳି କରି ହତ୍ୟା କରିବା ପରେ ମିଛଟାରେ ମାଓବାଦୀ ସଜାଉଛି ।

ପୁଲିସ ନିରୀହ ଗ୍ରାମବାସୀଙ୍କୁ ହତ୍ୟା କରି ପ୍ରଶଂସା ନେବାକୁ ଉଦ୍ୟମ କରୁଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଗାଁଲୋକଙ୍କ ଅଭିଯୋଗ ପରେ ମାଲିପଦର ଜଙ୍ଗଲରେ ପୁଲିସ କରିଥିବା ଏନକାଉଣ୍ଟର ବିବାଦ ଘେରକୁ ଆସିଛି । ପୁଲିସ କାହିଁକି ମୃତଦେହ ପରିବାର ଲୋକଙ୍କୁ ହସ୍ତାନ୍ତର କରିନାହିଁ ତାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି ।