ଝିଅ ବାହାଘର ପରେ ରୁଣରେ ବୁଡିଥିଲେ ପାଟନାର ଗରିବ ବ୍ରାହ୍ମଣ। ଲୋକ ଅଦାଲତରେ ଶୁଣାଣି ବେଳେ ଦୁଃଖ ବୁଝିଲେ ଜଜ୍।

820

କନକ ବ୍ୟୁରୋ: ଜଜ୍ ଯେବେ କୋର୍ଟ ରୁମରେ ଉଦାରତା ଦେଖାନ୍ତି, ସେ ଖବର ଶିରୋନାମାକୁ ଆସେ । କୋର୍ଟ ରୁମ ଭିତରୁ କୋଟି କୋଟି ଲୋକଙ୍କ ହୃଦୟ ଜିତିଛନ୍ତି ଜଣେ ଜଜ୍ । ଜଜମେଂଟ ଚାଲିଥିଲା, ଜଣେ ବୃଦ୍ଧ ବ୍ରାହ୍ମଣଙ୍କ ଦୁଃଖ ସହିନପାରି ପକେଟରୁ ବାହାର କରିଦେଲେ ଟଙ୍କା ଓ ବୁଢା ମଉସାଙ୍କ ଋଣ ସୁଝିଦେଲେ ଜିଲ୍ଲା ଜଜ୍ ରାକେଶ କୁମାର ସିଂ ।

୧୮ ବର୍ଷ ତଳେ ବ୍ୟାଙ୍କରୁ ଋଣ ନେଇଥିଲେ ରାଜେନ୍ଦ୍ର । ସେବେଠାରୁ ସେ କେବଳ ସୁଧ ଶୁଝିଚାଲିଥିଲେ । ପରେ କିନ୍ତୁ ସୁଧ ଟଙ୍କା ଦେବା ମଧ୍ୟ ତାଙ୍କ ପକ୍ଷେ ଅସମ୍ଭବ ହୋଇପଡିଲା । ଗରିବି କାରଣରୁ ଋଣ ସୁଝିନପାରିବାରୁ ବ୍ୟାଙ୍କରୁ ନୋଟିସ ପାଇ ବିହାରର ଜେହାନାବାଦ ଲୋକ ଅଦାଲତରେ ସେ ପହଂଚିଥିଲେ । ଋଣ ଶୁଝିନପାରିବାକୁ ନେଇ କୋର୍ଟ ରୁମ ଭିତରେ ସେ କାନ୍ଦି ପକାଇଥିଲେ । କହିଥିଲେ, ଝିଅ ବାହାଘର କରିବା ପରଠୁ ସେ ଋଣରେ ବୁଡିରହିଛନ୍ତି । ଆଉ ଋଣ ଶୁଝିବାକୁ ସେ ଅକ୍ଷମ । ବହୁକଷ୍ଟରେ ସେ ମୋଟ୍ ୫ ହଜାର ଟଙ୍କା ଯୋଗାଡ କରିପାରିଥିବା କହିବା ସହ ଜଜଙ୍କ ଆଗରେ କାନ୍ଦି ନେହୁରା ହୋଇଥିଲେ ।

ବୃଦ୍ଧଙ୍କ କଥା ଶୁଣିବା ପରେ ଜଜ୍ ରାକେଶ ସିଂଙ୍କ ହୃଦୟ ତରଳିଯାଇଥିଲା । ସଙ୍ଗେ ସଙ୍ଗେ ପକେଟରୁ ୧୦ହଜାର ଟଙ୍କା ବାହାର କରି ବୃଦ୍ଧଙ୍କ ଋଣ ସୁଝିଦେଇଥିଲେ । ଜଜଙ୍କ ମାନବିକତା ଓ ଦୟା ମନୋଭାବ, ଉପସ୍ଥିତ ଲୋକଙ୍କ ହୃଦୟ କିଣିନେଇଛି ।