ପୁରୀ ପରିକ୍ରମା ପ୍ରକଳ୍ପକୁ ନେଇ ବିବାଦ । ନିର୍ମାଣ କାର୍ଯ୍ୟ ବନ୍ଦ ପାଇଁ ପ୍ରତ୍ନତତ୍ତ୍ୱ ବିଭାଗର ଚିଠିକୁ ଟୁଇଟ କଲେ ଅପରାଜିତା । ଏପଟେ ସାମନାକୁ ଆସିଲା ଏଏସଆଇ ଡିଜିଙ୍କ ମାର୍ଚ୍ଚ ମାସର ଚିଠି 

138

କନକ ବ୍ୟୁରୋ: ସଂସଦରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରସଙ୍ଗ ଉଠିବା ପରେ ଏବେ ସାଧାରଣରେ ମଧ୍ୟ ଚର୍ଚ୍ଚା ଜୋର ଧରିଛି । ସେପଟେ ରାଜନୈତିକ ବୟାନବାଜି ପୁରା ପ୍ରକଳ୍ପକୁ ବିବାଦରେ ଛନ୍ଦି ପକାଇଛି ।  ହେଲେ ଏହି ବିବାଦକୁ ନେଇ ପ୍ରତ୍ନତତ୍ତ୍ୱ ବିଭାଗର ରହସ୍ୟମୟ ନିରବତା ଚର୍ଚ୍ଚାରେ ଅଛି । ପ୍ରକଳ୍ପକୁ ନେଇ ରାଜନୈତିକ ବିବାଦ ବଢୁଛି, କିନ୍ତୁ ବିନା ବାଧାରେ କାମ ବି ଚାଲିଛି । ତେଣୁ ପ୍ରଶ୍ନ ଉଠୁଛି ଯଦି ଭୁଲ୍ କାମ ହେଉଛି, ତେବେ ଏଏସଆଇ ନୀରବ କାହିଁକି?

  • ପୁରୀ ପରିକ୍ରମା ପ୍ରକଳ୍ପର ପ୍ରହେଳିକା
  • ପ୍ରତ୍ନତତ୍ତ୍ୱ ବିଭାଗର କାର୍ଯ୍ୟକୁ ନେଇ ପ୍ରଶ୍ନ
  • କାହିଁକି ନୀରବ ଏଏସଆଇ?
  • କାମ କଣ ହେଉଛି ଏଏସଆଇର ନଜର ନାହିଁ କି?

ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ଏଏସଆଇର ଆଞ୍ଚଳିକ କାର୍ଯ୍ୟାଳୟର ଏକ ଚିଠିକୁ ସଂଲଗ୍ନ କରି ଟୁଇଟରେ କହିଛନ୍ତି, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମ ବନ୍ଦ କରିବାକୁ ନିର୍ଦ୍ଦେଶ ଥିବା ସତ୍ତ୍ୱେ ଏ ଯାଏଁ ରାଜ୍ୟ ସରକାର କାମ ବନ୍ଦ କରିନାହାନ୍ତି । ବଡ କଥା ହେଉଛି, ସାଂସଦ ଯେଉଁ ଚିଠି ଆଧାରରେ ଏହାକୁ ଉଲ୍ଲେଖ କରିଛନ୍ତି ତାହା ଫେବୃଆରୀ ୫ ତାରିଖର । ପ୍ରତିବନ୍ଧିତ ଅଞ୍ଚଳରେ ଚାଲିଥିବା ନିର୍ମାଣ କାର୍ଯ୍ୟ ବେଆଇନ ଓ ଏହାକୁ ତୁରନ୍ତ ବନ୍ଦ କରାଯିବା ଦରକାର ବୋଲି ଏଥିରେ କୁହାଯାଇଥିଲା ।

ଅନ୍ୟପଟେ ଏଏସଆଇ ମହାନିର୍ଦ୍ଦେଶକ ଫେବୃଆରୀ ୨୧ରେ ପୁରୀ ଗସ୍ତ କରିବା ପରେ ଦେଇଥିବା ପ୍ରେସ ନୋଟରେ ସ୍ପଷ୍ଟ ଭାବରେ ଲେଖା ଯାଇଛି, ଭକ୍ତଙ୍କ ସୁବିଧା ପାଇଁ ହେଉଥିବା ନିର୍ମାଣ କାର୍ଯ୍ୟକୁ ଅନୁମତି ଦିଆଯାଇଛି ଓ ଏଏସଆଇ ରାଜ୍ୟ ସରକାରଙ୍କ ସହ ମିଳିତ ଭାବରେ ଏହାର କାର୍ଯ୍ୟାନ୍ୱୟନ କରିବେ । ମାର୍ଚ୍ଚ ୫ରେ ପୂର୍ତ୍ତ ବିଭାଗକୁ ଆସିଥିଲା ଏହି ଚିଠି । ଯେଉଁଥିରେ ନିର୍ମାଣ କାର୍ଯ୍ୟକୁ ଅନୁମତି ମିଳିଥିଲା, ହେଲେ ଏଏସଆଇ ଏହା ଉପରେ ନଜର ରଖିବ ବୋଲି ଉଲ୍ଲେଖ ଥିଲା ।

ତେବେ ସତ କିଏ କହୁଛି? ଅପରାଜିତା ଷଡଙ୍ଗୀ ଫେବୃୟାରୀ ଚିଠିକୁ ଭରସା କରିଥିବା ବେଳେ ସରକାର ମାର୍ଚ୍ଚର ଚିଠିକୁ ଧରି କାର୍ଯ୍ୟ କରୁଥିବା କୁହାଯାଉଛି । ସେହିଭଳି ଏଏସଆଇର ଆଞ୍ଚଳିକ କାର୍ଯ୍ୟାଳୟ କହୁଥିବା କଥା ଠିକ୍ ନା ମହାନିର୍ଦ୍ଦେଶକ କହୁଥିବା କଥା ଠିକ୍ ? କେନ୍ଦ୍ରୀୟ ଅଧିକାରୀ ଓ ଆଞ୍ଚଳିକ ମୁଖ୍ୟରେ ସମନ୍ୱୟ ନାହିଁ କି?

ଶ୍ରୀମନ୍ଦିର ଐତିହ୍ୟ କରିଡରକୁ ନେଇ ରାଜନୈତିକ ଯୁଦ୍ଧ ମଧ୍ୟ ଆରମ୍ଭ ହୋଇଯାଇଛି । ଆରୋପ ପ୍ରତ୍ୟାରୋପ ପରେ କଥା ଏବେ ସଂସଦରେ ମଧ୍ୟ ଉଠିଲାଣି । ଏହାରି ଭିତରେ ଜାତୀୟ ଐତିହ୍ୟର ପ୍ରତିବନ୍ଧିତ ଓ ନିୟନ୍ତ୍ରିତ ଅଞ୍ଚଳରେ ନିର୍ମାଣ କାମ ପାଇଁ ରାଜ୍ୟ ସରକାର ନ୍ୟାସନାଲ ମନ୍ୟୁମେଣ୍ଟ ଅଥରିଟିଙ୍କ ଠାରୁ ଅନୁମତି ପତ୍ର ପାଇଥିବା ମଧ୍ୟ ଜଣା ପଡିଛି । ୪ ସେପ୍ଟେମ୍ବରର ୨୦୨୧ରେ ଏହି ଚିଠି ସଂସ୍କୃତି ନିର୍ଦ୍ଦେଶକଙ୍କ ପାଖକୁ ଆସିଥିଲା । ଯେଉଁଥିରେ ଭକ୍ତ ଓ ସେବାୟତଙ୍କ ସୁବଧା ପାଇଁ ପ୍ରତିବନ୍ଧିତ ଅଞ୍ଚଳ ଭିତରେ କ୍ଲୋକ ରୁମ, ଟଏଲେଟ, ପାଦଚଲା ରାସ୍ତା ନିର୍ମାଣ ପାଇଁ ଆମସାର ଆକ୍ଟ ଅନୁସାରେ ଅନୁମତି ଦିଆଯାଇଥିବା କୁହାଯାଇଛି । ଆଉ ଏବେ ଏଏସଆଇର କାର୍ଯ୍ୟଶୈଳୀ ନେଇ ପ୍ରଶ୍ନ ଉଠାଇଛନ୍ତି ବିଜୟ ମହାପାତ୍ର । ତେବେ ଏବେ ପ୍ରଶ୍ନ ଉଠୁଛି,

  • ପ୍ରକଳ୍ପ କାର୍ଯ୍ୟକୁ ନେଇ କିଏ ସତ କହୁଛି?
  • ଏଏସଆଇ କାର୍ଯ୍ୟ ଉପରେ ନଜର ରଖିଛି ନା ନାହିଁ?
  • ଅପରାଜିତା ପୁରୁଣା ଚିଠି ଧରିଥିବା ବେଳେ, ନୂଆ ଚିଠି ପାଇନାହାନ୍ତି କି?
  • ଯଦି ଭୁଲ୍ କାମ ହେଉଛି, ତେବେ ଏଏସଆଇ ନୀରବ କାହିଁକି?