ଜଗନ୍ନାଥଙ୍କ ଚୁଲି ଭଙ୍ଗାଯିବାକୁ ନେଇ ସାମନାକୁ ଆସିଲା ସାଂଘାତିକ ତଥ୍ୟ । ଶ୍ରୀମନ୍ଦିର ଭିତରେ ରାତିରେ ଲୁଚି ରହି ଭଙ୍ଗାଯାଇଥିଲା ଚୁଲି ।

675

କନକ ବ୍ୟୁରୋ: ଶ୍ରୀମନ୍ଦିର ଭିତରେ ବି ଚାଲିଛି ଦାଦାଗିରି । ଜଗନ୍ନାଥଙ୍କ ରୋଷଶାଳାରେ ବି ଦାଦାଗିରି କରିବାକୁ ପଛାଉ ନାହାନ୍ତି । ବଡପ୍ରଶ୍ନ ହେଉଛି, ସୁରକ୍ଷା ଭେଦ କରି ଜଗାଙ୍କ ଚୁଲି ଭାଙ୍ଗିଲା କିଏ? ଏହି ଘଟଣା ଏବେ ଥାନାରେ ପହଞ୍ଚିଛି । ସିସିଟିଭି ଫୁଟେଜ ଆଧାରରେ ଜଣକୁ ଚିହ୍ନଟ କରି ପଚରା ଉଚରା କରୁଛି ପୁଲିସ । ଦୁଇ ସେବାୟତ ଗୋଷ୍ଠୀଙ୍କ ବିବାଦ ଚୁଲି ଭାଙ୍ଗିବା ଭଳି ଅଘଟଣକୁ ଡାକି ଆଣିଛି । କୁହାଯାଉଛି ମନ୍ଦିର ବନ୍ଦ ପୂର୍ବରୁ କିଛି ଦୁର୍ବୃତ୍ତ ଛପି ରହିଥିଲେ ଓ ରାତିରେ ଚୁଲି ଭାଙ୍ଗି, ସକାଳେ ଭକ୍ତଙ୍କ ମେଳରେ ମିଶି ମନ୍ଦିରରୁ ବାହାରି ଗଲେ । ଏହି ଘଟଣାକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଠାରୁ ଆରମ୍ଭ କରି ଅନେକ ନେତା ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ।

  • ଜଗନ୍ନାଥଙ୍କ ଆଗରେ ଦାଦାଗିରି
  • ଲୋକଙ୍କ ଭାବାବେଗ ସହ ଖେଳ
  • ଜଗା ଚୁଲି ଭାଙ୍ଗିବାକୁ କିପରି କଲେ ସାହସ?
  • ପଦାରେ ପଡ଼ିଲା ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥା

ଶନିବାର ରାତି ଅଧରେ ଶ୍ରୀମନ୍ଦିର ରୋଷଘରେ ପଶି ଚୁଲା ଭାଙ୍ଗିବା ଘଟଣାକୁ ହଜମ କରିପାରୁନାହାନ୍ତି କୋଟି କୋଟି ଶ୍ରଦ୍ଧାଳୁ । ଶ୍ରୀମନ୍ଦିର, ସାଧାରଣ ମନ୍ଦିର ନୁହେଁ ଓଡ଼ିଆ ଜାତିର ପ୍ରାଣକେନ୍ଦ୍ର । ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ସତ୍ତେ୍ୱ କିପରି ଏହି ଅଭାବନୀୟ କାଣ୍ଡ ଘଟାଇବାକୁ ସାହସ କରିପାରିଲେ ଦୁର୍ବୃତ୍ତ, ଜଗନ୍ନାଥଙ୍କ ଆଗରେ ଦାଦାଗିରି ଦେଖାଇଲେ, ଏହାକୁ ନେଇ ପ୍ରଶ୍ନ ଉଠିଛି । ରାତି ପ୍ରାୟ ୩ଟା ପରେ ୪୦ରୁ ଅଧିକ ଚୁଲି ଭଙ୍ଗାଯାଇଛି । କୁହାଯାଉଛି…

  • ପହୁଡ଼ ପଡ଼ିବା ପୂର୍ବରୁ ଚୁଲି ଭାଙ୍ଗିବା ପାଇଁ ଭିତରେ ଲୁଚି ରହିଥିଲେ ଦୁର୍ବୃତ୍ତ
  • ରୋଷଘରେ ତାଲା ପଡ଼ିନଥିଲା
  • କତା ଦଉଡ଼ିରେ ବନ୍ଦ ହେଉଥିଲା କବାଟ
  • ସିସିଟିଭି ନଜରରେ ରୋଷଶାଳା ନଥିଲା
  • ଶାବଳ ଓ ଗଇନ୍ତି ସାହାଯ୍ୟରେ ତାଡ଼ି ପକାଇଥିଲେ ଚୁଲି

ରୋଷଘର ସୁରକ୍ଷାରେ ଢିଲା ବ୍ୟବସ୍ଥା ଯୋଗୁଁ ଏତେ ବଡ଼ ସମ୍ବେଦନଶୀଳ ଘଟଣା ଘଟିଲା ବୋଲି ଅଭିଯୋଗ ହୋଇଛି । ଏବେ ଥାନାରେ ପହଁଚିଛି ଏହି ମାମଲା । ଏସପିଙ୍କ ନିର୍ଦ୍ଦେଶରେ ୫ ଜଣିଆ ଟିମ୍ ଆରମ୍ଭ କରିଛନ୍ତି ତଦନ୍ତ । ସେଦିନ ରାତିର ସିସିଟିଭି ଫୁଟେଜ ଆଧାରରେ ଜଣକୁ ଚିହ୍ନଟ କରାଯାଇଛି । ତେବେ ଏନେଇ ଶ୍ରୀମନ୍ଦିର ପ୍ରଶାସନ ଉପରେ ବର୍ଷିଛନ୍ତି ବରିଷ୍ଠ ନେତା ବିଜୟ ମହାପାତ୍ର । ସେ କହିଛନ୍ତି, ଦୁଇ ଦିନ ତଳୁ ସେବାୟତଙ୍କ ଦୁଇଗୋଷ୍ଠୀ ମଧ୍ୟରେ ବିବାଦ ଲାଗି ରହିଥିଲା । ଆଗକୁ ଏହା ବିସ୍ଫୋରକ ରୂପ ନେବ ବୋଲି ଉଭୟ ଜିଲ୍ଲା ପ୍ରଶାସନ ଓ ମନ୍ଦିର ପ୍ରଶାସନ ଜାଣିଥିଲେ । ହେଲେ କୌଣସି ପଦକ୍ଷେପ ନିଆଯାଇନଥିଲା । ତେଣୁ ଦାୟିତ୍ୱରେ ଥିବା ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସେ ଦାବି କରିଛନ୍ତି ।

ଅନ୍ୟପଟେ ଘଟଣାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଟ୍ୱିଟ୍ କରି ସେ କହିିଛନ୍ତି, ଶ୍ରୀମନ୍ଦିର, ଓଡିଶାବାସୀ ଓ ସାରା ବିଶ୍ୱର ହିନ୍ଦୁ ସମାଜର ଆସ୍ଥା ଓ ବିଶ୍ୱାସର କେନ୍ଦ୍ର । ଭବିଷ୍ୟତରେ ଯେଭଳି ଘଟଣାର ପୁନରାବୃତି ନହେବ, ଆବଶ୍ୟକ ପଦକ୍ଷେପ ନେବା ପାଇଁ ରାଜ୍ୟ ସରକାର ଓ ଶ୍ରୀମନ୍ଦିର ପ୍ରଶାସନକୁ ଅନୁରୋଧ କରିଛନ୍ତି । ସେହିପରି ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର, ତାଙ୍କ ଟ୍ୱିଟରେ ଲେଖିଛନ୍ତି, ଏହା କେବଳ ଓଡ଼ିଆ ନୁହେଁ ସମଗ୍ର ହିନ୍ଦୁଙ୍କୁ ଏହା ଆଘାତ ଦେଇଛି । ଘଟଣା ନେଇ ରାଜ୍ୟ ସରକାରଙ୍କୁ ଘେରିଛନ୍ତି ସମ୍ବିତ । ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ମଧ୍ୟ ଟ୍ୱିଟ୍ କରି କ୍ଷୋଭ ପ୍ରକାଶ କରିଛନ୍ତି । କଳାପାହାଡ଼ ସହ ତୁଳନା କରି ସେ କହିଛନ୍ତି, ଏହି କାଣ୍ଡ ଘଟାଇଥିବା ଲୋକଙ୍କ ଏ ଜାତି ଆଦୌ କ୍ଷମା କରିବନାହିଁ ।