ନିର୍ବାଚନରେ ରାଜ୍ୟଗୁଡ଼ିକର ମାଗଣା ବଣ୍ଟାକୁ ନେଇ ପ୍ରଧାନମନ୍ତ୍ରୀଙ୍କୁ ସତର୍କ କଲେ ବରିଷ୍ଠ ଅଧିକାରୀ । କହିଲେ ଆସିପାରେ ବିରାଟ ଅର୍ଥନୈତିକ ସଙ୍କଟ

221

କନକ ବ୍ୟୁରୋ:  ଶ୍ରୀଲଙ୍କାରେ ଭୟଙ୍କର ଅର୍ଥନୈତିକ ସଙ୍କଟ ଦେଖା ଦେବା ପରେ ଭାରତରେ ଆରମ୍ଭ ହୋଇଯାଇଛି ଚର୍ଚ୍ଚା । ନିର୍ବାଚନରେ ଭୋଟ ପାଇଁ କିଛି ରାଜ୍ୟ ସରକାରଙ୍କ ମାଗଣା ବଣ୍ଟା ଯୋଜନା ସେହି ରାଜ୍ୟ ଗୁଡିକ ପାଇଁ ବଡ ଧରଣର ଆର୍ଥିକ ସଙ୍କଟ ସୃଷ୍ଟି କରିପାରେ ବୋଲି ଆଶଙ୍କା କରିଛନ୍ତି ଟପ ବ୍ୟୁରୋକ୍ରାଟ । ତେବେ ଏଥିପାଇଁ ସେମାନେ ପ୍ରଧାନମନ୍ତ୍ରୀଙ୍କୁ ଭେଟି ସତର୍କ ମଧ୍ୟ କରିଛନ୍ତି ।

ଶ୍ରୀଲଙ୍କାରେ ଦେଖା ଦେଇଥିବା ଭୟଙ୍କର ଆର୍ଥିକ ସଙ୍କଟ ସାରା ବିଶ୍ୱରେ ଚର୍ଚ୍ଚାର ବିଷୟ ହୋଇଥିବାବେଳେ ଭାରତରେ ମଧ୍ୟ ସତର୍କ ଘଣ୍ଟି ବାଜିଛି । ନିର୍ବାଚନରେ ବିଜୟୀ ପାଇଁ ବିଭିନ୍ନ ରାଜନୈତିକ ଦଳ ଏକାଧିକ ମାଗଣା ବଣ୍ଟା ଯୋଜନାର ଘୋଷଣା କରୁଛନ୍ତି ଓ ସରକାରକୁ ଆସିବା ପରେ ତାହାକୁ କାର୍ଯ୍ୟକାରୀ କରୁଥିବାରୁ, ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା ବେଳେ ଉଦବେଗ ପ୍ରକାଶ କରିଛନ୍ତି ଦେଶର ଟପ୍ ବ୍ୟୁରୋକ୍ରାଟ୍ । ପଞ୍ଜାବ, ଦିଲ୍ଲୀ, ତେଲେଙ୍ଗାନା, ପଶ୍ଚିମବଙ୍ଗ ଓ ଆନ୍ଧ୍ର ପ୍ରଦେଶ, ୫ଟି ରାଜ୍ୟର ନାଁ ନେଇ ସତର୍କ କରିଛନ୍ତି । ଆଉ କହିଛନ୍ତି…

  • କେତେକ ରାଜ୍ୟରେ ଅର୍ଥନୈତିକ ସଙ୍କଟ ଗମ୍ଭୀର ହେବାରେ ଲାଗିଛି
  • ପଞ୍ଜାବ, ଦିଲ୍ଲୀ, ତେଲେଙ୍ଗାନା, ଆନ୍ଧ୍ର ଓ ପଶ୍ଚିମବଙ୍ଗ ଚଳାଇଛନ୍ତି ମାଗଣା ଯୋଜନା
  • ମାଗଣା ବିଜୁଳି ବାଣ୍ଟିବା ଫଳରେ ରାଜ୍ୟ ରାଜକୋଷ ଉପରେ ପଡିପାରେ ଚାପ
  • ମାଗଣା ବଣ୍ଟନ ଫଳରେ ଅନ୍ୟ ସାମାଜିକ ସୁରକ୍ଷା କ୍ଷେତ୍ରରେ କମୁଛି ଅନୁଦାନ
  • ଶିକ୍ଷା ଓ ସ୍ୱାସ୍ଥ୍ୟ ଭଳି ମୌଳିକ ସେବାକୁ ବାଦଦେଇ ମାଗଣା ବଣ୍ଟାରେ ମାତିଛନ୍ତି
  • ୟୁପି ଓ ଗୋଆରେ ମାଗଣା ରୋଷେଇ ଗ୍ୟାସ ବାଣ୍ଟିବାକୁ ଘୋଷଣା କରିଥିଲା ବିଜେପି
  • ରାଜ୍ୟଗୁଡିକର ମାଗଣା ବଣ୍ଟା କେନ୍ଦ୍ର ସରକାରଙ୍କ ଉପରେ ମଧ୍ୟ ଚାପ ବଢାଇବ
  • ଗ୍ରୀସ ଓ ଶ୍ରୀଲଙ୍କା ଭଳି ସ୍ଥିତି ଉପୁଜିପାରେ

ତେବେ ନଜର ପକାନ୍ତୁ ବିଭିନ୍ନ ରାଜ୍ୟ ସରକାରଗୁଡିକର ପ୍ରମୁଖ ମାଗଣା ବଣ୍ଟା ଯୋଜନା ଉପରେ..

  • ପଞ୍ଜାବ ଓ ଦିଲ୍ଲୀରେ ଲୋକମାନଙ୍କୁ ୨ଶହ ୟୁନିଟ୍ ପର୍ଯ୍ୟନ୍ତ ମାଗଣା ବିଜୁଳି ଯୋଗାଇ ଦେଉଛି ଆପ୍ ସରକାର ।
  • ତାମିଲନାଡୁରେ ଫ୍ରି-ଲାପଟପ୍, ବିବାହ, ଶୁଦ୍ଧିକ୍ରିୟା ପାଇଁ ଆର୍ଥିକ ସହାୟତା ଦିଆଯାଉଛି
  • ବାର୍ଦ୍ଧକ୍ୟ ଭତ୍ତା ବାବଦକୁ ବୟସ୍କ ବ୍ୟକ୍ତିମାନଙ୍କୁ ମାସିକ ଅଢ଼େଇ ହଜାର ଟଙ୍କା ବାଣ୍ଟୁଛନ୍ତି ଆନ୍ଧ୍ର ସରକାର ।
  • ଅଳ୍ପ ସଂଖ୍ୟକଙ୍କୁ ବୃତ୍ତି, ବିବାହ ପାଇଁ ସହାୟତା, ଜୟ ବାଙ୍ଗାଲ ନାଁରେ ସ୍ୱତନ୍ତ୍ର ଭତ୍ତା ଦେଉଛନ୍ତି ପଶ୍ଚିମବଙ୍ଗ ସରକାର

ସବୁଠୁ ବଡ କଥା ହେଉଛି, ଦିଲ୍ଲୀର ଆପ ସରକାର ବିଜୁଳି ବାହାରୁ କିଣି ଲୋକମାନଙ୍କୁ ମାଗଣାରେ ଦେଉଛନ୍ତି । ହେଲେ, ବାହାରୁ କିଣି ମାଗଣାରେ ବାଣ୍ଟିବା କେତେଦୂର ଠିକ୍ ତାକୁ ନେଇ ପ୍ରଶ୍ନ ଉଠୁଛି । ସୂଚନାଯୋଗ୍ୟ ଯେ, ଶ୍ରୀଲଙ୍କାରେ ରାଜପକ୍ଷେ କ୍ଷମତାକୁ ଆସିବା ପରେ ଟିକସର ପରିମାଣ କମାଇ ଦେଇଥିଲେ । ବିଭିନ୍ନ ମାଗଣା ବଣ୍ଟା ଯୋଜନା ବି ଚଳାଇଥିଲେ । ଯାହାର ସିଧାସଳଖ ପ୍ରଭାବ ଦେଶର ରାଜକୋଷ ଉପରେ ପଡିଥିଲା । ଆଉ ଏବେ ଭୟଙ୍କର ଆର୍ଥିକ ସଂକଟ ଦେଇ ଗତି କରୁଛି ଶ୍ରୀଲଙ୍କା । ପେଟ୍ରୋଲ ଓ ଡିଜେଲ ଦର ୩ରୁ ୪ ଗୁଣା ବୃଦ୍ଧି ପାଇଛି । ଚାଉଳ କିଲୋ ୫ ଶହ ଟଙ୍କାରେ ପହଞ୍ଚିଛି । ଚିନି କିଲୋ ୨୯୦ ଟଙ୍କା ହୋଇଛି । ଶହେ ଟଙ୍କା ଦେଲେ ମିଳୁଛି ଗୋଟେ କପ୍ ଚା’ । ଏଲ୍ପିଜି ସିଲିଣ୍ଡର ଦର ୪ ହଜାର ୧୧୯ ଟଙ୍କା ହୋଇଛି ।