ଚୁକ୍ତି ଭିତ୍ତିକ କର୍ମଚାରୀଙ୍କ ରଣହୁଙ୍କାର ପରେ ଫିଟିବ କି ସମାଧାନର ବାଟ ? ଆଜି ବସିବ ଉଚ୍ଚସ୍ତରୀୟ ବୈଠକ

202

କନକ ବ୍ୟୁରୋ : ଚୁକ୍ତି ଭିତ୍ତିକ କର୍ମଚାରୀଙ୍କ ରଣହୁଙ୍କାର ପରେ ଫିଟିବ କି ସମାଧାନର ବାଟ । ଆଜି ବସିବ ଉଚ୍ଚସ୍ତରୀୟ ବୈଠକ । ଫାଇଭ୍-ଟି ସଚିବଙ୍କ ସମେତ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତରେ ଆଲୋଚନା ହେବ । ଆଜି ଆଲୋଚନାରେ ଦାବି ପୂରଣ ନହେଲେ ସାରା ରାଜ୍ୟରେ ଆନ୍ଦୋଳନ କରିବାକୁ ମହାସଂଘ ଚେତାବନୀ ଦେଇଛି । ସବୁ ଅଫିସରେ ତାଲା ପଡ଼ିବ ବୋଲି ମଧ୍ୟ ସଂଘ ଚେତାବନୀ ଦେଇଛି ।

ଚୁକ୍ତି ଭିତ୍ତିକ ନିଯୁକ୍ତି ବ୍ୟବସ୍ଥାକୁ ତୁରନ୍ତ ପ୍ରତ୍ୟାହାର କରିବା ପାଇଁ ଦାବି ହୋଇଛି । ଗତକାଲି ରାଜ୍ୟର ପ୍ରାୟ ୩୦ ହଜାର ଚୁକ୍ତି ଭିତ୍ତିକ କର୍ମଚାରୀ, ମାଧ୍ୟମିକ ତଥା କନିଷ୍ଠ ଶିକ୍ଷକ ଲୋୟର ପିଏମଜିରେ ଏକାଠି ହୋଇଥିଲେ । ପ୍ରବଳ ବର୍ଷା ଲାଗି ରହିଥିଲେ ମଧ୍ୟ ଏହାକୁ ଖାତିର ନକରି ଆନ୍ଦୋଳନ କରିଥିଲେ । ଆନ୍ଦୋଳନରେ କର୍ମଚାରୀଙ୍କ ସଂଖ୍ୟା ବଢୁଥିବାରୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଆଲୋଚନା ପାଇଁ ଡାକରା ଆସିଥିଲା । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଜଣେ ଓଏସଡି ଆଲୋଚନା କରିଥିଲେ ମଧ୍ୟ କୌଣସି ନିଷ୍କର୍ସ ବାହାରି ପାରିନଥିଲା ।

ମହାସଂଘର କହିବାନୁଯାୟୀ, ରାଜ୍ୟର ନିଅଣ୍ଟିଆ ଆର୍ଥିକ ଦୁରାବସ୍ଥା ଥିବା ସମୟରେ ଅର୍ଥାତ୍ ୨୦୧୩ରେ ରାଜ୍ୟ ସରକାର ନୂଆ ଠିକା ନିଯୁକ୍ତି ଆଇନ ପ୍ରଚଳନ କରିଥିଲେ । ଏହି ଆଇନରେ ବ୍ୟବସ୍ଥା ଥିଲା ଯେ ନିୟମିତ କର୍ମଚାରୀଙ୍କ ଭଳି ଚାକିରୀ ଆଶାୟୀ ଓପିଏସ୍‌ସି ପରୀକ୍ଷା ଦେବେ, ସାକ୍ଷାତକାର ଦେବେ । ଏଥିରେ ଉପକୃତ ହେଲେ ପ୍ରଥମେ ୬ ବର୍ଷ ଠିକାରେ ନିଯୁକ୍ତି ପାଇବେ । ଏହାପରେ ସେମାନଙ୍କୁ ନିୟମିତ କରାଯିବ । ହେଲେ ଯେଉଁ ୬ବର୍ଷ ଠିକାରେ କାମ‌ କଲେ ‌ତାହାକୁ ଚାକିରି ଅବଧିରେ ମିଶାଗଲାନି । ଫଳରେ ଏବେ ଏହି କର୍ମଚାରୀମାନେ ପଦୋନ୍ନତି ପାଇଲା ବେଳକୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏପରିକି ଚୁକ୍ତିଭିତ୍ତିକ ନିଯୁକ୍ତି ପାଇଥିବାରୁ ଅବସରକାଳୀନ ସୁବିଧା, ମହଙ୍ଗା ଭତ୍ତା, ଘରଭଡ଼ା ଆଦି ବି ମିଳୁନି । ତେଣୁ ଏହାକୁ ବିରୋଧ କରି କର୍ମଚାରୀମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ।