ଆଜି ବି କଂଗ୍ରେସ କରିବ ପ୍ରତିବାଦ : ଆଦାନୀ ପ୍ରସଙ୍ଗରେ ଜେପିସି ତଦନ୍ତ ଦାବି

76

କନକ ବ୍ୟୁରୋ : ଆଜି ବା ସାରା ଦେଶରେ କଂଗ୍ରେସ ମୋଦୀ ସରକାର ବିରୋଧରେ ପ୍ରତିବାଦ କରିବ । ଆଦାନୀ ପ୍ରସଙ୍ଗରେ ଜେପିସି ତଦନ୍ତ ଦାବି କରି ସରକାରକୁ ଘେରିବ କଂଗ୍ରେସ । ସଂସଦରେ ମଧ୍ୟ ସମାନ ପ୍ରସଙ୍ଗ ଉଠାଇପାରେ ବିରୋଧୀ । ରାହୁଲ ଗାନ୍ଧୀ ସାଂସଦ ପଦ ହରାଇବା ପରେ ଏବେ କଂଗ୍ରେସ ଆକ୍ରାମଣାତ୍ମକ ମୁଡରେ ଆସିଛି । ଗତକାଲି ସାରା ଦେଶରେ ସତ୍ୟାଗ୍ରହ କରିଥିଲା ।

ବିରୋଧୀ କଂଗ୍ରେସ ଦାବି କରିଛି ଯେ ଆଦାନୀ ଏବଂ ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ କି ସଂପର୍କ ରହିଛି ବୋଲି ରାହୁଲ ଗାନ୍ଧୀ ପ୍ରଶ୍ନ କରୁଛନ୍ତି । ଏଥିରେ ମୋଦୀ ସରକାର ଭୟଭୀୟ ହୋଇଯାଇଛନ୍ତି । ତେଣୁ ରାହୁଲଙ୍କ ବିରୋଧରେ ଏଭଳି ପଦକ୍ଷେପ ନିଆଯାଇଛି । ଅନ୍ୟପଟେ ଶାସକ ଦଳ ବିଜେପି କହିଛି, ରାହୁଲ ଗାନ୍ଧୀ କୋର୍ଟ ଦ୍ୱାରା ଦଣ୍ଡିତ । ଆଉ ଆଇନ୍ ଅନୁଯାୟୀ ସେ ତାଙ୍କ ପଦ ହରାଇଛନ୍ତି । ମୂଳ ପ୍ରସଙ୍ଗରୁ ହଟି କଂଗ୍ରେସ ଅବାନ୍ତର କଥା କହୁଛି ।

ଅନ୍ୟପଟେ ରାହୁଲ ଗାନ୍ଧିଙ୍କ ଲୋକସଭା ସଦସ୍ୟତା ରଦ୍ଦ ହେବା ପରେ ଦେଶବ୍ୟାପୀ ଆନ୍ଦୋଳନ ଆରମ୍ଭ ହୋଇଛି । ଏହି ପ୍ରସଙ୍ଗରେ ବିରୋଧୀ ଦଳଗୁଡ଼ିକ ମଧ୍ୟ କଂଗ୍ରେସ ତଥା ରାହୁଲଙ୍କୁ ସମର୍ଥନ କରିବା ଦେଖାଯାଉଛି । ଏହି ଅବସରରେ ବିରୋଧୀ ଦଳଗୁଡ଼ିକୁ ଶାସକ ବିଜେପି ବିରୋଧରେ ଏକଜୁଟ କରାଇବାର ଏକ ମଉକା ମିଳିଛି କଂଗ୍ରେସକୁ । ଲୋକସଭାରେ ରାହୁଲଙ୍କ ଅଯୋଗ୍ୟ ଘୋଷଣାକୁ ବିରୋଧୀ ଦଳଗୁଡ଼ିକ ଏକସ୍ୱରରେ ବିରୋଧ କରିଥିଲେ । ମୁଖ୍ୟ ବିରୋଧୀ ଦଳ କଂଗ୍ରେସ ଏଭଳି ସମର୍ଥନକୁ ସ୍ୱାଗତ କରିଛି ।