ପୁଣି ଘନେଇଲା ରାଜ୍ୟ କଂଗ୍ରେସ କନ୍ଦଳ ! ବିଧାୟକ ଦଳ ଦୁଇ ଭାଗ

38

କନକ ବ୍ୟୁରୋ : ପୁଣି ଘନେଇଲା ରାଜ୍ୟ କଂଗ୍ରେସ କନ୍ଦଳ । ପ୍ରସାଦ ହରିଚନ୍ଦନଙ୍କ ସହ କଂଗ୍ରେସର ଚାରି ଜଣ ବିଧାୟକ ଆଜି କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ଭେଟିଛନ୍ତି । ସୂତ୍ରରୁ ପ୍ରକାଶ, ନୂଆ ଦିଲ୍ଲୀରେ ରାହୁଲ ଗାନ୍ଧିଙ୍କ ସହ ବିଧାୟକ ଜାକବ ପ୍ରଧାନ, ଭୁଜବଳ ମାଝି, କୃଷ୍ଣ ସଗରିଆ, କୈଳାଶ କୁଲେସିକା ଆଲୋଚନା କରିଛନ୍ତି ।

କେଉଁ କାରଣରୁ ଏପରି ତରବରିଆ ଭାବେ କଂଗ୍ରେସ ବିଧାୟକଙ୍କୁ ନେଇ ପିସିସି ସଭାପତି, ରାହୁଲ ଗାନ୍ଧିଙ୍କୁ ଭେଟିଛନ୍ତି, ତାହା ସ୍ପଷ୍ଟ ହୋଇନି । ତେବେ ଗୋଟେ କଥା ବୁଝାପଡୁଛି, କଂଗ୍ରେସ ବିଧାୟକ ଦଳ ଦି’ଭାଗ ହୋଇ ଯାଇଛି ।

ବିରୋଧୀ ଦଳର ନେତା ନରସିଂହ ମିଶ୍ରଙ୍କ ନେତୃତ୍ୱରେ କଂଗ୍ରେସ ବିଧାୟକ ଦଳ ଏକାଠି ହୋଇ ପୂର୍ବରୁ ରାହୁଲ ଗାନ୍ଧିଙ୍କୁ ଦେଖା କରିଥିଲେ । ପିସିସି ସଭାପତିଙ୍କ ବିରୋଧରେ ସେମାନଙ୍କ ଅସନ୍ତୋଷ ଜଣାଇଥିଲେ । ନେତୃତ୍ୱ ପରିବର୍ତନ ପାଇଁ ଅଡି ବସିଥିଲେ ବୋଲି ଆଲୋଚନା ହେଉଥିଲା, ସେଥିରେ ବାଧା ପହଁଚିଛି ।

ପୂର୍ବରୁ ପ୍ରସାଦ ହରିଚନ୍ଦନ, ଜିଲ୍ଲା ସଭାପତିମାନଙ୍କୁ ନେଇ ରାହୁଲଙ୍କୁ ଭେଟାଇଥିଲେ । ଦୁଇ ଗୋଷ୍ଠୀ ମଧ୍ୟରେ ବେଶ ଛକାପଂଝା ଦେଖିବାକୁ ମିଳିଥିଲା । ଏବେ ପରିବର୍ତିତ ପରିସ୍ଥିତିରୁ ଏହା ସ୍ପଷ୍ଟ ହେଉଛି ଯେ ୪ ବିଧାୟକଙ୍କୁ ପ୍ରସାଦ ନିଜ ପକ୍ଷକୁ ନେବାରେ ସଫଳ ହୋଇଛନ୍ତି ।

ଏମାନେ ରାହୁଲଙ୍କ ଆଗରେ ପ୍ରସାଦଙ୍କ ନେତୃତ୍ୱ ପ୍ରତି ସମର୍ଥନ ଜଣାଇଥିବା ଅନୁମାନ କରାଯାଉଛି । ମାତ୍ର ଏହା କଂଗ୍ରେସ କନ୍ଦଳକୁ ଆହୁରି ବଢାଇବ ବୋଲି ଚର୍ଚ୍ଚା ହେଉଛି ।