ପେଟ୍ରୋଲ ଓ ଡିଜେଲ ରେଡ୍ଡୀ କର ରଖ, ନିର୍ଦ୍ଦେଶ ମିଳିଲେ ନିଆଁ ଲଗାଇଦେବ । ନାବାଳିକାକୁ ନ୍ୟାୟ ନ ମଳିଲେ ଆଇନକୁ ହାତକୁ ନେବାକୁ ଖୋଲା ଚେତାବନୀ ଦେଲେ କଂଗ୍ରେସ ନେତା ପ୍ରଦୀପ ମାଝୀ ।

760

କନକ ବ୍ୟୁରୋ : ଗୋଟିଏ ପଟେ ପ୍ରଶାସନର ରହସ୍ୟମୟ ନିଷ୍କ୍ରିୟତା ପ୍ରତିବାଦରେ ନବରଙ୍ଗପୁରରେ ନିଆଁ ଜଳୁଥିବା ବେଳେ  ଏପଟେ ପ୍ରଦୀପ ମାଝୀଙ୍କ ବିବାଦୀୟ ବୟାନର ଭିଡିଓ ଭାଇରାଲ ହୋଇଛି । କଂଗ୍ରେସ ନେତା ପ୍ରଦୀପ ମାଝୀ ଏହି ଭିଡିଓରେ ଜଣେ ସମର୍ଥକଙ୍କୁ ଡିଜେଲ ଓ ପେଟ୍ରୋଲ ପ୍ରସ୍ତୁତ କରି ରଖିବାକୁ କହିଛନ୍ତି । ଏବଂ ନିର୍ଦ୍ଦେଶ ଆସିଲେ ନିଆଁ ଲଗାଇବାକୁ ପରାମର୍ଶ ଦେଉଛନ୍ତି ।

ପେଟ୍ରୋଲ ଓ ଡିଜେଲ ରେଡ୍ଡୀ କରି ରଖ । ନିର୍ଦ୍ଦେଶ ମିଳିବା ମାତ୍ରେ ନିଆଁ ଲଗାଇବ । ଯେତେବେଳେ ପ୍ରଶାସନ ଉପରେ ଲୋକଙ୍କ ବିଶ୍ୱାସ ତୁଟି ଯାଏ, କିମ୍ବା ଯେତେବେଳେ ନେତା ଅରାଜକତା ସୃଷ୍ଟି କରିବାକୁ ଚାହାନ୍ତି ସେତେବେଳେ ଏଭଳି ବୟାନ ଦିଅନ୍ତି ନେତା । ତେବେ କେଉଁ ପରିସ୍ଥିତିରେ ପୂର୍ବତନ ସାଂସଦ ତଥା କଂଗ୍ରେସ ନେତା ପ୍ରଦୀପ ମାଝୀ ଏହି ବୟାନ ଦେଉଛନ୍ତି ତାହା ସେ ହିଁ କହିପାରିବେ ।  ଆଉ ପ୍ରଦୀପଙ୍କ ଏଭଳି ବୟାନ ଭାଇରାଲ ହେବା ପରେ ନବରଙ୍ଗପୁରରେ ଲାଗିଥିଲା ନିଆଁ । ଆମ୍ବେଦକର ଛକ ନିକଟରେ ଥିବା ଅବ୍ୟବହୃତ କାରରେ ନିଆଁ ଲଗାଇ ଦେଇଥିଲେ ଉତ୍ତକ୍ତ୍ୟ ଲୋକେ ।

ଏତିକିରେ ସରିନଥିଲା ପ୍ରଦୀପଙ୍କର ମୁହଁତୋଡ । ଯଦି ନାବାଳିକାକୁ ନ୍ୟାୟ ନ ମିଳିବ ତେବେ ଆଇନକୁ ହାତକୁ ନିଆଯିବ ବୋଲି ଖୋଲା ଚେତାବନୀ ଦେଇଥିଲେ ପ୍ରଦୀପ । କିନ୍ତୁ ପ୍ରଦୀପଙ୍କ କଥାରୁ ଏହା ସ୍ପଷ୍ଟ ଅନୁମାନ କରିହେବ ଯେ ପ୍ରଶାସନ ଉପରେ ଲୋକଙ୍କ ଭରସା ନାହିଁ ଏବଂ ପ୍ରଶାସନ ବୋଧହୁଏ କିଛି ଲୁଚାଇବାକୁ ଚାହୁଁଛି ।

ଅନ୍ୟପଟେ ଜଣେ ପୂର୍ବତନ ଲୋକପ୍ରତିନିଧି ଭାବେ ପ୍ରଦୀପ ଯେଉଁଭଳି ହିଂସାକୁ ପ୍ରଶୟ ଦେଉଛନ୍ତି ତାହା ଠିକ୍ ନୁହେଁ ବୋଲି କହିଛନ୍ତି ନବରଙ୍ଗପୁର ସାଂସଦ ରମେଶ ମାଝୀ । ତେବେ  ନେତାଙ୍କ ବୟାନବାଜିି ଭିତରେ କିନ୍ତୁ ଅନେକ ପ୍ରଶ୍ନ ଏବେ ବି ଲୁଚି ରହୁଛି । ଯାହାର  ଉତର ଅପେକ୍ଷା କରୁଛନ୍ତି ଜନତା ।