ନୂଆବର୍ଷ ପୂର୍ବରୁ ଭିତରକନିକାରେ ପଡିଲା ତାଲା । ୩୧ ତାରିଖରୁ ହେବ କୁମ୍ଭୀର ଗଣନା, ୫ ଦିନ ପୂର୍ବରୁ ବନ୍ଦ କରିବାକୁ ନେଇ ଉଠିଲା ପ୍ରଶ୍ନ ।

166

କନକ ବ୍ୟୁରୋ : ଆଜିଠାରୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ହୋଇଗଲା ଭିତରକନିକା । ୨୦୨୦ ଜାନୁଆରୀ ୪ ତାରିଖ ଯାଏଁ ଭିତର କନିକା ବନ୍ଦ ରହୁଥିବାରୁ ନୂଆବର୍ଷରେ ପର୍ଯ୍ୟଟକମାନେ ବୁଲିବାର ମଜା ନେଇପାରିବେ ନାହିଁ । କୁମ୍ଭୀର ଗଣନା ବେଳେ ଭିତର କନିକା ବନ୍ଦ ରହୁଥିବା ବେଳେ ଡିସେମ୍ବର ୩୧ ତାରିଖରୁ ଆରମ୍ଭ ହେବାକୁ ଯାଉଛି କୁମ୍ଭୀର ଗଣନା । ତେବେ ଏହାର ଯଥେଷ୍ଟ ପୂର୍ବରୁ କାହିଁକି ଭିତରକନିକା ବନ୍ଦ କରାଗଲା ତାହାକୁ ନେଇ ଉଠିଛି ପ୍ରଶ୍ନ ।

ଏଥର ନୂଆବର୍ଷରେ ଆପଣ ଭିତର କନିକା ବୁଲିପାରିବେ ନାହିଁ । କାରଣ ଆଜି ଠାରୁ ବନ୍ଦ ହୋଇଯାଇଛି ଭିତର କନିକା । ବନବିଭାଗର ସୂଚନା ଅନୁସାରେ, ଜାନୁଆରୀ ୪, ୨୦୨୦ରେ ପୁଣିଥରେ ଖୋଲିବ । ମିଳିଥିବା ସୂଚନା ଅନୁସାରେ ଡିସେମ୍ବର ୩୧ ତାରିଖରୁ ଆରମ୍ଭ ହେବାକୁ ଯାଉଛି ବଉଳା କୁମ୍ଭୀର ଗଣନା । ତେବେ ଏହାର ୫ଦିନ ପୂର୍ବରୁ କାହିଁକି ଭିତର କନିକାକୁ ସାଧାରଣ ପର୍ଯ୍ୟଟକଙ୍କ ପାଇଁ ବନ୍ଦ କରାଗଲା ସେନେଇ ପ୍ରଶ୍ନ ଉଠିଛି ।

ବର୍ଷର ଶେଷ ସମୟରେ ରାଜ୍ୟ ତଥା ଦେଶର ବିଭିନ୍ନ ସ୍ଥାନରୁ ଭିତରକନିକାକୁ ଛୁଟିଥାଏ ପର୍ଯ୍ୟଟକଙ୍କ ସୂଅ । ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥାନ୍ତି ଭିତର କନିକାର ବଉଳା କୁମ୍ଭୀର । ପରିବେଶବିତଙ୍କ କହିବାନୁସାରେ କୁମ୍ଭୀର ଗଣନାର ଦିନେ ୨ଦିନ ପୂର୍ବରୁ ଭିତରକନିକା ବନ୍ଦ କରିଥିଲେ ଠିକ ହୋଇଥାନ୍ତା । କିନ୍ତୁ ୨୬ତାରିଖରୁ ବନ୍ଦ କରିବା ଦ୍ୱାରା ଏଠାକୁ ଆସୁଥିବା ପର୍ଯ୍ୟଟକମାନେ ନିରାଶ ହୋଇଫେରୁଛନ୍ତି ।

୪ଟି ରେଂଜ ଡାଙ୍ଗମାଳ, ରାଜନଗର, ମହାକାଳପଡା, ଗହିରମଥାରେ ହେବ କୁମ୍ଭୀର ଗଣନା । ଏଥିପାଇଁ ବନ ବିଭାଗ ଗଠନ କରିଛି ୨୩ଟି ଟିମ । ଏହି କୁମ୍ଭୀର ଗଣନା ଆଉ ୫ଦିନ ପରେ ଆରମ୍ଭ ହେବାକୁ ଥିବା ବେଳେ ଏବେ ଠାରୁ ଭିତରକନିକାକୁ କାହିଁକି ବନ୍ଦ କରାଗଲା ଏହାର ଉତର ବନବିଭାଗ ପାଖରେ ନାହିଁ ।