ଗୋଟିଏ ଦିନରେ କଂଗ୍ରେସକୁ ଡବଲ ଝଟକା । ହାତ ଛାଡ଼ି ପଦ୍ମ ଧରିଲେ ମୁଖପାତ୍ର ଗୌରବ ବଲ୍ଲଭ, କହିଲେ ଦେଇପାରିବେନି ସନାତନ ଧର୍ମ ବିରୋଧୀ ମନ୍ତବ୍ୟ

452

କନକ ବ୍ୟୁରୋ : କଂଗ୍ରେସ ଛାଡିବାର କେଇ ଘଂଟା ମଧ୍ୟରେ ପଦ୍ମ ଧରିଲେ ଗୌରବ ବଲ୍ଲଭ । ବିଜେପି ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ବିନୋଦ ତାୱଡେଙ୍କ ଉପସ୍ଥିତିରେ ବିଜେପି ସାମିଲ ହୋଇଛନ୍ତି ଗୌରବ । ସନାତନ ଧର୍ମ ବିରୋଧି ମନ୍ତବ୍ୟ ଦେଇପାରିବେ ନାହିଁ ବୋଲି ଖଡଗେଙ୍କୁ ଚିଠି ଲେଖିବା ସହ କଂଗ୍ରେସ ଛାଡିଥିଲେ ଏହି ନେତା । କଂଗ୍ରେସ ଦଳ ଏବେ ଦିଗହରା ହୋଇଥିବା ବେଳେ ସନାତନ ଧର୍ମ ବିରୋଧୀ ଭାବେ ପରିଗଣିତ ହେଉଛି । ରାଜନୀତି ପାଇଁ ପ୍ରତ୍ୟେକ ଦିନ ମୁଁ ସନାତନ ଧର୍ମକୁ ଗାଳି ଦେଇପାରିବି ନାହିଁ ବୋଲି କହିଛନ୍ତି ଗୌରବ । ଗୌରବ ବଲ୍ଲଭ କଂଗ୍ରେସର ମୁଖପାତ୍ର ଭାବେ ମୋଦି ସରକାରଙ୍କୁ ବିଭିନ୍ନ ପ୍ରସଙ୍ଗରେ ଘେରୁଥିବା ଦେଖିବାକୁ ମିଳୁଥିଲା । ଶେଷରେ ଲୋକସଭା ନିର୍ବାଚନ ପୂର୍ବରୁ ଏହି ନେତା ଜଣଙ୍କ ଗେରୁଆ କ୍ୟାମ୍ପରେ ଯୋଗ ଦେଇଥିବା ଦେଖିବାକୁ ମିଳିଛି । ଗୌରବ ବଲ୍ଲଭଙ୍କ ବିଜେପିରେ ଯୋଗଦାନ ଦଳର ସଂଗଠନୁ ଆହୁରି ସୁଦୃଢ କରିବ ବୋଲି ବିଜେପି ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ବିନୋଦ ତାୱଡେ କହିଛନ୍ତି ।

ସେପଟେ ସାମ୍ବାଦିକ ସମ୍ମିଳନୀ କରି କଂଗ୍ରେସ ନେତୃତ୍ୱଙ୍କ ଉପରେ ବର୍ଷିଲେ ସଞ୍ଜୟ ନିରୁପମ । ଦଳ ଏବେ ଧୀରେ ଧୀରେ ବୁଡୁଥିବା ବେଳେ କେନ୍ଦ୍ରୀୟ ନେତୃତ୍ୱଙ୍କ ଅଂହକାର ବଢିଯାଇଥିବା ସେ ଅଭିଯୋଗ କରିଛନ୍ତି । ୫ଜଣିଆ ପାୱାର ସେଂଟରଙ୍କ କତୃତ୍ୱରେ ଏବେ ଦଳ ଚାଲୁଥିବା ସେ ଅଭିଯୋଗ କରିଛନ୍ତି । ଯେଉଁ ନେତା ମାନେ ଦଳର ଦୁର୍ବଳତା କହୁଛନ୍ତି ସେମାନଙ୍କୁ ହିଁ ଦଳର ଶୀର୍ଷ ନେତୃତ୍ୱ ଟାର୍ଗେଟ କରୁଥିବା ଅଭିଯୋଗ କରିଛନ୍ତି ସଂଜୟ । ପ୍ରଥମେ ସେ ଦଳରୁ ଇସ୍ତଫା ଦେଇଥିବା ବେଳେ ଦଳ ପରେ ଦଳ ପକ୍ଷରୁ ବହିଷ୍କାରର ନାଟକ କରାଯାଇଥିବା ସେ ଅଭିଯୋଗ କରିଛନ୍ତି ।