ଭୂମିକମ୍ପ ପରେ ତାଇୱାନରେ ଉଦ୍ଧାରକାର୍ଯ୍ୟ ଜୋରଦାର । ଭୁଶୁଡ଼ିଲା ଶହେରୁ ଅଧିକ କୋଠା, ମୃତ୍ୟୁ ସଂଖ୍ୟା ବଢ଼ିବା ଆଶଙ୍କା

420

କନକ ବ୍ୟୁରୋ : ଭୟଙ୍କର ହୋଇ ପଡିଛି ତାଇୱାନର ସ୍ଥିତି । ଶକ୍ତିଶାଳୀ ଭୂ-କମ୍ପରେ ଥରି ଉଠିଛି ଛୋଟିଆ ଦେଶ ତାଇୱାନ୍ । ବୁଧବାର ସକାଳୁ ରାଜଧାନୀ ତାଇପେଇର ବିଭିନ୍ନ ସ୍ଥାନରେ ଭୟଙ୍କର ଭୂମିକମ୍ପରେ ବଡ ଧରଣର କ୍ଷୟକ୍ଷତି ହୋଇଛି । ରିକ୍ଟର ସ୍କେଲ୍ରେ ଭୂମିକମ୍ପର ତୀବ୍ରତା ୭.୫ ରେକର୍ଡ କରାଯାଇଛି । ପ୍ରାକୃତିକ ଦୁର୍ବିପାକରେ ୧୦୦ରୁ ଅଧିକ ଅଟ୍ଟାଳିକା ଭୁଶୁଡି ପଡିଥିବାବେଳେ, ରାସ୍ତାରେ ବଡ ବଡ ଫାଟ ସୃଷ୍ଟି ହୋଇଛି । ଭୂମିକମ୍ପ ପାଇଁ ୫୦ରୁ ଅଧିକ ଲୋକ ନିଖୋଜ ଅଛନ୍ତି । ଏଥିରେ ଦୁଇଜଣ ଭାରତୀୟ ରହିଛନ୍ତି । ଏବେ ବି ଉଦ୍ଧାରକାର୍ଯ୍ୟ ଜାରି ରହିଛି । ନିଖୋଜ ଥିବା ଲୋକଙ୍କ ସନ୍ଧାନରେ ନିୟୋଜିତ ହୋଇଛି ରେସ୍କ୍ୟୁ ଟିମ୍ । ଭୂ-କମ୍ପରେ ହଜାରରୁ ଅଧିକ ଲୋକ ଆହତ ହୋଇ ଚିକିତ୍ସିତ ହେଉଛନ୍ତି । ଅନେକ ସ୍ଥାନରେ ଏବେ ବି ଲୋକ ଫସି ରହିଛନ୍ତି ।

ନ୍ୟୁୟର୍କ ଟାଇମ୍ସର ରିପୋର୍ଟ ଅନୁସାରେ ଏପ୍ରିଲ ୩ ତାରିଖ ସକାଳ ସାଢେ ୫ଟାରେ ତାଇୱାନରେ ବଡ ଭୂମିକମ୍ପ ଝଟ୍କା ଅନୁଭୂତ ହୋଇଥିଲା । ଆଉ ଏହା ପରେ ମଧ୍ୟ ସେଠାରେ ୨୦୦ରୁ ଅଧିକ ଭୂକମ୍ପ ଝଟ୍କା ଅନୁଭୂତ ହୋଇଛି । ଗତ ୨୪ ଘଂଟା ଭିତରେ ୨୦୧ ଥର ଛୋଟ, ବଡ ଝଟ୍କା ଅନୁଭୂତ ହୋଇଛି । ସବୁ ଝଟ୍କାର ତୀବ୍ରତା ରିକ୍ଟର ସ୍କେଲ୍ରେ ୫ ଉପରେ ରହିଛି । ଶକ୍ତିଶାଳୀ ଭୂମିକମ୍ପ ଯାହା ସମଗ୍ର ଦ୍ୱୀପକୁ ଦୋହଲାଇ ଦେଇଛି ଏବଂ କୋଠାଗୁଡିକ ଭୁଶୁଡ଼ି ପଡ଼ିଛି । ଜାପାନ ଦକ୍ଷିଣ ଦ୍ୱୀପପୂଂଜ ଓକିନାୱା ପାଇଁ ସୁନାମି ସତର୍କ ସୂଚନା ଜାରି କରିଛି । ଏଠାରେ ବିମାନ ଉଡ଼ାଣ ବାତିଲ କରାଯାଇଛି । ଫିଲିପାଇନ୍ସ ମଧ୍ୟ ସୁନାମି ନେଇ ସତର୍କ ସୂଚନା ଜାରି କରଯାଇଛି ।

ତାଇୱାନରେ ପ୍ରକୃତିର ତାଣ୍ଡବ ଦେଖି ବିଭିନ୍ନ ଦେଶ ପକ୍ଷରୁ ସହାନୁଭୂତିର ବାର୍ତା ଆସୁଥିବାବେଳେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ତାଇୱାନବାସୀଙ୍କୁ ନିଜ ସମବେଦନା ଜଣାଇଛନ୍ତି । ସେପଟେ ସେଠାରେ ଥିବା ଭାରତୀୟଙ୍କ ପାଇଁ ଭାରତ ସରକାର ଏକ ଆଡ୍ଭାଇଜରୀ ଜାରି କରିଛନ୍ତି । ଏଥିସହ ଯୋଗାଯୋଗ ପାଇଁ ଏକ ଜରୁରୀକାଳିନ ନମ୍ବର ମଧ୍ୟ ଜାରି କରାଯାଇଛି । ତାଇୱାନରେ ୫ହଜାରରୁ ଅଧିକ ଭାରତୀୟ ବସବାସ କରୁଛନ୍ତି ।