କଂଗ୍ରେସର ଋଣହୁଙ୍କାର। ଦେଶବ୍ୟାପୀ ସଂକଳ୍ପ ସତ୍ୟାଗ୍ରହ।

146

କନକ ବ୍ୟୁରୋ: ଲୋକସଭା ସଭ୍ୟ ପଦରୁ ରାହୁଲ ଗାନ୍ଧୀଙ୍କୁ ଅଯୋଗ୍ୟ ଘୋଷଣା ପରେ ଚିହିଁକି ଉଠିଛି କଂଗ୍ରେସ । ଦେଶର ବିଭିନ୍ନ ସ୍ଥାନରେ ଦଳ ପକ୍ଷରୁ କରାଯାଇଛି ସଂକଳ୍ପ ସମାବେଶ । ମହାତ୍ମା ଗାନ୍ଧୀ ମେମୋରିଆଲରେ ସତ୍ୟାଗ୍ରହ ପାଇଁ ଦିଲ୍ଲୀ ପୁଲିସ ଅନୁମତି ନଦେବା ପରେ ରାଜଘାଟରେ ଆୟୋଜିତ ସତ୍ୟାଗ୍ରହରେ ସାମିଲ୍ ହୋଇଛନ୍ତି ଦଳର ବରିଷ୍ଠ ନେତା । କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ, ମହାସଚିବ ପ୍ରିୟଙ୍କା ଗାନ୍ଧୀ, ବରିଷ୍ଠ ନେତା ପି, ଚିଦାମ୍ବରମ୍, ଜୟରାମ ରମେଶ, ଅଧିର ରଂଜନ ଚୌଧୁରୀ ଆଦି କେନ୍ଦ୍ର ସରକାରଙ୍କ ବିରୋଧରେ ବର୍ଷିଥିଲେ । ଖଡଗେ କହିଛନ୍ତି, ରାହୁଲଙ୍କ ମୁହଁ ବନ୍ଦ କରିବା ପାଇଁ କରାଯାଉଛି ଷଡ଼ଯନ୍ତ୍ର । ମୁହଁତୋଡ଼ ଜବାବ ଦେବ କଂଗ୍ରେସ । ଦେଶବ୍ୟାପୀ ଜାରି ରହିବ ପ୍ରତିବାଦ ।

ସତ୍ୟାଗ୍ରହରେ ଯୋଗ ଦେଇ ମୋଦୀ ସରକାର ଓ ବିଜେପି ବିରୋଧରେ ବର୍ଷିଛନ୍ତି ପ୍ରିୟଙ୍କା ଗାନ୍ଧୀ ।କହିଛନ୍ତି, ରାହୁଲ ଓ ତାଙ୍କ ପରିବାରକୁ ପ୍ରତିଦିନ ଅପମାନିତ କରିଆସୁଛି ବିଜେପି । ଜଣେ ସହିଦଙ୍କ ପୁଅଙ୍କୁ ମୀର ଜାଫର୍ ସହ ତୁଳନା କରାଯାଉଛି । ଗାନ୍ଧୀ-ନେହରୁ ପରିବାରକୁ ନେଇ କଟୁ ମନ୍ତବ୍ୟ ଦିଆଯାଉଛି । ନେହରୁ ସାଂଜ୍ଞା କାହିଁକି ବ୍ୟବହାର କରୁନାହାନ୍ତି ବୋଲି ସଂସଦରେ କହୁଛନ୍ତି ପ୍ରଧାନମନ୍ତ୍ରୀ । ଏପରି କହି ସେ କାଶ୍ମୀର ପଣ୍ଡିତଙ୍କ ପରିବାରକୁ ଅପମାନିତ କରିଛନ୍ତି ।

ରାହୁଲ ଗାନ୍ଧୀଙ୍କ ଲୋକସଭା ସଦସ୍ୟତା ରଦ୍ଦ କରିବା ପରେ ଏହାକୁ ବିରୋଧ କରି ବିଭିନ୍ନ ସ୍ଥାନରେ ପ୍ରତିବାଦ କରାଯାଉଛି । ଭୁବନେଶ୍ୱରରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ନେତୃତ୍ୱରେ ଭୁବନେଶ୍ୱରରେ ପ୍ରତିବାଦ କରିଛି ରାଜ୍ୟ କଂଗ୍ରେସ । ଜୟପୁରରେ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ଅଭିନବ ପ୍ରତିବାଦ କରିଛନ୍ତି । ପାଟିରେ ତାଲା ପକାଇ ଜୟପୁରରେ ସତ୍ୟାଗ୍ରହରେ ବସିଥିଲେ ତାରା ।

ଗୋଟିଏ ପଟେ ସାରାଦେଶରେ କଂଗ୍ରେସ ପ୍ରତିବାଦ କରୁଥିବା ବେଳେ ଟ୍ୱିଟରରେ ନିଜ ପ୍ରୋଫାଇଲ ବାୟୋ ବଦଳାଇଛନ୍ତି ରାହୁଲ । ଏବେ ରାହୁଲ ନିଜ ବାୟୋରେ ‘ଡିସ’କ୍ୱାଲିଫାଏଡ ଏମପି ବା ‘ଅଯୋଗ୍ୟ ସାଂସଦ’ ଲେଖିଛନ୍ତି । ମାନହାନୀ ମାମଲାରେ ସୁରଟ କୋର୍ଟ ରାହୁଲଙ୍କୁ ୨ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇବା ପରେ କଂଗ୍ରେସ ତା’ର ଅଫିସିଆଲ୍ ଟ୍ୱିଟର୍ ଫ୍ରୋଫାଇଲ୍ ବଦଳାଇଥିଲା । ପ୍ରୋଫାଇଲରେ ‘ଡରୋ ମତ୍’ ବା ଡର ନାହିଁ ବୋଲି ଲେଖିଛି କଂଗ୍ରେସ । କିଛି କଂଗ୍ରେସ ନେତା ମଧ୍ୟ ‘ଡରୋ ମତ୍’ ପ୍ରୋଫାଇଲ ଫଟୋ ରଖିଛନ୍ତି ।