ଦ୍ୱନ୍ଦ ସୃଷ୍ଟି କରୁଛି ବାତ୍ୟା ‘ଅସାନି’ର ଗତିପଥ: ପ୍ରତିଦିନ ବଦଳୁଛି ଆକଳନକାରୀ ସଂସ୍ଥାମାନଙ୍କର ଅନୁମାନ

253

କନକ ବ୍ୟୁରୋ: ବାତ୍ୟା ଅସାନିକୁ ନେଇ ଆନ୍ଧ୍ରପ୍ରଦେଶ ଉପକୂଳବର୍ତୀ ଅଂଚଳକୁ ସତର୍କ କରାଯାଇଛି । ବାତ୍ୟା କେଉଁଠି ସ୍ଥଳଭାଗ ଛୁଇଁବ କି ସମୁଦ୍ର ଭିତରେ ଗତି କରିବ ତାହା ଏଯାଏଁ ସ୍ପଷ୍ଟ ହୋଇପାରୁନାହିଁ । କିନ୍ତୁ ଏହାରି ଭିତରେ ଆନ୍ଧ୍ରପ୍ରଦେଶ ଉପକୂଳବର୍ତୀ ଅଂଚଳକୁ ସତର୍କ କରାଇ ଦେଇଛି ଭାରତୀୟ ପାଣିପାଗ ବିଭାଗ । ୧୧ ତାରିଖ ସକାଳ ସୁ୍ଧା କାକିନାଡା-ବିଶାଖାପଟଣା ଉପକୂଳର ଅତି ନିକଟ ଦେଇ ଗତି କରିବାର ସମ୍ଭାନା ରହିଛି । ତେଣୁ ଉପକୂଳବର୍ତୀ ଅଂଚଳରେ ସତର୍କତା ଅବଲମ୍ବନ କରିବାକୁ କୁହାଯାଉଛି ।

ଗତ ୬ ଘଂଟା ହେବ ୨୫ କିଲୋମିଟର ବେଗରେ ପଶ୍ଚିମ-ଉତର-ପଶ୍ଚିମ ଦିଗରେ ଗତି କରୁଛି ଅସାନି । ବିଶାଖାପଟଣା ଠାରୁ ୩୧୦ କିଲୋମିଟର, ଗୋପାଳପୁର ଠାରୁ ୫୩୦ ଓ ପୁରୀ ଠାରୁ ୬୩୦ କିଲୋମିଟର ଦୂରରେ ରହିଛି ବାତ୍ୟା ଅସାନି । ସେପଟେ ବାତ୍ୟା ଅସାନିକୁ ପୂର୍ବାନୁମାନ କରିବା ପାଣିପାଗ ବିଜ୍ଞାନୀଙ୍କ ପାଇଁ ଏକ ବଡ ଚ୍ୟାଲେଂଜ ହୋଇଛି । ବିଭିନ୍ନ ପାଣିପାଗ ସଂସ୍ଥା ପକ୍ଷରୁ ଭିନ୍ନ ଭିନ୍ନ ପ୍ରକାର ଆକଳନ କରାଯାଉଛି । କେତେବେଳେ ଏହା ବିଶାଖାପାଟନମ୍ରେ ଆଂଶିକ ଭାବେ ଲ୍ୟାଣ୍ଡଫଲ କରିବ ବୋଲି କୁହାଯାଉଛି ।

କିନ୍ତୁ ଆଇଏମଡି କହୁଛି ଏହା ଉତର-ପୂର୍ବ ଦିଗରେ ଗତି କରି ଓଡିଶା ଉପକୂଳର ସମାନ୍ତରାଳ ଗତିପଥରେ ଚାଲିବ । ବିଦେଶୀ ପାଣିପାଗ ସଂସ୍ଥା ୱିଣ୍ଡି ଡଟ୍ କମ୍ ମଧ୍ୟ ବାରମ୍ବାର ଏହାର ପୂର୍ବାନୁମାନକୁ ବଦଳାଉଛି । ଅନେକ ସମୟରେ ବାତ୍ୟାର ପୂର୍ବାନୁମାନରେ ପରିବର୍ତନ ହୁଏ କିନ୍ତୁ ଏହି ଅସାନି ବାତ୍ୟାକୁ ନେଇ ପାଣିପାଗ ବିଜ୍ଞାନୀଙ୍କ ମଧ୍ୟରେ ଅଧିକ ଦ୍ୱିନ୍ଦ ଦେଖିବାକୁ ମିଳିଛି । ତେବେ ଏହି ବାତ୍ୟା ୧୨ ତାରିଖ ସକାଳ ସୁଦ୍ଧା ଦୁର୍ବଳ ହୋଇ ଏହା ଅବପାତରେ ପରିଣତ ହେବ ।