ଦେଶକୁ ଦରକାର ଏକ ଲକ୍ଷ  ଡ୍ରୋନ ପାଇଲଟ । ଦ୍ୱାଦଶ ପାସ ଛାତ୍ର ହୋଇପାରିବେ ପାଇଲଟ । ମାସକୁ ରୋଜଗାର କରିବେ ୩୦ ହଜାର ।

489

କନକ ବ୍ୟୁରୋ: ଦେଶକୁ ଆଗାମୀ ଦିନରେ ଦରକାର ଏକ ଲକ୍ଷ ଡ୍ରୋନ ପାଇଲଟ । ମଙ୍ଗଳବାର ଏଭଳି ପ୍ରତିକ୍ରିୟା ରଖିଛନ୍ତି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ । ନୀତି ଆୟୋଗର ଏକ ବୈଠକରେ ଯୋଗଦେଇ ସେ କହିଛନ୍ତି କେନ୍ଦ୍ର ସରକାରଙ୍କ ୧୨ଟି ମନ୍ତ୍ରାଳୟ ଦେଶର ବିଭିନ୍ନ ସ୍ଥାନରେ ଡ୍ରୋନ ସେବା ବଢାଇବାକୁ ଦାବି କରିଛନ୍ତି ।

ସିନ୍ଧିଆ କହିଛନ୍ତି, ଆମେ ଡ୍ରୋନ କ୍ଷେତ୍ରରେ ତିନିସ୍ତରରେ କାମ କରୁଛୁ । ପ୍ରଥମ ସ୍ତରଟି ହେଉଛି ନୀତି ନିର୍ଣ୍ଣୟ  ା ଆପଣମାନେ ଦେଖୁଛନ୍ତି ଆମେ କେତେ ଶୀଘ୍ର ନୀତି ତିଆରି କରି ତାର କ୍ରିୟାନ୍ୱୟନ କରୁଛୁ । ସେହିଭଳି ଦ୍ୱିତୀୟ ସ୍ତରଟି ହେଉଛି ପ୍ରୋତ୍ସାହନ । ଉତ୍ପାଦନ ଆଧାରିତ ପ୍ରୋତ୍ସାହନ(ପିଏଲଆଇ) ଯୋଜନା ଦେଶରେ ଡ୍ରୋନ ନିର୍ମାଣ ଏବଂ ସେବା ବଢାଇବା ଦିଗରେ କାମ କରୁଛି । ୨୦୨୧ ସେପ୍ଟେମ୍ବର ମାସରେ ଏହି କ୍ଷେତ୍ର ପାଇଁ ପିଏଲଆଇ ଲାଗୁ କରାଯାଇଥିଲା ।

ସେହିଭଳି ତୃତୀୟ ସ୍ତରଟି ଘରୋଇ ଚାହିଦା ସୃଷ୍ଟି କରିବା । କେନ୍ଦ୍ର ସରକାରଙ୍କ ୧୨ଟି ମନ୍ତ୍ରାଳୟ ଏଥିପାଇଁ କାମ କରୁଛନ୍ତି ।  ଏହା କରିବା ସହ ସେମାନେ ଚାହିଦା ବୃଦ୍ଧି ପାଇଁ ଉଦ୍ୟମ ଜାରି ରଖିଛନ୍ତି । ଦ୍ୱାଦଶ ଶ୍ରେଣୀ ପାସ କରିଥିବା ବ୍ୟକ୍ତିଙ୍କୁ ଡ୍ରୋନ ପାଇଲଟର ପ୍ରଶିକ୍ଷଣ ଦିଆଯାଇପାରିବ । ଏଥିପାଇଁ କଲେଜରୁ ଡିଗ୍ରୀ ନେବାର କୌଣସି ଆବଶ୍ୟକତା ନାହିଁ ।  ମାତ୍ର ୨ରୁ ୩ ମାସ ମଧ୍ୟରେ ଜଣେ ଶିକ୍ଷାର୍ଥୀ ପ୍ରଶିକ୍ଷଣ ପୂରା କରିବା ସହ ମାସିକ ୩୦ ହଜାର ଟଙ୍କା ଆୟ କରିପାରିବ ।