ସାକେତ କୋର୍ଟରେ ଫୁଟିଲା ଗୁଳି, ମହିଳାଙ୍କୁ ଗୋଡେଇ ଗୋଡେଇ ଗୁଳିମାଡ କଲେ ଦୁବୁର୍ତ

180

କନକ ବ୍ୟୁରୋ : ପ୍ରତିଦିନ ପରି ଶୁକ୍ରବାର ମଧ୍ୟ ଦିଲ୍ଲି ସାକେତ କୋର୍ଟ ସମୟ ଅନୁସାରେ ଖୋଲିଥିଲା । ଆଜି ବି ସମାନଧରଣର ଗହଳି, ଚଳପ୍ରଚଳ ଦେଖିବାକୁ ମିଳିଥିଲା । ହଠାତ ଏହି ସମୟରେ କୋର୍ଟ ପରିସରରେ ଶୁଭେ ଗୁଳିଫୁଟିଲା । କେହି କିଛି ବୁଝିବା ଆଗରୁ ଆଖି ସାମ୍ନାରେ ଘଟେ ଏହି ଲୋମଟାଙ୍କୁରା ଘଟଣା । ଜଣେ ମହିଳାଙ୍କ ପିଛା କରୁଥାନ୍ତି କଳାକୋଟ ପିନ୍ଧା ଜଣେ ବ୍ୟକ୍ତି । ହାତରେ ଥାଏ ବନ୍ଧୁକ ଓ ଫୁଟାଇଚାଲିଥାନ୍ତି ଗୁଳି । ଗୋଟେ ପରେ ଗୋଟେ ଏମିତି ୪ରାଉଣ୍ଡ ଗୁଳିଫୁଟୁଥାଏ । ସେପଟେ କୋର୍ଟ ପରିସର ମହିଳାଙ୍କ ଚିକ୍ରାରରେ କମ୍ପୁଥାଏ । ଯିଏ ଯୁଆଡେ ଭୟଭୀୟ ହୋଇ ଦୌଡି ପଳାଉଥାନ୍ତି । କିଛି ମିନିଟ ଧରି ଏଭଳି ଚାଲିବା ପରେ ଦୁବୁର୍ତଙ୍କୁ ଧରିବା କିଛି ଲୋକ ଆଗେଇ ଆସିିବା ସମୟରେ ଦୁବୁର୍ତ କୋର୍ଟ ପଛ ଗେଟ ଦେଇ ଫେରାର ହୋଇଥିବା ଜଣାପଡିଛି ।

ପୁଲିସର ସୂଚନା ଅନୁସାରେ ଗୁଳିମାଡର ଶିକାର ହୋଇଥିବା ମହିଳା ଓ ଅଭିଯୁକ୍ତଙ୍କ ମଧ୍ୟର ୨୫ଲକ୍ଷଟଙ୍କାକୁ ନେଇ ବିବାଦ ରହିଛି । ଆକ୍ରୋଶିତ ହୋଇ ମହିଳାଙ୍କୁ ଆକ୍ରମଣ କରିବା ପାଇଁ ଅଭିଯୁକ୍ତଜଣକ ଆଇନଜୀବୀ ବେଶରେ ଆସିଥିଲେ । ଅଭିଯୁକ୍ତ ଜଣକ ସାକେତ କୋର୍ଟର ଜଣେ ଆଇନଜୀବୀ ଥିଲେ କିନ୍ତୁ ଜମିଘୋଟାଲା ମାମଲାରେ ନିଲମ୍ବିତ କରାଯାଇଥିଲା ।

ଘଟଣାରେ ମହିଳାଙ୍କ ପେଟରେ ଦୁଇଟି, ହାତରେ ଗୋଟିଏ ଗୁଳିବାଜିଥିବା ଜଣାପଡିଛି । ଏଥିସହ ଜଣେ ଆଇନଜୀବୀ ମଧ୍ୟ ଆହତ ହୋଇଛନ୍ତି । ଦୁଇଜଣଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତି କରାଯାଇଛି ।ସେପଟେ ଅପରାଧୀକୁ ଖୋଜୁଛି ପୁଲିସ ।