ତୀକ୍ଷ୍ଣ ବେଗରେ ଆସୁଛି ‘ତିତଲି’ । ବାତ୍ୟା ମୁକାବିଲା ନେଇ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା, ପ୍ରସ୍ତୁତ ରହିବାକୁ ସରକାରୀକଳକୁୁ ନିର୍ଦ୍ଦେଶ ।

35

କନକ ବ୍ୟୁରୋ: ଭୟଙ୍କର ହେଉଛି ବାତ୍ୟା ‘ତିତଲି’ । ତିତଲି ମୁକାବିଲା ନେଇ ସଚିବାଳୟରେ ଉଚ୍ଚସ୍ତରୀୟ ବୈଠକ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ହୋଇଛି ସମୀକ୍ଷା ବୈଠକ । ବୈଠକ ପରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ସୁଚନା ଦେଇ କହିଛନ୍ତି, ତିତଲୀ ପ୍ରଭାବିତ ହେବାକୁଥିବା ଗଞ୍ଜାମ, ପୁରୀ, ଖୋର୍ଦ୍ଧା, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଭଳି ୫ ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ଆବଶ୍ୟକୀୟ ପଦକ୍ଷେପ ନବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ । ଏହି ସବୁ ଜିଲ୍ଲାର ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

ଏହାସହ ବିଗତ ଦିନରେ ଫାଇଲିନ୍ ପାଇଁ ଯେଉଁ ସବୁ ବ୍ୟବସ୍ଥା କରାଯାଇଥିଲା ସେହିଭଳି ପଦକ୍ଷେପ ନେବାକୁ ନିର୍ଦ୍ଦେଶ । ବିଶେଷ କରି ଜିରୋ କାଜ୍ୟୁଆଲଟୀ ବା ଶୂନ୍ୟ ଦୁର୍ଘଟଣା ନିରାକରଣ ନେଇ ସମସ୍ତ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି । ଅନ୍ୟପଟେ ଯଦି ବାତ୍ୟାରେ କିଛି ବିଶେଷ କ୍ଷୟକ୍ଷତି ହୁଏ ପ୍ରଶାସନ ତରଫରୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବାସହ ତୁରନ୍ତ ଉଦ୍ଧାର କାର୍ଯ୍ୟ ଏବଂ ଅନ୍ୟନ୍ୟ ମୌଳିକ ସୁବିଧା ଯୋଗାଇଦେବାକୁ  ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା ବାତ୍ୟା ତିତଲିର ବେଗକୁ ଦୃଷ୍ଟିରେ ରଖି ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ସ୍କୁଲ କଲେଜ ଛୁଟି କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ସସସ୍ତ ସରକାରୀ କର୍ମଚାରୀଙ୍କ ଛୁଟିକୁ ବାତିଲ୍ କରାଇଯାଇଛି । ଏବଂ ଯେଉଁମାନେ ଛୁଟିରେ ଅଛନ୍ତି ସେମାନେ ତୁରନ୍ତ ବାତ୍ୟା ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ହୁଏତ ରାଜ୍ୟର କିଛି ସ୍ଥାନରେ ବର୍ଷା ନ ହୋଇ ପାରେ କିନ୍ତୁ ଆମେ କୌଣସି ପ୍ରକାର ପ୍ରାକୃତିକ ବିପର୍ଯ୍ୟୟକୁ ଏଡ଼ାଇ ଦେଇ ପାରିବା ନାହିଁ ତେଣୁ ରାଜ୍ୟବାସୀଙ୍କ ସୁରକ୍ଷା ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି । ବୈଠକରେ ଏସଆରସି, ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର, ପୁଲିସ ଡିଜିଙ୍କ ସହ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ବିଭାଗର ସଚିବମାନେ  ଉପସ୍ଥିତ ଥିଲେ ।