ବିହାରରେ ମହାମେଣ୍ଟ ସରକାର ପାଇଁ ଆଜି ଅସଲ ପରୀକ୍ଷା : ବିଧାନସଭାରେ ବହୁମତ ସାବ୍ୟସ୍ତ କରିବେ ନୀତୀଶ କୁମାର

81

କନକ ବ୍ୟୁରୋ : ବିହାର ବିଧାନସଭାରେ ଆଜି ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବ ମହାମେଣ୍ଟ ସରକାର । ଏଥିପାଇଁ ବିଧାନସଭାରେ ଦିନିକିଆ ସ୍ୱତନ୍ତ୍ର ଅଧିବେଶନ ଡକା ଯାଇଛି । ଆଜି ଗୃହରେ ବହୁମତ ସାବ୍ୟସ୍ତ କରିବେ ନୀତିଶ ସରକାର । ଏହା ମହାମେଣ୍ଟ ତଥା ନୀତୀଶ- ତେଜସ୍ୱୀ ସରକାରଙ୍କ ଅସଲ ପରୀକ୍ଷା ବୋଲି କୁହାଯାଉଛି । ବିହାରର ୨୪୩ ଆସନ ବିଶିଷ୍ଟ ବିଧାନସଭାରେ ସରକାର ଗଠନ ପାଇଁ ୧୨୨ ଜଣ ବିଧାୟକଙ୍କ ସମର୍ଥନ ଆବଶ୍ୟକ ।

କିନ୍ତୁ ମହାମେଣ୍ଟ ସରକାର ପାଖରେ ୧୬୪ ବିଧାୟକଙ୍କ ସମର୍ଥନ ରହିଛି । ତେଣୁ ସହଜରେ ବହୁମତ ସାବ୍ୟସ୍ତ କରିପାରିବେ ନୀତୀଶ କୁମାର । ଏନଡିଏ ସହ ମେଣ୍ଟ ଭାଙ୍ଗିବା ପରେ ନୀତୀଶ କୁମାର ଆରଜେଡି ସହ ମେଣ୍ଟ କରି ସରକାର ଗଠନ କରିଛନ୍ତି । ତେବେ ଶକ୍ତି ପରୀକ୍ଷଣ ପୂର୍ବରୁ ବିହାର ବିଧାନସଭାର ବାଚସ୍ପତି ବିଜୟ ସିହ୍ନା ଇସ୍ତଫା ଦେବାକୁ ମନା କରିଛନ୍ତି । ତେଣୁ ବିଧାନସଭାରେ ଆଜି ପ୍ରବଳ ହଟ୍ଟଗୋଳ ହେବା ସମ୍ଭାବନା ରହିଛି ।

ଏପରିକି ଆରଜେଡି ପକ୍ଷରୁ ବାଚସ୍ପତିଙ୍କ ବିରୋଧରେ ଆରଜେଡି ଦେଇଥିବା ଅବିଶ୍ୱାସ ପ୍ରସ୍ତାବକୁ ସେ ବେଆଇନ ଦର୍ଶାଇ ଖାରଜ କରିଦେଇଛନ୍ତି । ଅବିଶ୍ୱାସ ପ୍ରସ୍ତାବ ଆସିବା ପରେ ମଧ୍ୟ ପଦରେ ରହିବାକୁ ହେଲେ ବାଚସ୍ପତି ବିଜୟ ସିହ୍ନାଙ୍କୁ ବହୁମତ ଆବଶ୍ୟକ, ହେଲେ ବିଜେପି ପାଖରେ ୭୭ ଜଣ ବିଧାୟକ ଅଛନ୍ତି । ବିଧାନସଭାର ପରିବର୍ତ୍ତିତ ପରିସ୍ଥିତି ଓ ନୈତିକତା ଦୃଷ୍ଟିରୁ ଇସ୍ତଫା ଦେବାକୁ ବାଚସ୍ପତି ବିଜୟ ସିହ୍ନାଙ୍କୁ ଅପିଲ କରିଛି ଆରଜେଡି । ତେଣୁ ଆଜି ଗୃହରେ ପ୍ରବଳ ହଟ୍ଟଗୋଳ ହେବା ସମ୍ଭାବନା ରହିଛି ।