ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚିଠି । ଫନି କ୍ଷତିଗ୍ରସ୍ତଙ୍କ ସମେତ କେବିକେକୁ ମୋଟ ୧୩ ଲକ୍ଷ ଆବାସ ଯୋଗାଇବାକୁ କଲେ ଅନୁରୋଧ

191

କନକ ବ୍ୟୁରୋ: ୨୦୧୯ ମେ’ ମାସରେ ହୋଇଥିବା ମହାବାତ୍ୟାରେ ଓଡିଶାର ଅନେକ ଜିଲ୍ଲାରେ ଲୋକେ ବାସହରା ହୋଇ ଆଜିଯାଏଁ ଘର ଖଣ୍ଡେ ପାଇନାହାଁନ୍ତି । ଏନେଇ ଦୃଷ୍ଟି ଆକର୍ଷଣ କରିବା ସହ କ୍ଷତିଗ୍ରସ୍ତଙ୍କ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧିନରେ ଘର ଯୋଗାଇ ଦେବାକୁ ଅନୁରୋଧ କରି ପ୍ରଧାନମନ୍ତ୍ରୀଙ୍କ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାସହ ଅଣ ଫନି ପ୍ରଭାବିତ ଆଦିବାସୀ ଅଧୁଷିତ ଇଲାକରେ ମଧ୍ୟ ହିତାଧିକାରୀଙ୍କୁ ୧୩ ଲକ୍ଷ ଘର ଯୋଗାଇ ଦେବାକୁ ଅନୁରୋଧ କରିଛନ୍ତି ।

୨୦୧୯ ମାର୍ଚ୍ଚ ୩ ତାରିଖ ସୁଦ୍ଧା ଯୋଗ୍ୟ ପିଏମଏୱାଇ (ପ୍ରଧାନମନ୍ତ୍ରୀ ଆବାସ ଯୋଜନା) ଅଧିନରେ ଯୋଗ୍ୟ ପରିବାରକୁ ଚିହ୍ନଟ କରିବାକୁ ନିର୍ଦ୍ଦେଶ ଦେଇଥିଲେ କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ । ହେଲେ ସାଧାରଣ ନିର୍ବାଚନ ସହ , ବାମପନ୍ଥୀ ଉଗ୍ରବାଦୀ ହିଂସା ଓ ନେଟୱାର୍କ ସମସ୍ୟା ଯୋଗୁଁ ଏହି ସର୍ଭେକୁ ପୁରା କରାଯାଇପାରିନାହିଁ । ଏପରି ସ୍ଥିତିରେ ନିର୍ଦ୍ଧାରିତ ସମୟ ଭିତରେ କେବଳ ୩୫ ହଜାର ଯୋଗ୍ୟ ପରିବାରକୁ ଚିହ୍ନଟ କରାଯାଇପାରିଛି । ଏହାପରେ ଯେତେବେଳେ ଏମଓଆରଡି ଅଧିନରେ ୧୪ଟି ଜିଲ୍ଲା ପାଇଁ ଆୱାସ୍ ୱିଣ୍ଡୋ ଖୋଲିଲା ସେତେବେଳେ ଆଉ ୭.୮୭ ଲକ୍ଷ ପରିବାରକୁ ଚିହ୍ନଟ କରାଯାଇଥିଲା । ଏଥିମଧ୍ୟରୁ କିଛି ହିତାଧିକାରୀ ଫନି ପ୍ରଭାବିତ ଜିଲ୍ଲାର ହୋଇଥିବାବେଳେ ଅଧିକାଂଶ ଆଦିବାସୀ ଅଧ୍ୟୁଷିତ କେବିକେ ଇଲାକାର ବୋଲି ଏହି ଚିଠିରେ ଉଲ୍ଲେଖ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ଚଳିତ ବର୍ଷ ଜୁଲାଇରେ ଏନେଇ କରାଯାଇଥିବା ଅନୁରୋଧକୁ ଏମଓଆରଡି (ମିନିଷ୍ଟ୍ରି ଅଫ୍ ରୁରାଲ ଡେଭଲପମେଣ୍ଟ) ଦ୍ୱାରା ପତ୍ୟାକ୍ଷାନ ପ୍ରତି ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ପୂର୍ବରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧିନରେ ଓଡିଶାକୁ ୮.୧୭ ଲକ୍ଷ ଘର ଯୋଗାଇଦେଇଥିବାରୁ ପ୍ରଧାମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି ନବୀନ । ଏବେ ସର୍ଭେ ଅନୁଯାୟୀ ହିତାଧିକାରୀଙ୍କୁ ଆବଶ୍ୟକ ଘର ଯୋଗାଇଦେବାକୁ ଅନୁରୋଧ କରିବା ସହ ଗରୀବ ଆଦିବାସୀଙ୍କ ପ୍ରତି କେନ୍ଦ୍ର ଶୀଘ୍ର ସାହାଯ୍ୟର ହାତ ବଢାଇବ ବୋଲି ରାଜ୍ୟ ଆଶାବାଦୀ ଥିବା ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।