ଖରାଦିନେ ଅଟକାଉଥିଲା, ହେଲେ ବର୍ଷାଦିନେ ପାଣି ଛାଡିବାକୁ ଚାଲ ଖେଳୁଛି ଛତିଶଗଡ । କଲମା ବ୍ୟାରେଜର ସମସ୍ତ ଗେଟ୍ ଖୋଲିବ ପଡୋଶୀ ।

225

କନକ ବ୍ୟୁରୋ: ପୁଣି ଛତିଶଗଡ଼ର ମନମାନି  । ଅଣମୌସୁମୀ ଋତୁରେ ମହାନଦୀର କଲମା ବ୍ୟାରେଜର ସମସ୍ତ ଗେଟ୍ ବନ୍ଦ କରି ଓଡ଼ିଶାରେ ପାଣିର ଅଭାବ ସୃଷ୍ଟି କରୁଥିବା ଛତିଶଗଡ଼ ଏବେ ପୁଣି ନୂଆ ଚାଲ ଖେଳୁଛି  । ମୌସୁମୀ ଋତୁ ଆରମ୍ଭରୁ କଲମା ବ୍ୟାରେଜର ସମସ୍ତ ଗେଟ୍ ଖୋଲିବା ପାଇଁ ନିର୍ଦ୍ଦେଶନାମା ଜାରି କରିଛି  । ଫଳରେ ଏହି ହଠାତ୍ ଏହି ଅତିରିକ୍ତ ଜଳ ଆସି ଓଡ଼ିଶାରେ ବନ୍ୟାର କାରଣ ପାଲଟିବାର ଆଶଙ୍କା ଉପୁଜିଛି  ।

  • ମହାନଦୀକୁ ନେଇ ଛତିଶଗଡ଼ର ଦାଦାଗିରି
  • ବର୍ଷାଦିନେ ଖୋଲିବ କଲମାର ସବୁ ଗେଟ୍
  • ଓଡି଼ଶାରେ ବଢିଲା ବନ୍ୟା ଆଶଙ୍କା!

ଛତିଶଗଡରୁ ପ୍ରକାଶ ପାଇଥିବା ଏକ ଖବରରେ କୁହାଯାଇଛି, ଆଗାମୀ ଜୁନ୍ ୧୬ରୁ ୧୫ ଅକ୍ଟୋବର ମଧ୍ୟରେ କଲମା ବ୍ୟାରେଜର ସମସ୍ତ ଗେଟ୍ ଖୋଲିବାକୁ ନିଷ୍ପତି କରିଛନ୍ତି ଛତିଶଗଡ ସରକାର । ଅର୍ଥାତ ବର୍ଷ ୪ ମାସ ସମସ୍ତ ଗେଟ୍ ଖୋଲିଦେବ ଛତିଶଗଡ । ଗେଟ୍ ଖୋଲିଲେ ତଳ ମୁଣ୍ଡରେ ବନ୍ୟାସ୍ଥିିତି ସୃଷ୍ଟି ହେବା ନେଇ ଆଶଙ୍କା ବଢିଛି । ତଳମୁଣ୍ଡ ଅର୍ଥାତ୍ ଓଡ଼ିଶାର ବିଭିନ୍ନ ସ୍ଥାନରେ ଜଳସ୍ତର ବୃଦ୍ଧିପାଇବା ସହ ଫସଲହାନୀର ଆଶଙ୍କା ରହିଛି ।

ଉତ୍କଟ ଗ୍ରୀଷ୍ମ ସମୟରେ ଛତିଶଗଡ଼ ସରକାର ବ୍ୟାରେଜର ମମସ୍ତ ଗେଟକୁ ବନ୍ଦ କରି ପାଣିର ସ୍ରୋତକୁ ଅଟକାଇଦେଇଥଲା । ଫଳରେ ତଳମୁଣ୍ଡରେ ଓଡ଼ିଶାର ଚାଷୀ ଫସଲ ନଷ୍ଟ ସହ ସଂଘାତିକ ଜଳାଭାବର ସମ୍ମୁଖୀନ ହୋଇଥିଲେ । କିନ୍ତୁ ଆଗକୁ ବର୍ଷା ଋତୁ ଆସୁଥିବାରୁ ଛତିଶଗଡ଼ ସରକାରଙ୍କ ଗେଟ୍ ଖୋଲିବା ନିଷ୍ପତି ପୁଣି ଓଡ଼ିଶା ପାଇଁ ସମସ୍ୟା ସୃଷ୍ଟି କରିବ ।

ଉପରମୁଣ୍ଡରେ ବନ୍ଧ ବାନ୍ଧି ମହାନଦୀ ପାଣି ଉପରେ ଏକଚାଟିଆ ଅଧିକାର ସାବ୍ୟସ୍ତ କରୁଛି ଛତିଶଗଡ । ଅଣମୌସୁମୀ ଋତୁରେ ଓଡ଼ିଶାକୁ ଯେତିକି ପାଣି ମିଳିବା କଥା ତାର ୩୦ ପ୍ରତିଶତ କମ୍ ମିଳିଛି । ଜଳଭଣ୍ଡାରର ଉପରମୁଣ୍ଡ ବରଗଡ଼ ଓ ଝାରସୁଗୁଡ଼ା ଜିଲ୍ଲାରେ ପାଣିର ଘୋର ଅଭାବ ଦେଖାଦେଇଛି । ଅନେକ କିଲୋମିଟର ପର୍ଯ୍ୟନ୍ତ ପାଣି ଘୁଞ୍ଚି ଯାଇଥିବାରୁ କେବଳ ବାଲିଶଯ୍ୟା ହିଁ ଦେଖିବାକୁ ମିଳୁଥିଲା । ଜଳ ଭଣ୍ଡାରରେ ଜଳାଭାବରୁ ରବି ଚାଷ ଗୁରୁତର ପ୍ରଭାବିତ ହୋଇଛି ।

ଅନ୍ୟପଟେ ମହାନଦୀ ପାଣି ପାଇଁ ଟ୍ରିବୁନାଲରେ ଲଢେଇ ଚାଲିଛି କହି ଚୁପ ବସିଛନ୍ତି ଓଡିଶା ସରକାର । ହେଲେ ଗୋଟିଏ ପରେ ଗୋଟିଏ ବଡ ବଡ ପ୍ରକଳ୍ପ ତିଆରି କରିଚାଲିଛି ଛତିଶଗଡ । ଆଉ ସବୁଠୁ ବଡ ବ୍ୟାରେଜ କଲମା ଡ୍ୟାମର ସମସ୍ତ ଗେଟକୁ ପାଣି ଅଭାବ ସମୟରେ ବନ୍ଦ ରଖି ପାଣିକୁ ଅଟକାଇ ଦେଉଛି । ଆଗକୁ ମୌସୁମୀ ସମୟରେ ପାଣି ଅଧିକ ହେଲେ ଗେଟ୍ ଖୋଲି ତଳମୁଣ୍ଡରେ ବନ୍ୟା କରିବାକୁ ଷଡଯନ୍ତ୍ର କରିଛି ।