ଏ କାହାଣୀ ‘କୁଲି ନମ୍ବର ୩୫’ ଙ୍କର । ରାତିରେ କୁଲି ହେଇ ବୋଝ ବୋହୁଛନ୍ତି, ଦିନରେ ଶିକ୍ଷକ ସାଜି ପାଠ ପଢାଉଛନ୍ତି ।

227

କନକ ବ୍ୟୁରୋ: କୁଲି ନମ୍ବର ୩୫ । ବ୍ରହ୍ମପୁର ରେଳ ଷ୍ଟେସନରେ ବାସ…ଏଇ ଗୋଟେ ହିଁ ନମ୍ବର ତାଙ୍କର ପୂରା ପରିଚୟ । କିଏ ତାଙ୍କୁ କୁଲି କହି ଡାକି ନିଏ, କିଏ ବୋଝ ବୋହିବାକୁ କହି ପାଉଣା ଦି ଟଙ୍କା ଦେଇଦିଏ । ହେଲେ ଜୀବନ ଆଉ ଜଞ୍ଜାଳ ଭିତରେ, ପେଟ୍ ପାଇଁ ପ୍ଲାଟଫର୍ମ ଭିତରେ । ୩ ଆଉ ୫ ନମ୍ବର’ର ପରିଚୟ ନେଇ, ସାରା ସହରର ବୋଝକୁ ମୁଣ୍ଡେଇ ଆଗେଇ ଚାଲିଛନ୍ତି ନାଗେସୁ ପାତ୍ର ।

ସିଏଚ୍ ନାଗେସୁ ପାତ୍ର । ବ୍ରହ୍ମପୁର ରେଳ ଷ୍ଟେସନର କୁଲି ନମ୍ବର ୩୫ । ଯେଉଁ ଯୁବକକୁ ଆପଣ ନାଲି ସାର୍ଟ ସହ କୁଲିର ପରିଚୟରେ ଦେଖିଲେ, ଦିନରେ ସେ ସାଜନ୍ତି, ଜଣେ ଶିକ୍ଷକ । ଅନ୍ୟର ବୋଝ ବୋହି, ଜୀବନ ଜିଉଥିବା ମଣିଷ ସକାଳ ପାଇଲେ, ଶିକ୍ଷକ ବନିଯାଏ । ରାତି ସରିଗଲେ, ବୋଝ ନୁହେଁ ବରଂ କୁଲି ଜୀବନରୁ ବ୍ରେକ୍ ନେଇ କୁନି କୁନି ପିଲାଙ୍କୁ ବିଦ୍ୟା ବାଣ୍ଟିଚାଲେ ।

ନାଗେସୁ ଘର କୁକୁଡାଖଣ୍ଡି ବ୍ଲକର ମନୋହର ଗାଁରେ । ବାପା ଦିନ ମଜୁରିଆ, ମା ଘରକାମ ଦେଖାରଖା କରନ୍ତି । ୨୦୦୬ରେ ନାଗେସୁ ଯେତେବେଳେ ଦଶମ ଶ୍ରେଣୀ ପଢୁଥିଲେ, ସେତେବେଳେ କାଇଁ କେଜାଣି ହଠାତ୍ ପାଠ ଛାଡି ସୁରତ ଚାଲିଗଲେ । ସୁତାକଳରେ କାମ କଲେ ସତ ହେଲେ ମନ ମାନିଲାନି । ଦି’ ବର୍ଷ ସୁରତରେ କାମ କରିବା ପରେ ହାଇଦ୍ରାବାଦ ଚାଲିଆସିଲେ ନାଗେସୁ । ହେଲେ ସେଠି ବି କାମଦାମ ଠିକ୍ ଲାଗିଲାନି । ଭାଗ୍ୟକୁ ୨୦୧୧ରେ ବ୍ରହ୍ମପୁର ରେଳ ଷ୍ଟେସନରେ କୁଲି ପାଇଁ କାମ ବାହାରିଲା । ଆଉ ନାଗେସୁ ଟେଷ୍ଟରେ ପାସ୍ ବି ହେଇଗଲେ । ବାସ୍ ସେବେଠୁ ସଞ୍ଜ ହେଲେ ସେ ପାଲଟି ଯାଆନ୍ତି କୁଲି ନମ୍ବର ୩୫ । ଆଉ ସକାଳ ହେଲେ ବନିଯାଆନ୍ତି ଜଣେ ସାହିତ୍ୟ ଶିକ୍ଷକ ।

ପେଟ ପାଇଁ ପ୍ଲାଟଫର୍ମରେ କୁଲି କାମ କରୁଥିବା ନାଗେସୁ ବୋଝକୁ ବୋହିବା ଭିତରେ ବହି ସହ ପୁଣି ବନ୍ଧୁତା ବାନ୍ଧିଥିଲେ । ୨୦୧୨ରେ ମାଟ୍ରିକ । ଆଉ ତା ପରେ ପରେ ପ୍ଲସ ଟୁ-ପ୍ଲସ୍ ଥ୍ରୀ ପାସ୍ କରି, ପିଜି ପଢିଥିଲେ ନାଗେସୁ । ହେଲେ ଏତିକିରେ ତାଙ୍କର ଏ ଯାତ୍ରା ଶେଷ ହେଇନଥିିଲା । ଗରିବ ପିଲାଙ୍କୁ ସାହାଯ୍ୟ କରିବା ଲାଗି ସେ ଖୋଲିଥିଲେ ଷ୍ଟୁଡେଂଟ ଏକାଡେମୀ । ଯେଉଁଠି ଆଜି ବି ସେ ୫୦ରୁ ୫୫ ପିଲାଙ୍କ କ୍ୟାରିୟର ଗଢୁଛନ୍ତି ।

ପେଟ ପାଇଁ ଜୀବନର ପ୍ଲାଟଫର୍ମରେ କୁଲି ବନିଥିବା ନାଗେସୁ । ୟା ଭିତରେ ଅନେକ ବୋଝ ବୋହିସାରିଲେଣି । ୩୫ ନମ୍ବରର ପରିଚୟରେ ଅନେକ ଦିନ କାଟି ସାରିଲେଣି । ଟ୍ରେନକୁ ଅପେକ୍ଷା କରି ନାଗେସୁ ରାତି ରାତି ଅନିଦ୍ରା ରହିଛନ୍ତି ସତ, ହେଲେ ଶୋଉନଥିବା ଏ ଆଖି ଦୁଇଟା କେତେ ଯେ ସ୍ୱପ୍ନ ସାଇତା ହେଇ ରହିଛି ତା ସେ ହିଁ କହିପାରିବେ ।