କଥା ବୁଲାଇଲା କେନ୍ଦ୍ର ! ପୁରୁଣା ଟଙ୍କାରେ ନୂଆ ଯୋଜନା ପାଇଁ ଲେଖିଲା ଚିଠି । 

49
କନକ ବ୍ୟୁରୋ : କଥା ବୁଲାଇଲା କେନ୍ଦ୍ର । ପୁରୁଣା ଟଙ୍କାରେ ନୁଆ ଯୋଜନା କାର୍ଯ୍ୟକାରୀ କରିବାକୁ କେନ୍ଦ୍ର ଖଣି ମନ୍ତ୍ରାଳୟ ଚିଠି ଲେଖିବା ପରେ ଏଭଳି ଅଭିଯୋଗ ଆଣିଛି ବିଜେଡି । ଓଡିଶାରୁ ସାମିଲ ୧୦ଟି ଆକାଂକ୍ଷୀ ଜିଲାରେ ଡିଷ୍ଟିଟ୍ ମିନେରାଲ୍ ଫାଉଣ୍ଡେସନ୍ ପାଂଠି ଖର୍ଚ୍ଚ କରିବାକୁ ଚିଠିରେ ଲେଖାଯାଇଛି । ତେଣୁ ଏସବୁ ଜିଲ୍ଲାରେ ବିକାଶ ପାଇଁ କୌଣସି ସ୍ୱତନ୍ତ୍ର ଅନୁଦାନ ଦିଆଯି୍ବ ନାହିଁ ବୋଲି ଏକଥା ଏକପ୍ରକାର ସ୍ପଷ୍ଟ ହୋଇଯାଇଛି । ତେବେ ରାଜ୍ୟ ଅର୍ଥରେ କେନ୍ଦ୍ରୀୟ ଯୋଜନାକୁ କାର୍ଯ୍ୟକାରୀ କରି ବିଜେପି ବାହା ବାହା ନେବାକୁ ଚାହୁଁଥିବା କହିଛି ବିଜେଡି । କେନ୍ଦ୍ର-ରାଜ୍ୟ ଟଣାଓଟରା ଭିତରେ ମୋଦି ସରକାରଙ୍କ ୧୧୫ ଟିକିଆ ଆକାଂକ୍ଷୀ ଜିଲ୍ଲା ଯୋଜନାରେ ସାମିଲ ହେଲା ଓଡିଶାର ୧୦ ଜିଲ୍ଲା । ଏସବୁ ଜିଲ୍ଲାର ବିକାଶ ପାଇଁ ସ୍ୱତନ୍ତ୍ର ଅନୁଦାନ ଆସିବ ବୋଲି ପ୍ରଚାର କଲେ ବିଜେପି ନେତା ।
ହେଲେ ଅସଲ ବେଳକୁ କଥା ବୁଲାଇଦେଇଛି କେନ୍ଦ୍ର । କେନ୍ଦ୍ର ସରକାରଙ୍କ ଖଣି ମନ୍ତ୍ରାଳୟ ଦେଇଥିବା ଚିଠିରେ କୁହାଯାଇଛି, ଆକାଂକ୍ଷୀ ଜିଲ୍ଲା ଯୋଜନାରେ ସାମିଲ ୧୦ ଜିଲ୍ଲାର ବିକାଶ ପାଇଁ ଡିଷ୍ଟ୍ରିକ୍ଟ ମିନେରାଲ ଫଣ୍ଡ ବା ଡିଏମଏଫ ପାଣ୍ଠିରେ ଥିବା ଟଙ୍କା ଖର୍ଚ୍ଚ କର । ଅର୍ଥାତ ଆସ୍ପିରେସନାଲ ଡିଷ୍ଟ୍ରିକ୍ଟ ବା ଆକାଂକ୍ଷୀ ଜିଲ୍ଲା ପାଇଁ କୌଣସି ସ୍ୱତନ୍ତ୍ର ଅନୁଦାନ ଦିଆଯିବ ନାହିଁ ବୋଲି ସ୍ପଷ୍ଟ କରିଦେଇଛି କେନ୍ଦ୍ର । ଯାହାକୁ ନେଇ ଆରମ୍ଭ ହୋଇଛି ନୂଆ ବିବାଦ ।
ବଲାଙ୍ଗିର, ଢେଙ୍କାନାଳ, ଗଜପତି, କଳାହାଣ୍ଡି, କନ୍ଧମାଳ, କୋରାପୁଟ, ମାଲକାନାଗିରି, ନବରଙ୍ଗପୁର, ନୂଆପଡା ଓ ରାୟଗଡା  ଏହି ୧୦ଟି ଜିଲ୍ଲାକୁ ଆକାଂକ୍ଷୀ ଜିଲ୍ଲା ଯୋଜନାରେ ସାମିଲ କରିଛି ନୀତି ଆୟୋଗ । ପ୍ରଥମେ କେନ୍ଦ୍ର ୮ଟି ଜିଲ୍ଲାକୁ ଚୟନ କରିଥିବାରୁ ଅନେକ ବାଦବିବାଦ ଦେଖାଦେଇଥିଲା । ପରେ ଆଉ ଦୁଇଟି ଜିଲ୍ଲାକୁ ସାମିଲ କରାଗଲା । ଏବେ ପୁରୁଣା ଯୋଜନାରେ ଥିବା ଟଙ୍କାକୁ ବିନିଯୋଗ ପାଇଁ କହିବା କେନ୍ଦ୍ରର ଛଳନା ବୋଲି କହିଛି ବିଜେଡି । କେବଳ କେନ୍ଦ୍ରୀୟ ପ୍ରଭାରୀ ଅଫିସରଙ୍କୁ ନେଇ ଲୋକଙ୍କୁ ବିଭ୍ରାନ୍ତ କରିବା ପାଇଁ କେନ୍ଦ୍ରରେ ବିଜେପି ସରକାର ରାଜନୀତି କରୁଥିବା ଦଳ କହିଛି । ପ୍ରଧାନମନ୍ତ୍ରୀ ଖଣିଜ କ୍ଷେତ୍ର କଲ୍ୟାଣ ଯୋଜନା ଗାଇଡଲାଇନ ଅନୁସାରେ ଡିଏମଏଫ ପାଣ୍ଠିକୁ ବିନିଯୋଗ କରି ଆକାଂକ୍ଷୀ ଜିଲ୍ଲାଗୁଡିକର ବିକାଶ ପାଇଁ କୁହାଯାଇଛି । ତେବେ ପ୍ରଶ୍ନ ଉଠୁଛି..
– ପୁରୁଣା ଟଙ୍କାରେ ନୂଆ ଯୋଜନା ପଛରେ ବିଜେପିର ରାଜନୈତିକ ଉଦ୍ଦେଶ୍ୟ ରହିଛି କି?
– ରାଜ୍ୟ ସରକାରଙ୍କ ଟଙ୍କାରେ ବିକାଶ କାମ କରି ବାହାବାହା ନେବାକୁ ଚାହୁଁଛି କେନ୍ଦ୍ର?
– ବିକାଶ କାମର ତଦାରଖ ପାଇଁ କେନ୍ଦ୍ରୀୟ ପ୍ରଭାରୀ ଅଧିକାରୀ ନିଯୁକ୍ତି କେବଳ ପ୍ରହସନ କି?
– ଆଗକୁ ନିର୍ବାଚନ ଥିବାରୁ ଯୋଜନା ଘୋଷଣା କରି ଫାଇଦା ନେବାକୁ ଚାହୁଁଥିଲା ବିଜେପି?