କ୍ୟାମେରା ଦେଖିଲା ମର୍ଡର: ସାମ୍ନାକୁ ଆସିଲା ତିଗିରିଆରେ ଦୁଇ ଭାଇଙ୍କୁ ନୃଂଶସ ହତ୍ୟାର ସିସିଟିଭି ଫୁଟେଜ

275

କନକ ବ୍ୟୁରୋ: ଆଠଗଡ ତିଗିରିଆରେ ଦୁଇ ଭାଇଙ୍କୁ କିଭଳି ନୃଶଂସ ଭାବେ ହତ୍ୟା କରାଯାଇଥିଲା ସାମନାକୁ ଆସିଛି ତାର ସିସିଟିଭି ଫୁଟେଜ୍ । ଆଉ ଭିଡିଓରେ ସ୍ପଷ୍ଟ ଦେଖା ଯାଉଛି ଦୁବୃର୍ତମାନେ ଦୁଇ ଭାଇଙ୍କୁ ମାରଣାସ୍ତ୍ରରେ ହାଣି ପକାଇବା ପରେ କେମିତି ହତ୍ୟାକାଣ୍ଡକୁ ଦୁର୍ଘଟଣାର ରୂପ ଦେବା ପାଇଁ ଟ୍ରକ ଚଢ଼ାଇ ଦେଇଥିଲେ ।

ସିସିଟିଭିରେ କଏଦ ହୋଇଥିବା ଦୃଶ୍ୟ ହିଁ ବୟାନ କରୁଛି, ଶତ୍ରୁତା କେତେ ଭୟଙ୍କର ହୋଇପାରେ, କ୍ରୋଧ କେମିତି ଜଣଙ୍କୁ ଅତି ନୃଶଂସ ବନାଇ ଦେଇପାରେ । ଏ ହେଉଛି କଟକ ଆଠଗଡ଼ ତିଗିରିଆ ଥାନା ଭିରୁଡ଼ାରେ ୨ ଭାଇଙ୍କୁ ହତ୍ୟା କରାଯିବା ସମୟର ଦୃଶ୍ୟ । ଭିଡିଓରୁ ସ୍ପଷ୍ଟ ଜଣାପଡୁଛି, ଦୁଇ ଭାଇଙ୍କୁ ଦୁବୃର୍ତମାନେ ଅତି ନୃଶଂସ ଭାବେ ମାରଣାସ୍ତ୍ରରେ ଆକ୍ରମଣ କରୁଛନ୍ତି । ଆଉ ଆକ୍ରମଣର ଶିକାର ହୋଇ ଦୁଇ ଭାଇ ତଳେ ପଡିଯିବା ପରେ ପ୍ରମାଣ ନଷ୍ଟ କରିବା ପାଇଁ ଟ୍ରକ ଚଢ଼ାଇ ମାରି ଦେଉଛନ୍ତି ।

ଦୁଇ ଭାଇ ଶରତ ଦେହୁରୀ ଓ ଲକ୍ଷ୍ମଣ ଦେହୁରୀଙ୍କ ଉପରେ ଆକ୍ରମଣ କରିଥିଲେ ଦୁବୃର୍ତ । ସେମାନେ କିଛି ବୁଝିବା ପୂର୍ବରୁ ଅତର୍କିତ ଭାବେ ହାଣି ଚାଲିଥିଲେ । ତାପରେ ଏହାକୁ ଏକ ଦୁର୍ଘଟଣାର ରୂପ ଦେବା ପାଇଁ ସେମାନଙ୍କ ଉପରେ ଏକ ଟ୍ରକ ଚଢ଼ାଇ ଦେଇଥିଲେ । ଏବେ ସିସିଟିଭି ଫୁଟେଜ ମିଳିବା ପରେ ଏହାକୁ ଆଧାର କରି ତଦନ୍ତ ଚଳାଇଛି ପୋଲିସ । ଅନ୍ୟପଟେ ଏହି ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଜୀବନାନନ୍ଦ ମଲ୍ଲିକ ଓରଫ ଶୁକୁଟା ଆତ୍ମସମର୍ପଣ କରିଛି ।

ହେଲେ ସେ କହିଛି, ତାକୁ ଓ ତା ଭାଇକୁ ଆକ୍ରମଣ କରିବାରୁ ସେମାନେ ପ୍ରତିଆକ୍ରମଣ କରିଥିଲେ । ଅଭିଯୁକ୍ତର ବୟାନ ଓ ସିସିଟିଭି ଫୁଟେଜକୁ ଆଧାର କରି ଟ୍ରକଟିକୁ ଜବତ କରି ତଦନ୍ତ ଜାରି ରଖିଛି ପୋଲିସ । ଆଉ ପୂର୍ବଶତ୍ରୁତାରୁ ଏହି ହତ୍ୟାକାଣ୍ଡ ଘଟିଥିବା କୁହାଯାଉଛି ।