ସୋନପୁରରେ ସଡକ ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ଘଟଣା: ଲେଡି ଇନ୍ସପେକ୍ଟଙ୍କୁ ଧରିଲା ପୋଲିସ

1,442

କନକ ବ୍ୟୁରୋ: ସକାଳୁ ଦୁର୍ଘଟଣା ଘଟାଇ ଫେରାର ହୋଇଯାଇଥିବା ଲେଡି ଇନସ୍ପେକ୍ଟର ଧରା ପଡିଛନ୍ତି । ଇନସ୍ପେକ୍ଟର ସ୍ମିଗ୍ଧାରାଣୀ ସୁନା ଏବଂ ତାଙ୍କ ଡ୍ରାଇଭରଙ୍କୁ ବଲାଙ୍ଗିର ହାତୀସାଲପଡାରୁ ଧରିଛି ସୋନପୁର ପୋଲିସ । ଡ୍ରାଇଭରଙ୍କୁ ଗିରଫ କରାଯାଇଥିବା ପୋଲିସ କହିଛି । ପୁରୀରୁ ଡ୍ୟୁଟି ସାରି ଫେରୁଥିବାବେଳେ ଚାରା ବିକିବା ପାଇଁ ଯାଉଥିବା ଏକ ଅଟୋକୁ ଧକ୍କା ଦେଇଥିଲା ଲେଡି ପୋଲିସ ଇନସ୍ପେକ୍ଟରଙ୍କ କାର । ଦୁର୍ଘଟଣା ପରେ ଗାଡି ଛାଡି ଡ୍ରାଇଭରଙ୍କ ସହ ଫେରାର ମାରିଥିଲେ ଇନେସ୍ପେକ୍ଟର ସ୍ମିଗ୍ଧାରାଣୀ ସୁନା । ତାଙ୍କ କାର ଧକ୍କାରେ ୩ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୪ ଜଣ ଗୁରୁତର ଆହତ ହୋଇଛନ୍ତି ।

ସୁନ୍ଦରଗଡ଼ ପୋଲିସ୍ ହେଡକ୍ୱାର୍ଟରରେ କାର୍ଯ୍ୟରତ ଇନ୍ସପେକ୍ଟର ସ୍ନିଗ୍ଧାରାଣୀ ସୁନା । ସୋନପୁର ଖାରୀ ନିକଟରେ ଥାନା ଅଧିକାରୀଙ୍କ ଗାଡି ଏକ ଅଟୋକୁ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ତିନି ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଗୁରୁତର ହୋଇଛନ୍ତି । ଚାରା ବିକିବା ପାଇଁ ସୋନପୁର ରାଘବପାଲିିରୁ ଅଟୋ ଯୋଗେ ଯାଉଥିବା ସମୟରେ ସୋନପୁର ପଟୁ ଆସୁଥିବା କାର ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଧକ୍କା ଦେଇଥିବା କାରରୁ ଏକ ପୋଲିସ ପୋଷାକ ମିଳିଥିଲା । ଯେଉଁଥିରେ ସ୍ନିଗ୍ଧାରାଣୀ ସୁନାଙ୍କ ନାଁ ଲେଖା ହୋଇଥିଲା । ଦୁର୍ଘଟଣା ପରେ ଭୟରେ ଇନ୍ସପେକ୍ଟର ସ୍ନିଗ୍ଧାରାଣୀ ସୁନା ଗାଡି ଛାଡି ଫେରାର ହୋଇଯାଇଛନ୍ତି । ସେପଟେ ସୋନପୁର ଏସ୍ପି କହିଛନ୍ତି, ସ୍ନିଗ୍ଧାରାଣୀ ପୁରୀରୁ ଡ୍ୟୁଟି ସାରି ଫେରୁଥିଲେ । ଗାଡିକୁ ଥାନା ଅଧିକାରୀଙ୍କ ଡ୍ରାଇଭର ଚଲାଉଥିଲେ । ଘଟଣା ନେଇ ସ୍ନିଗ୍ଧାରାଣୀ ସୁନାଙ୍କ ପୋଷ୍ଟିଂ ଅଥରିଟିଙ୍କୁ ଜଣାଇ ଦିଆଯାଇଛି । ଖୁବ୍ ଶୀଘ୍ର ଡ୍ରାଇଭରଙ୍କୁ ଗିରଫ କରାଯିବ ବୋଲି ସୋନପୁର ଏସ୍ପି କହିଛନ୍ତି । ପୋଲିସ୍ ନିଜ ପକ୍ଷରୁ ସୋନପୁର ଥାନାରେ ଏକ ମାମଲା ରୁଜୁ କରିଛି ।

ତେବେ କିଛି ପ୍ରଶ୍ନର ଉତର ଖୋଜିବା ଏବେ ଜରୁରୀ ହୋଇପଡ଼ିଛି…
– କାହିଁକି ଫେରାର ହୋଇଗଲେ ଥାନା ଅଧିକାରୀ ସ୍ନିଗ୍ଧାରାଣୀ ସୁନା?
– ଯଦି ସେ ଗାଡି ଚଲାଉନଥିଲେ, ତେବେ ଏତେ ଭୟ କାହିଁକି?
– ପୋଲିସ ଅଧିକାରୀଙ୍କ ଅଭିଜ୍ଞ ଡ୍ରାଇଭର ଏପରି ଦୁର୍ଘଟଣା ଘଟାଇଲେ କିପରି?
– ଗାଡିରୁ ପୋଲିସ ପୋଷାକ ମିଳିନଥିଲେ ସ୍ନିଗ୍ଧାଙ୍କ ସଂପର୍କରେ ଜଣାପଡ଼ିଥାନ୍ତା କି?
– ଡ୍ରାଇଭରଙ୍କୁ ବଂଚାଇବା ପାଇଁ କାହିଁକି ଚେଷ୍ଟା କରୁଛନ୍ତି ସ୍ନିଗ୍ଧାରାଣୀ?
– ପୁରୀରୁ ଫେରୁଥିବାରୁ ଗାଡି ଚଳାଇବା ବେଳେ ଡ୍ରାଇଭରଙ୍କ ଆଖି ଲାଗି ଯାଇଥିଲା କି?