ବାହାନଗାରେ ସିବିଆଇର ସ୍ୱତନ୍ତ୍ର ଟିମ । ଆଜି ପୁଣି ଦୁର୍ଘଟଣାସ୍ଥଳକୁ ଯାଇ କରିବେ ତଦନ୍ତ

516

କନକ ବ୍ୟୁରୋ : ବାଲେଶ୍ୱର ବାହାନଗା ଟ୍ରେନ ଦୁର୍ଘଟଣାର ଆରମ୍ଭ ହୋଇଛି ସିବିଆଇ ତଦନ୍ତ । ସିବିଆଇର ୧୦ଜଣିଆ ଟିମ ଘଟଣାସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଛନ୍ତି । ଆଜି ସକାଳେ ପୁଣି ଏହି ଟିମ୍ ଘଟଣାସ୍ଥଳ ପରିଦର୍ଶନ କରିବ । ବାହାନଗା ରେଳ ଦୁର୍ଘଟଣାରେ ସିବିଆଇ ତଦନ୍ତ ସୁପାରିଶ କରାଯାଇଥିଲା । ଏହା ପରେ ଏକ ଟିମ୍ ଘଟଣାସ୍ଥଳରେ ପହଂଚିଛି । ଘଟଣାର ପ୍ରାଥମିକ ଯାଂଚ ଆରମ୍ଭ କରିଛନ୍ତି ସିବିଆଇ ଅଧିକାରୀ । କେଉଁ ପରିସ୍ଥିତିରେ ଏପରି ଏକ ବଡ଼ ଦୁର୍ଘଟଣା ଘଟିଲା? ଏହି ଦୁର୍ଘଟଣା ପଛରେ କୌଣସି ଅପରାଧିକ ଷଡଯନ୍ତ୍ର ରହିଛି କି? ସିବିଆଇ ଅଧିକାରୀମାନେ ଏସବୁର ଯାଞ୍ଚ କରିବେ । ପ୍ରାଥମିକ ଅନୁସନ୍ଧାନ ପରେ ସିବିଆଇ ମାମଲା ରୁଜୁ କରିବ ବୋଲି ଜଣାପଡ଼ିଛି ।

ସେପଟେ ରେଳବାଇ ନିରାପତା ଆୟୋଗର ମୁଖ୍ୟ ଶୈଳେଶ ପାଠକ ମଧ୍ୟ ଦୁର୍ଘଟଣାସ୍ଥଳରେ ପହଂଚି ଖୋଳତାଡ ଆରମ୍ଭ କରିଛନ୍ତି । ବାହାନଗା ଷ୍ଟେସନ୍ କଂଟ୍ରୋଲ ରୁମ୍ ଓ ସିଗନାଲ ରୁମକୁ ଯାଇ ତଦନ୍ତ କରିଛନ୍ତି । ପରେ ଷ୍ଟେସନ୍ ମାଷ୍ଟର, ସୁରକ୍ଷା ଏବଂ ଯାନ୍ତ୍ରିକ ତ୍ରୁଟି ପ୍ରସଙ୍ଗରେ ଉଚ୍ଚପଦସ୍ଥ ଅଧିକାରୀଙ୍କୁ ପଚରାଉଚରା କରିଛନ୍ତି । ଶୀଘ୍ର ସେ ରିପୋର୍ଟ ଦେବେ, ତଦନ୍ତ ରିପୋର୍ଟ ଅନୁସାରେ ଦୋଷୀ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ।