ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ କେସିଆରଙ୍କ ଝିଅ କବିତାଙ୍କ ପାଇଁ ବଢିଲା ଅଡୁଆ, ଆଜି ଜେରା କରିବ ସିବିଆଇ

86

କନକ ବ୍ୟୁରୋ : ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଆଜି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ସିବିଆଇ ପକ୍ଷରୁ ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ କେ,ଚନ୍ଦ୍ରଶେଖର ରାଓଙ୍କ ଝିଅ କବିତାଙ୍କୁ ଜେରା କରିବ । ଏନେଇ କବିତାଙ୍କ ବାସଭବନ ନିକଟରେ ସୁରକ୍ଷା କଡାକଡି କରାଯାଇଛି । ପୋଲିସ ପକ୍ଷରୁ କବିତାଙ୍କ ବାସଭବନ ଆଗରେ ବ୍ୟାରିକେଟ ଲଗାଇଛି ।

ସେପଟେ କବିତା ଏହା ପୂର୍ବରୁ କହିଥିଲେ କି ସେ ଏହି ମାମଲାରେ ସିବିଆଇକୁ ସହଯୋଗ କରିବେ । ହାଇଦ୍ରାବାଦର ବଞ୍ଜାରା ଠାରେ ଥିବା କବିତାଙ୍କ ବାସଭବନରେ ତାଙ୍କୁ ସିବିଆଇ ଜେରା କରିବ ବୋଲି ଜଣାପଡିଛି । ଅନ୍ୟପଟେ ଗତକାଲି କବିତାଙ୍କ ବାସଭବନ ଆଗରେ ଏକ ପୋଷ୍ଟର ଦେଖିବାକୁ ମିଳିଥିଲା । ଯେଉଁଥିରେ କବିତା ସିବିଆଇ ଜେରାକୁ ଭୟ କରୁନଥିବା କଥା ଲେଖାଯାଇଥିଲା ।

ସୂଚନା ଥାଉକି ଦିଲ୍ଲୀରେ ନୂଆ ଅବକାରୀ ନୀତି ପ୍ରଚଳନ କରି କେଜ୍ରିୱାଲ ସରକାର କୋଟି କୋଟି ଟଙ୍କା ଦୁର୍ନୀତି କରିଥିବା ପ୍ରଥମେ ଦିଲ୍ଲୀ ଉପ ରାଜ୍ୟପାଳ ଅଭିଯୋଗ ଆଣିଥିଲେ । ଏହି ମାମଲାର ସିବିଆଇ ଯାଂଚ ହେଉ ବୋଲି ସେ ଆବେଦନ କରିଥିଲେ । ଏହାପରେ ଏହି ମାମଲାରେ ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ସମେତ ଅନେକ ଲୋକଙ୍କ ନାମ ଉଠିଥିଲା । ହେଲେ ସିବିଆଇ ତରଫରୁ କୋର୍ଟରେ ଦାଖଲ କରାଯାଇଥିବା ଚାର୍ଜସିଟରେ ମନୀଷ ସିସୋଦିଆଙ୍କ ନାମ ନଥିବାରୁ ଏହାକୁ ନେଇ ଆମ୍ ଆଦମୀ ପାର୍ଟି ବିଜେପିକୁ ଟାର୍ଗେଟ କରିଥିଲା ।