ଅକ୍ଷୟ ପରିଜାଙ୍କ ବିରୋଧରେ କାଷ୍ଟିଂ କାଉଚ୍ ଅଭିଯୋଗ ନେଇ ବଢୁଛି ରହସ୍ୟ । ଅଭିଯୋଗ ଆଣିଥିବା ଯୁବତୀ ନୀରବ, ଆଗଉନି ପୋଲିସର ତଦନ୍ତ ।

121

କନକ ବ୍ୟୁରୋ: କାଷ୍ଟିଂ କାଉଚ୍ ବା ଅଭିନୟ ପାଇଁ ପ୍ରଲୋଭନ ଦେଖାଇ, ଓଡିଆ ଫିଲ୍ମରେ ଯୁବତୀଙ୍କୁ ଯୌନ ଶୋଷଣ କରିବା ବିବାଦରେ ପୁଣି ଛନ୍ଦି ହୋଇଛି ଓଡିଆ ଇଣ୍ଡଷ୍ଟ୍ରୀ । ପ୍ରତିଷ୍ଠିତ ପ୍ରଯୋଜକ ଅକ୍ଷୟ ପରିଜାଙ୍କ ବିରୋଧରେ ଯୌନ ଅଭିଯୋଗ ଆଣିଥିବା ଯୁବତୀ ସାମନାକୁ ନଆସି ନୀରବ ରହିଛନ୍ତି । ତେବେ ଯୁବତୀ ଜଣଙ୍କ କାହିଁକି ସାମନାକୁ ଆସୁନାହାଁନ୍ତି, ତାହାକୁ ନେଇ ସନ୍ଦେହ ବଢିବାରେ ଲାଗିଛି । ସେପଟେ ଅକ୍ଷୟ ପରିଜା ପାଲଟା ଅଭିଯୋଗ କରିଥିଲେ ବି ପୋଲିସର ତଦନ୍ତ ବିଶେଷ ଆଗଉ ନଥିବା ଜଣାପଡିଛି ।

ଅସ୍ତିତ୍ୱ ଜାହିର ପାଇଁ ଓଲିଉଡ୍ ସଂଘର୍ଷ କରୁଥିବା ବେଳେ ଅକ୍ଷୟ ପରିଜାଙ୍କ ଭଳି ପ୍ରତିଷ୍ଠିତ ପ୍ରଯୋଜକଙ୍କ ବିରୋଧରେ କାଷ୍ଟିଂ କାଉଚ ଅଭିଯୋଗ, ଅନେକ ପ୍ରଶ୍ନ ସୃଷ୍ଟି କରିଛି । ଅନ୍ତରଙ୍ଗ ମୁହୂର୍ତ୍ତର ଗୋଟିଏ ପରେ ଗୋଟିଏ ଫଟୋ ଭାଇରାଲ୍ ହେବାରେ ଲାଗିଛି । କିଏ ଏହି ଫଟୋ ଭାଇରାଲ କରୁଛି, ତାହା ଜଣା ପଡିନାହିଁ । ଗୋଟିଏ ପଟେ ଅକ୍ଷୟ ପରିଜାଙ୍କ ବିରୋଧରେ ଯୌନ ଶୋଷଣ ଆଣିଥିବା ଯୁବତୀ ଜଣଙ୍କ ସାମନାକୁ ନଆସି ନୀରବ ରହିଛନ୍ତି । ଅନ୍ୟପଟେ ଅକ୍ଷୟ ପରିଜା ତାଙ୍କୁ ବ୍ଲାକମେଲିଂ କରାଯାଉଥିବା ନେଇ ପାଲଟା ଅଭିଯୋଗ କରିଥିଲେ ବି ପୋଲିସର ତଦନ୍ତ ବିଶେଷ ଅଗ୍ରଗତି କରିନଥିବା ସୂଚନା ମିଳିଛି । ଏପଟେ ସିନେ ସମୀକ୍ଷକ ଦିଲ୍ଲୀପ ହାଲି କହିଛନ୍ତି, ଓଡ଼ିଆ ଫିଲ୍ମରେ କାଷ୍ଟିଂ କାଉଚ୍ କିଛି ନୂଆ କଥା ନୁହେଁ । ତେବେ ଅନେକ ସମୟରେ ବଡ଼ ପଣ୍ଡାମାନେ ଏଥିରୁ ଖସି ଯାଆନ୍ତି ।

କାଷ୍ଟିଂ କାଉଚ୍, ଏହାର ଅର୍ଥ ହେଉଛି ଅଭିନୟ ପାଇଁ ପ୍ରଲୋଭନ ଦେଖାଇ ଯୌନ ଶୋଷଣ । ହଲିଉଡ୍ ଠାରୁ ବଲିଉଡ୍ ପର୍ଯ୍ୟନ୍ତ ଅନେକ ସମୟରେ ଏପରି ଅଭିଯୋଗ ହୋଇ ଆସୁଛି । ତେବେ ଅକ୍ଷୟ ପରିଜାଙ୍କ ବିରୋଧରେ କାଷ୍ଟିଂ କାଉଚ୍ ଅଭିଯୋଗ, ଓଲିଉଡ୍ରେ ହଲଚଲ୍ ସୃଷ୍ଟି କରିଛି । ପ୍ରଶ୍ନ, ଏହା କାଷ୍ଟିଂ କାଉଚ ନା ପ୍ରଯୋଜକଙ୍କୁ ବ୍ଲାକ ମେଲିଂ । ଅଭିନେତ୍ରୀ ବିଦୁସ୍ମିତା କହିଛନ୍ତି, ଉଚ୍ଚାଭିଳାଷ ରଖି ଯେଉଁମାନେ ସିନେମା ଇଣ୍ଡଷ୍ଟ୍ରୀକୁ ଆସିଥାନ୍ତି, ସେମାନେ ସହଜରେ କାଷ୍ଟିଂ କାଉଚରେ ଟ୍ରାପ୍ ହୋଇଯାଆନ୍ତି ।

  • ଓଲିଉଡରେ ଚାଲିଛି କି କାଷ୍ଟିଂ କାଉଚ୍?
  • ଅଭିନୟ ପାଇଁ ପ୍ରତିଶ୍ରୁତି ଦେଇ ହେଉଛି କି ଯୌନଶୋଷଣ?
  • ସତ ପଦାକୁ ଆସିବ ନା ମାମଲାକୁ ଚାପି ଦିଆଯିବ?

ପୂର୍ବରୁ ଏପରି ଅନେକ ଅଭିଯୋଗର ସତ ସାମନାକୁ ଆସି ପାରିନାହିଁ । କେତେବେଳେ ପରଦା ଆଢୁଆଳରେ ବୁଝାମଣା ହୋଇ ଯାଇଛି ତ କେତେବେଳେ ଅଭିଯୋଗ ଆଣୁଥିବା ଅଭିନେତ୍ରୀଙ୍କ ପାଟି ଚୁପ୍ କରିବାରେ ସଫଳ ହୋଇଥାଆନ୍ତି ପ୍ରଭାବଶାଳୀ । ଏବେ ପ୍ରଶ୍ନ ଉଠୁଛି, ଅକ୍ଷୟ ପରିଜାଙ୍କ ବିରୋଧରେ ହୋଇଥିବା କାଷ୍ଟିଂ କାଉଚ୍ ଅଭିଯୋଗର ସତ ସାମନାକୁ ଆସିବ ନା କେବଳ ଏହା ଅଭିଯୋଗ ହୋଇ ରହିଯିବ ।