ପ୍ରଧାନମନ୍ତ୍ରୀ ଡାକିଲେ ମନ୍ତ୍ରୀ ପରିଷଦ ବୈଠକ : ଜୋର ଧରିଲା ମନ୍ତ୍ରିମଣ୍ଡଳ ଅଦଳବଦଳ ଚର୍ଚ୍ଚା

207

କନକ ବ୍ୟୁରୋ : ୨୦୨୪ ନିର୍ବାଚନ ପ୍ରସ୍ତୁତି । ସଂଗଠନ ଠାରୁ ମନ୍ତ୍ରିମଣ୍ଡଳରେ ହୋଇପାରେ ଅଦଳବଦଳ । ଏଥିପାଇଁ କେନ୍ଦ୍ରର ଶାସକ ଦଳ ବିଜେପି ଜୋରଦାର ପ୍ରସ୍ତୁତି ଚଳାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ୩ ତାରିଖରେ ମନ୍ତ୍ରିପରିଷଦ ବୈଠକ ଡାକିଛନ୍ତି । ଏହାପରେ କେନ୍ଦ୍ର କ୍ୟାବିନେଟରେ ଅଦଳବଦଳ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।

ଲୋକସଭା ନିର୍ବାଚନକୁ ଆଉ ବର୍ଷେରୁ କମ୍ ସମୟ ବାକି ରହିଛି । ଏହାପୂର୍ବରୁ ଅନେକ ରାଜ୍ୟରେ ନିର୍ବାଚନ ହେବାର ଅଛି । ବୁଧବାର ବିଳମ୍ବିତ ରାତିରେ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଦୀର୍ଘ ସମୟ ଧରି ସଂଗଠନ ପ୍ରସଙ୍ଗରେ ଆଲୋଚନା ହୋଇଥିବା ସୂଚନା ରହିଛି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଏବଂ ଦଳର ସାଧାରଣ ସମ୍ପାଦକ (ସଂଗଠନ) ବିଏଲ୍ ସନ୍ତୋଷଙ୍କ ସମେତ ବିଜେପିର ଶୀର୍ଷ ନେତାମାନେ ଏହି ବୈଠକରେ ଯୋଗ ଦେଇଥିଲେ ।

ଏହା ପରେ ମନ୍ତ୍ରୀମଣ୍ଡଳ ଅଦଳବଦଳ ନେଇ କ୍ଷମତାର କରିଡରରେ ଚର୍ଚ୍ଚା ଆରମ୍ଭ ହୋଇଛି । ଜୁଲାଇ ୩ ତାରିଖରେ ପ୍ରଗତି ମଇଦାନରେ ନବନିର୍ମିତ କନଭେନସନ ସେଂଟରରେ ବୈଠକ ଅନୁଷ୍ଠିତ ହେବାର ସମ୍ଭାବନା ରହିଛି । ସଂସଦର ମୌସୁମୀ ଅଧିବେଶନର କିଛି ଦିନ ପୂର୍ବରୁ ମନ୍ତ୍ରିମଣ୍ଡଳର ବୈଠକ ବସିଛି । ଜୁଲାଇ ତୃତୀୟ ସପ୍ତାହରୁ ମୌସୁମୀ ଅଧିବେଶନ ଆରମ୍ଭ ହେବାର ସମ୍ଭାବନା ରହିଛି । କେନ୍ଦ୍ର କ୍ୟାବିନେଟରୁ କିଛି ମନ୍ତ୍ରୀଙ୍କୁ ବିଜେପି ସଂଗଠନକୁ ଅଣାଯିବାର ସମ୍ଭାବନା ରହିଛି ।