ବଢ଼ିଲା ବେସରକାରୀ କଲେଜ କର୍ମଚାରୀଙ୍କ ଦରମା । ଗ୍ରାଣ୍ଟ-ଇନ-ଏଡ୍ ବୃଦ୍ଧିକୁ କ୍ୟାବିନେଟର ମୋହର

1,104

କନକ ବ୍ୟୁରୋ: ରାଜ୍ୟର ଅନୁଦାନପ୍ରାପ୍ତ ବେସରକାରୀ କଲେଜ କର୍ମଚାରୀଙ୍କୁ ବଡ ଭେଟି ଦେଇଛନ୍ତି ରାଜ୍ୟ ସରକାର । ଅନୁଦାନପ୍ରାପ୍ତ ବେସରକାରୀ କଲେଜରେ କାର୍ଯ୍ୟ କରୁଥିବା ରାଜ୍ୟର ହଜାର ହଜାର କର୍ମଚାରୀଙ୍କ ଗ୍ରାଣ୍ଟ-ଇନ-ଏଡକୁ ବୃଦ୍ଧି ପ୍ରସ୍ତାବ ଉପରେ ମୋହର ମାରିଛି ରାଜ୍ୟ କ୍ୟାବିନେଟ୍ । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ରାଜ୍ୟ କ୍ୟାବିନେଟ ବୈଠକରେ ଗ୍ରାଣ୍ଟ-ଇନ୍-ଏଡ୍ ବୃଦ୍ଧି ଉପରେ ମୋହର ବାଜିଛି । କ୍ୟାବିନେଟର ଅନୁମୋଦନ ଅନୁସାରେ, ଯେଉଁ କର୍ମଚାରୀମାନେ ୨୦୦୮ ନିୟମ ଅନୁସାରେ ଦରମା ପାଇ ଆସୁଥିଲେ, ସେମାନେ ଏଣିକି ୨୦୧୭ ନିୟମ ଅନୁସାରେ ଦରମା ପାଇବେ । ଅର୍ଥାତ ସପ୍ତମ ବେତନ କମିଶନ ହାରରେ ସେମାନେ ଏଣିକି ଦରମା ପାଇବେ ।

ସପ୍ତମ ବେତନ ହାର ଅନୁସାରେ ସେମାନେ ଗତବର୍ଷ ଜାନୁଆରୀରୁ ପିଛିଲା ଭାବେ ବର୍ଦ୍ଧିତ ଦରମା ପାଇବେ । ଏହାଦ୍ୱାରା ସରକାରଙ୍କ ଉପରେ ୨୯୦ କୋଟି ଟଙ୍କାର ଅଧିକ ବୋଝ ପଡିବ । ସରକାରଙ୍କ ଏହି ନିଷ୍ପତି ଦ୍ୱାରା ୧୫ ହଜାର ୭୭୧ କର୍ମଚାରୀ ଉପକୃତ ହେବେ । ଏଥିପାଇଁ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି ୪୮୮ବର୍ଗ କଲେଜ କର୍ମଚାରୀ ସଂଘ । ତେବେ ଗ୍ରାଣ୍ଟ-ଇନ୍-ଏଡ୍ ବୃଦ୍ଧିରୁ ବାଦ ପଡିଥିବା ୬୬୨ ବର୍ଗର କଲେଜ କର୍ମଚାରୀଙ୍କ ପକ୍ଷରୁ ସରକାରଙ୍କ ନିଷ୍ପତିକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି । ସରକାରଙ୍କ ପାତରଅନ୍ତର ନୀତି ବିରୋଧରେ ଆଗାମୀ ଦିନରେ ଆନ୍ଦୋଳନ କରାଯିବ ବୋଲି ଚେତାବନା ଦେଇଛି ସଂଘ ।

ସୂଚନାଯୋଗ୍ୟ ଯେ, ରାଜ୍ୟ କ୍ୟାବିନେଟ ବୈଠକରେ ମୋଟ ୧୨ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି । ଯେଉଁଥିରେ ରହିଛି, ଓବିସି କମିଶନ ଆଇନ ସଂଶୋଧନ, ଓଡିଶା ଖାଦ୍ୟ ପରୀକ୍ଷାଗାର କର୍ମଚାରୀ ନିଯୁକ୍ତି ଅଧିନିୟମ ସଂଶୋଧନ ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ।