ଭିସେରା ରିପୋର୍ଟରେ ଚାଞ୍ଚଲ୍ୟକର ତଥ୍ୟ । ଡାକ୍ତର ଶୁଭଶ୍ରୀଙ୍କ ମୃତ୍ୟୁ ମାମଲାରେ ନୂଆ ଟୁଇଷ୍ଟ । ୭ ଜଣଙ୍କ ବିରୋଧରେ ଥାନାରେ ଏତଲା

185

କନକ ବ୍ୟୁରୋ: ଡାକ୍ତର ଶୁଭଶ୍ରୀ କରଙ୍କ ଭିସେରା ରିପୋର୍ଟ ଆସିବା ପରେ, ମାମଲା ନୂଆ ମୋଡ ନେଇଛି । ଝିଅର ମୃତ୍ୟୁ ପରେ ବେଶ୍ ମାପିଚୁପି ମନ୍ତବ୍ୟ ଦେଉଥିବା ଶୁଭଶ୍ରୀଙ୍କ ବାପା ଏବେ ତାଙ୍କ ମୃତ୍ୟୁକୁ ଅପ୍ରାକୃତିକ କହିବା ସହ ୭ଜଣଙ୍କ ବିରୋଧରେ ଯୋଡା ଥାନାରେ ଏତଲା ଦେଇଛନ୍ତି ।

ସେ କହିଛନ୍ତି, ଶୁଭଶ୍ରୀଙ୍କ ମୃତ୍ୟୁ ପାଇଁ ପୁରୁଷ ବନ୍ଧୁ ଡାକ୍ତର ଦିବ୍ୟରଞ୍ଜନ ମୁଖ୍ୟ ଅଭିଯୁକ୍ତ । ଦିବ୍ୟରଞ୍ଜନ ଅନ୍ୟ କେଉଁଠି ବିବାହ କରିବାକୁ ଯୋଜନା କରୁଥିଲେ । ତେଣୁ ଶୁଭଶ୍ରୀଙ୍କୁ ରାସ୍ତାରୁ ହଟାଇବାକୁ ଯୋଜନା କରି ଷଡଯନ୍ତ୍ର କରିଥିଲେ ଦିବ୍ୟରଞ୍ଜନ । ଏଥିସହ ଶୁଭଶ୍ରୀଙ୍କ ବେଡ୍ ଉପରୁ ପୁଲିସ ଟିମକୁ ଏକ ବଟଲ ମିଳିଥିଲା । ସେହି ବଟଲରେ ଧଳାରଙ୍ଗର କିଛି ପାଉଡର ଥିବା ଜଣାପଡିଥିଲା । କିନ୍ତୁ ସେହି ବଟଲରେ କଣ ଥିଲା ତାହା ଏଯାବତ ପୋଲିସ କାହିଁକି ତଦନ୍ତ ପରିସରଭୁକ୍ତ କରିନାହିଁ ତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ।

  • ଭିସେରା ରିପୋର୍ଟରେ ଚାଞ୍ଚଲ୍ୟକର ତଥ୍ୟ
  • ମଦ ଓ ନିଶା ଔଷଧ ନମୁନା ମିଳିଥିବା ଉଲ୍ଲେଖ

କେନ୍ଦୁଝର ଯୋଡା ସହରାଞ୍ଚଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ଶୁଭଶ୍ରୀ କରଙ୍କ ସନ୍ଦେହଜନକ ମୃତ୍ୟୁର ଭିସେରା ରିପୋର୍ଟ ଆସିଛି । ଭିସେରା ରିପୋର୍ଟରେ ମୃତ ଶୁଭଶ୍ରୀଙ୍କ ଶରୀରରୁ ଆଲକହଲ ବା ମଦ ଓ ନିଶା ଔଷଧ ନମୁନା ମିଳିଥିବା ରିପୋର୍ଟରେ ଉଲ୍ଲେଖ ରହିଛି । ତେବେ ଡିସେମ୍ବର ୩୧ରେ ଡାକ୍ତରଖାନାରେ ହୋଇଥିବା ଭୋଜିକୁ ମଦ ଆସିନଥିବାବେଳେ, ଶୁଭଶ୍ରୀଙ୍କ ରୁମରୁ କୌଣସି ମଦ ବୋତଲ ଜବତ ହୋଇନଥିବାବେଳେ ତାଙ୍କ ଶରୀରରୁ କେମିତି ମଦର ନମୁନା ମିଳିଲା ସେ ନେଇ ପ୍ରଶ୍ନ ଉଠାଇଛନ୍ତି ତାଙ୍କ ବାପା । ଏଥିସହ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି ।

ଡିସେମ୍ବର ୩୧ ତାରିଖରେ ଶୁଭଶ୍ରୀ ନିଜ ସହକର୍ମୀଙ୍କ ସହ ଜିରୋ ନାଇଟ୍ ସେଲିବ୍ରେସନ କରିଥିଲେ । ଜିରୋନାଇଟ୍ ସେଲିବ୍ରେସନ ବେଳେ ସେ ବହୁତ ନାଚିଥିଲେ । ସେହି ସମୟରେ ସେ ବେଶ୍ ଖୁସି ଥିବା ଜଣାପଡୁଥିଲେ । ହେଲେ ଜିରୋନାଇଟ୍ ସେଲିବ୍ରେସନର କିଛି ଘଣ୍ଟା ପରେ, ଜାନୁଆରୀ ୧ ରେ ହସ୍ପିଟାଲର ଉପର ମହଲାର ଏକ କୋଠରୀରୁ ଶୁଭଶ୍ରୀଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ତେବେ ତାଙ୍କ ମୃତ୍ୟୁର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନି ।