ହାଇକୋର୍ଟରେ ବାର୍ଦ୍ଧକ୍ୟ ଭତ୍ତା ବୃଦ୍ଧି ମାମଲା । ଉଚିତ ପଦକ୍ଷେପ ନେବାକୁ ସରକାରଙ୍କୁ ନିର୍ଦ୍ଦେଶ ।

174

କନକ ବ୍ୟୁରୋ: ବାର୍ଦ୍ଧକ୍ୟ ସମୟରେ ଆର୍ଥିକ ସୁବିଧା ଯୋଗାଇ ଦେବାକୁ ରାଜ୍ୟ ସରକାର ମଧୁବାବୁ ପେନସନ ଯୋଜନା ଚଳାଇଛନ୍ତି । ହେଲେ ଏଥିରେ ମିଳୁଥିବା ଆର୍ଥିକ ସହାୟତା, ଲୋକଙ୍କ ସର୍ବନିମ୍ନ ଆବଶ୍ୟକତା ମେଣ୍ଟାଇ ପାରୁ ନାହିଁ । ତେଣୁ ବାର୍ଦ୍ଧ୍ୟକ ଭତ୍ତା ବୃଦ୍ଧି କରିବା ପାଇଁ ହାଇକୋର୍ଟରେ ଏକ ମାମଲା ହୋଇଥିଲା । ସେହି ଜନସ୍ୱାର୍ଥ ମାମଲାର ଶୁଣାଣି କରି ହାଇକୋର୍ଟ ଭତ୍ତାର ପରିମାଣ ବଢାଇବାକୁ କହିଛନ୍ତି । ସାମାଜିକ ସୁରକ୍ଷା ଓ ସଶକ୍ତିକରଣ ସଚିବଙ୍କୁ ହାଇକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି । ୨୦୦୮ ମସିହାରେ ରାଜ୍ୟ ସରକାର ବୟସ୍କ, ଦିବ୍ୟାଙ୍ଗ ଓ ବିଧବାଙ୍କ ପାଇଁ ମଧୁବାବୁ ପେନସନ ଯୋଜନା ଆରମ୍ଭ କରିଥିଲେ ।

  • ମାସିକ ୫୦୦ ଟଙ୍କା –୬୦ରୁ ଅଧିକ ଓ ୮୦ ବର୍ଷରୁ କମ ବୟସ୍କ 
  • ମାସିକ ୭୦୦ ଟଙ୍କା –୮୦ ବର୍ଷ ବୟସ୍କ ବ୍ୟକ୍ତି 
  • ମାସିକ ୯୦୦ ଟଙ୍କା –୮୦ବର୍ଷରୁ ଅଧିକ ବୟସ୍କ ଓ ଦିବ୍ୟାଙ୍ଗ

ରାଜ୍ୟର ୨୭ ଲକ୍ଷ ୮୦ ହଜାର ୧୬୩ ଜଣ ମଧୁବାବୁ ପେନସନ ଯୋଜନାରେ ଆର୍ଥିକ ସହାୟତା ପାଉଛନ୍ତି । ଏଥିପାଇଁ ରାଜ୍ୟ ସରକାର ବାର୍ଷିକ ବଜେଟରେ ୧ ହଜାର ୭୨୪ କୋଟି ଟଙ୍କାର ବ୍ୟୟବରାଦ କରୁଛନ୍ତି । ହାଇକୋର୍ଟରେ ବାର୍ଦ୍ଧକ୍ୟ ଭତାର ପରିମାଣ ବୃଦ୍ଧି ପାଇଁ ହୋଇଥିବା ଆବେଦନରେ ଦର୍ଶାଯାଇଥିଲା ଯେ, ରାଜ୍ୟ ସରକାର ଦେଉଥିବା ଆର୍ଥିକ ସହାୟତା ନିଅଣ୍ଟ ପଡୁଛି । ଏହା ସମାନତା ଅଧିକାରକୁ ଉଲ୍ଲଂଘନ କରୁଛି । ମାସକୁ ୫ ଶହ ଟଙ୍କାର ଆର୍ଥିକ ସହାୟତା ଗରିବଙ୍କୁ ଉପହାସ କଲାଭଳି ହେଉଛି ବୋଲି ଆବେଦନରେ ଉଲ୍ଲେଖ ରହିଥିଲା ।

  • କେନ୍ଦ୍ର ସରକାର ଦୈନିକ ମଜୁରୀ ୧୭୮ ଟଙ୍କା ଧାର୍ଯ୍ୟ କରିଛନ୍ତି 
  • ବାର୍ଦ୍ଧକ୍ୟ ଭତ୍ତା ମିଳୁଛି ମାସିକ ୫୦୦ ଟଙ୍କା 
  • ହିସାବ କଲେ ଦିନକୁ ପଡୁଛି ୧୬ ଟଙ୍କା ୬୭ ପଇସା 

ଜଷ୍ଟିସ ଏସ ମୁରଲୀଧର ଓ ଜଷ୍ଟିସ ଏସଏମ ରମନ୍ନାଙ୍କ ଖଣ୍ଡପୀଠ ଜନସ୍ୱାର୍ଥ ମାମଲାର ଶୁଣାଣି କରି ବାର୍ଦ୍ଧକ୍ୟ ଭତ୍ତା ବୃଦ୍ଧି କରିବା ଉପରେ ଉଚିତ ପଦକ୍ଷେପ ନେବାକୁ ସରକାରଙ୍କୁ କହିଛନ୍ତି । ଆସନ୍ତା ଏପ୍ରିଲ ୧୭ ତାରିଖ ସୁଦ୍ଧା ଏ ଉପରେ ବିଧିବଦ୍ଧ ନିଷ୍ପତି ନେବାକୁ ନିର୍ଦ୍ଦେଶ ଦେଇଛନ୍ତି । ସୂଚନାଯୋଗ୍ୟ ଯେ, ପୁରୀ ଜିଲ୍ଲା ଛୋଟରାୟପୁର ଗାଁର ଅଭୟ କୁମାର ପଟ୍ଟନାୟକ ନାମକ ମଧୁବାବୁ ପେନସନ ହିତାଧିକାରୀ ଭତା ପରିମାଣ ବୃଦ୍ଧି କରିବାକୁ ହାଇକୋର୍ଟ ଯାଇଛନ୍ତି । ସେ ଭିକ ମାଗି ଚଳନ୍ତି, ହେଲେ ନ୍ୟାୟ ପାଇବା ପାଇଁ ହାଇକୋର୍ଟରେ ପିଆଇଏଲ କରିବା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ସୃଷ୍ଟି କରିଛି ।