ଅବପାତ ପ୍ରଭାବରେ ସାରା ରାଜ୍ୟରେ ଲାଗି ରହିଛି ବର୍ଷା : ନୂଆପଡ଼ାରେ ଭୁଶୁଡ଼ିଲା ପୋଲ, ଛତିଶଗଡ଼କୁ ଯୋଗାଯୋଗ ବିଚ୍ଛିନ୍ନ 

ବିପଦ ସଙ୍କେତ ଛୁଇଁଲା ଇନ୍ଦ୍ରାବତୀ ଓ ଭାସ୍କେଲ ନଦୀର ଜଳସ୍ତର; ସମ୍ବଲପୁରରେ ପାହାଡ଼ରୁ ଖସିଲା ପଥର

149

କନକ ବ୍ୟୁରୋ : ଲଗାଣ ବର୍ଷା ପ୍ରଭାବରେ ଭୁଶୁଡ଼ିଲା ବ୍ରିଜ୍ । ନୂଆପଡ଼ା ସଦର ବ୍ଲକ ସାରବଙ୍ଗ ନିକଟରେ ଥିବା ଏକ ବ୍ରିଜ୍ ଭୁଶୁଡ଼ି ପଡ଼ିଛି । ଫଳରେ ପଡ଼ୋଶୀ ଛତିଶଗଡ଼ ସହ ତିନିଟି ପଞ୍ଚାୟତ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ଏହା ସହ ସ୍କୁଲ, କଲେଜ, ମେଡ଼ିକାଲ ଯିବାକୁ ଲୋକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଜିଲ୍ଲାରେ ଲଗାଣ ବର୍ଷା ଜାରି ରହିଥିବା ବେଳେ ଯୋଙ୍କ ଡ୍ୟାମର ଗେଟ୍ ଖୋଲାଯାଇଥିଲା । ଜଳସ୍ତର ବୃଦ୍ଧି ପାଇବା ଯୋଗୁଁ ସାରାବଙ୍ଗ ବ୍ରିଜ୍ ଭାଙ୍ଗିଥିବା କହିଛନ୍ତି ସ୍ଥାନୀୟ ଲୋକେ ।

ବର୍ଷା ପ୍ରଭାବରେ ସମ୍ବଲପୁର ଲକ୍ଷ୍ମୀ ଡୁଙ୍ଗୁରି ପାହାଡ଼ରୁ ପଥର ଖସି ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ସମ୍ବଲପୁର ବରଗଡ଼ ମଝିରେ ଥିବା କୋଲକାତା ମୁମ୍ବାଇ ଜାତୀୟ ରାଜପଥରେ ଯାତାୟତ ବାଧାପ୍ରାପ୍ତ ହୋଇଛି । ଜାତୀୟ ରାଜପଥର ଗୋଟିଏ ଲେନ୍ ସମ୍ପୁର୍ଣ୍ଣ ବନ୍ଦ ରହିଥିବା ବେଳେ ଅନ୍ୟ ଏକ ଲେନ୍ରେ ଗାଡ଼ିଚଳାଚଳ ହେଉଛି । ସୌଭାଗ୍ୟବଶତଃ କାହାର କିଛି କ୍ଷତି ହୋଇନାହିଁ । ବାରମ୍ବାର ଏଭଳି ଘଟଣା ଘଟୁଥିବା ବେଳେ ସ୍ଥାନୀୟ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି । ଗତକାଲି ସମ୍ବଲପୁର ଜିଲ୍ଲାକୁ ବର୍ଷା ପାଇଁ ରେଡ଼ ଆଲର୍ଟ ଦିଆଯାଇଥିବା ବେଳେ ଜିଲ୍ଲାରେ ପ୍ରବଳ ବର୍ଷା ଲାଗି ରହିଛି ।

ସେପଟେ, ତିନି ଦିନ ହେବ ନବରଙ୍ଗପୁର ଜିଲ୍ଲାରେ ଲଗାଣ ବର୍ଷା ଲାଗି ରହିଛି । ପ୍ରବଳ ବର୍ଷା ଯୋଗୁ କୋଷାଗୁମୁଡ଼ା ବ୍ଲକରେ ପ୍ରବାହିତ ଇନ୍ଦ୍ରାବତୀ ଓ ଭାସ୍କେଲ ନଦୀର ଜଳସ୍ତର ବିପଦ ସଙ୍କେତ ଛୁଇଁଛି । ତଳିଆ ଅଞ୍ଚଳରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଛଇ । ଏଥିପାଇଁ ଆଗୁଆ ପଦକ୍ଷେପ ଗ୍ରହଣ କରିଛି ପ୍ରଶାସନ । ୭୦ ଜଣ ବରିଷ୍ଠ ନାଗରିକଙ୍କୁ ବରଗାଁ ହାଇସ୍କୁଲକୁ ସ୍ଥାନାନ୍ତର କରାଯାଇଛି । ସେଠାରେ ବରିଷ୍ଠ ନାଗରିକଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଛି ।