ସାନପିଲାର ବଡ଼ ସାହସ ! ୩୦ ଫୁଟ ଗଭୀର କୂଅକୁ ଡେଇଁ ଶିଶୁକୁ ଉଦ୍ଧାର କଲା ୧୩ବର୍ଷର ବାଳକ

50

କନକ ବ୍ୟୁରୋ : ସାନ ପିଲାର ବଡ ସାହସ । କୂଅକୁ ଡେଇଁ ଶିଶୁକୁ ଉଦ୍ଧାର କଲା ୧୩ବର୍ଷର ବାଳକ । ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତାର ବଇଁଚୁଆରେ ଏହି ଘଟଣା ଏବେ ଚର୍ଚ୍ଚାର ବିଷୟ ହୋଇଛି । ଗାଁରେ ଥିବା କୂଅ ପାଖରେ ଖେଳୁଥିବା ବେଳେ ୩୦ଫୁଟ ଗଭୀର କୂଅରେ ଖସିପଡିଥିଲା ୬ବର୍ଷର ଶିଶୁ । ଏହା ଦେଖି ୧୩ବର୍ଷର ନାବାଳକ ପପୁ ନିଜ ଜୀବନକୁ ବାଜି ଲଗାଇ କୂଅ ଭିତରକୁ ଡେଇଁ ପଡି ଶିଶୁଟିକୁ ଉଦ୍ଧାର କରିଥିଲେ । ପପୁର ଏହି ସାହସିକତାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ୍ କରିଛନ୍ତି ।

ପପୁର ଦୁଃସାହସିକତା ସମସ୍ତଙ୍କୁ ଚକିତ କରିଛି ବୋଲି ଟ୍ୱିଟ୍ କରିଛନ୍ତି ମୁଖ୍ୟମନ୍ତ୍ରୀ । ସ୍ଥାନୀୟ ଲୋକେ ପପୁର ଏହି ସାହସକୁ ଖୁବ୍ ପ୍ରଶଂସା କରିଛନ୍ତି । ଗତ ୨୭ ତାରିଖରେ ସଂଧ୍ୟା ସମୟରେ ବଇଁଚୁଆ ବଢେଇ ସାହିର ବୈକୁଣ୍ଠ ସାହୁଙ୍କ ପୁଅ ଲିପୁ ସାହୁ ଏକ ପରିତ୍ୟକ୍ତ କୂଅକୁ ଖସିପଡିଥିଲେ । ଲିପୁ କୂଅରେ ପଡିଯାଇଥିବା ଦେଖି ସେଠାରେ ଥିବା ୧୩ବର୍ଷର ନାବାଳକ ପପୁ ବିଳମ୍ବ ନକରି ତୁରନ୍ତ କୂଅ ଭିତରକୁ ଡେଇଁ ପଡି ଲିପୁକୁ ଉଦ୍ଧାର କରିଥିଲେ । ଆଉ ଉପସ୍ଥିତ ବୁଦ୍ଧି ଖଟାଇ ଲିପୁକୁ କାନ୍ଧରେ ଟେକି ଧରି ଉଦ୍ଧାର କରିବା ପାଇଁ ଆପ୍ରାଣ ଉଦ୍ୟମ କରିଥିଲେ ।

ଏତିକିବେଳେ ପାଖରେ ଥିବା ପିଲାମାନେ ଚିତ୍କାର କରିଥିଲେ । ଚିତ୍କାର ଶୁଣି ଗାଁଲୋକେ ସେଠାରେ ପହଂଚି ଦଉଡି ଦେଇ ଉଭୟଙ୍କୁ କୂଅ ଭିତରୁ ବାହାର କରିଥିଲେ । ରାଜମିସ୍ତ୍ରୀ ଭାବେ କାମ କରୁଥିବା ଗାଁର ସନାତନ ସାହୁଙ୍କ ଆର୍ଥିକ ସମସ୍ୟା ଯୋଗୁଁ ପପୁର ପାଠପଢାରେ ଡୋରି ବନ୍ଧା ହୋଇଛି । ତେବେ ଏଥିପାଇଁ ସହାୟତା ଯୋଗାଇ ଦେବା ନେଇ ମୁଖ୍ୟମନ୍ତ୍ରୀ ଟ୍ୱିଟ୍ କରି ଜଣାଇଛନ୍ତି  ।