ଅସୁରକ୍ଷିତ ରାଜଧାନୀ ଦିଲ୍ଲୀ । ନାବାଳିକାଙ୍କୁ ଏସିଡ ମାଡ଼, ସିସିଟିଭିରେ ଆକ୍ରମଣ ଘଟଣା କଏଦ

79

କନକ ବ୍ୟୁରୋ : ସକାଳ ପ୍ରାୟ ୭.୩୦ । ଦିଲ୍ଲୀ ଦ୍ୱାରାକ ମୋହନ ଗାର୍ଡନ ବସ ଷ୍ଟପରେ ଛିଡା ହୋଇଥିଲେ ୧୭ବର୍ଷର ଜଣେ ନାବାଳିକା । ୧୨କ୍ଲାସରେ ପାଠପଡୁଥିବା ନାବାଳିକା ସ୍କୁଲ ବସକୁ ଅପେକ୍ଷା କରି ଛିଡା ହୋଇଥିଲେ । ସାଥିରେ ତାଙ୍କ ଭଉଣୀ ଥିଲେ । ହଠାତ ଅପରପାଶ୍ୱର୍ରୁ ବାଇକରେ ଦୁଇଜଣ ଯୁବକ ତାଙ୍କ ନିକଟକୁ ଆସିଥିଲେ । କେହି କିଛି ବୁଝିବା ଆଗରୁ ମୁଖା ପିନ୍ଧା ଦୁବୁର୍ତ ନାବାଳିକାଙ୍କ ଉପରକୁ ଏସିଡ ମାଡ କରି ଫେରାର ହୋଇଗଲେ । ଆକ୍ରମଣର ଶିକାର ହେବା ପରେ ନାବାଳିକା ଜଣଙ୍କ ଯନ୍ତ୍ରଣାରେ ଛଟପଟ ହୋଇ ଦୌଡିବାରେ ଲାଗିଲେ ।

ସଫଦରଗଂଜ ହସପିଟାଲରେ ଚାଲିଛି ପୀଡିତାଙ୍କ ଚିକିତ୍ସା । ତାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ରହିଥିବା ସୂଚନା ରହିଛି । ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଦୋଷୀଙ୍କ କଠୋର ଶାସ୍ତି ଦିଆଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ସେପଟେ ଦିଲ୍ଲୀ ପୁଲିସକୁ ନୋଟିସ ପଠାଇଛି ଦିଲ୍ଲୀ ମହିଳା କମିଶନ । ଏଥିସହ କେନ୍ଦ୍ର ଓ ଦିଲ୍ଲୀ ସରକାରଙ୍କ ନିକଟରେ ଏସିଡ ବିକ୍ରି ବ୍ୟାନ ପାଇଁ ଦାବି ମଧ୍ୟ କରିଛି ।

ସମ୍ପୂର୍ଣ୍ଣ ଘଟଣା ସିସିଟିଭିରେ କଏଦ ହୋଇଛି । ସିସିଟିଭି ଫୁଟେଜକୁ ଆଧାର କରି ତଦନ୍ତ ଚଳାଇଛି ପୁଲିସ । ମାମଲାରେ ୩ଜଣେ ସନ୍ଦିଗ୍ଦକୁ ଅଟକ ରଖାଯାଇଛି । ଦିନକୁ ଦିନ ମହିଳାଙ୍କ ପ୍ରତି ଅପରାଧ ବୃଦ୍ଧି ପାଉଥିବାରୁ ରାଜଧାନି ଦିଲ୍ଲୀ ଅସୁରକ୍ଷିତ ମନେ ହେଲାଣି