ସଂଘର୍ଷ ଭିଡିଓକୁ ନେଇ ଚର୍ଚ୍ଚା । କଥାବର୍ତ୍ତାରେ ସମାଧାନ କରିବାକୁ ଆମେରିକାର ପରାମର୍ଶ, ହ୍ୱାଇଟ୍ ହାଉସ କହିଲା ସ୍ଥିତିି ଉପରେ ରହିଛି ନଜର

168

କନକ ବ୍ୟୁରୋ : ଅରୁଣାଚଳର ତୱାଙ୍ଗ୍ ସେକ୍ଟରର ୟାଙ୍ଗ୍ସି ଅଂଚଳର ଭାରତ ଓ ଚୀନ ସେନା ମୁହାଁମୁହିଁ ହେବା ଖବର ଆସିବାର ଦିନକ ପରେ ସୋଶିଆଲ ମିଡିଆରେ ଭାଇରାଲ ହେଉଛି ଏକ ଭିଡିଓ  । ଏହି ଭିଡିଓ ଭାରତ ଓ ଚୀନ ସେନା ମଧ୍ୟରେ ହୋଇଥିବା ସଂଘର୍ଷର ଭିଡିଓ ଦାବି କରାଯାଉଛି । ଏହି ଭିଡିଓରେ ପ୍ରାୟ ୩୦୦ ରୁ ୪୦୦ ଚୀନ ସେନା ବେଆଇନ ଭାବେ ଭାରତ ସୀମାରେ ଅନୁପ୍ରବେଶ କରୁଥିବା ବେଳେ ସେମାନଙ୍କୁ ଯବାବ ଦେଉଛନ୍ତି ଭାରତୀୟ ସେନା । ଭାରତର ଯବାନମାନେ ଲୁହା କଂଟା ଯୁକ୍ତ ଲମ୍ବା ଲମ୍ବା ବାଡିରେ ଚୀନ ଯବାନଙ୍କୁ ପିଟି ପଟି ଘଉଡାଇବାକୁ ଚେଷ୍ଟା କରୁଛନ୍ତି । କିଛି ଭାରତୀୟ ଯବାନ ଇଟା, ପଥର ଚୀନ ସେନା ଉପରକୁ ପକାଉଛନ୍ତି । ଶେଷ ହାର ମାନି ଚୀନ ସେନା ପଳାଇଯାଉଥିବାର ଭିଡିଓ ସାମ୍ନାକୁ ଆସିଛି । ଭାରତର ଯବାନଙ୍କ ମଧ୍ୟରୁ କିଛି ପଞ୍ଜାବୀ ଭାଷାରେ କଥା ହେଉଥିବା ଭିଡିଓରେ ଶୁଣିବାକୁ ମିଳୁଛି ।

ଦୁଇ ଦେଶର ସେନା ସଂଘର୍ଷର ଭିଡିଓକୁ ନେଇ ଏବେ ଦେଶରେ ସବୁଠି ଚର୍ଚ୍ଚା । ହେଲେ ଏ ଭିଡିଓ ଏବେ ନୁହେଁ ବୋଲି କୁହାଯାଉଛି । କାରଣ ଏବେ ଶୀତ ଋତୁ ଚାଲିଥିଲେ ବି ୧୭ ହଜାର ଫୁଟ ଉଚ୍ଚତାରେ ଥିବା ସେହି ତୱାଙ୍ଗ୍ ସେକ୍ଟରରେ ବରଫ ଦେଖିବାକୁ ମିଳିନାହିଁ । କିନ୍ତୁ ଭିଡିଓଟି ଚଳିତ ବର୍ଷର ବୋଲି ଦାବି କରିଛନ୍ତି କିଛି ସ୍ଥାନୀୟ ବ୍ୟକ୍ତି । ଏପଟେ ଉଭୟ ଦେଶ ସୀମାରେ ଅଧିକ ଯବାନ ମୁତୟନ କରିବା ସହ ଆକାଶମାର୍ଗରୁ ପରଷ୍ପର ଉପରେ ନଜର ରଖିଛନ୍ତିି । ଉଭୟ ଭାରତ ଏବଂ ଚୀନ ବିବାଦୀୟ ସ୍ଥାନରୁ ସେନା ଅପସାରଣ କରିଥିବାରୁ ଆମେରିକା ଖୁସୀ ବ୍ୟକ୍ତ କରିଛି । ଆମେରିକାର ହ୍ୱାଇଟ୍ ହାଉସ ସେକ୍ରେଟାରୀ କହିଛନ୍ତି, ଆମେରିକା ସ୍ଥିତି ଉପରେ ନଜର ରଖିଛି, ଦୁଇ ଦେଶ କଥାବାର୍ତା ମାଧ୍ୟମରେ ସମସ୍ୟାର ସମାଧାନ କରନ୍ତୁ ।

ଭାରତ ସୀମାରେ ଚୀନ ସେନା ପ୍ରବେଶ କରିଥିବା ଭାରତ ଦାବି କରୁଛି, ହେଲେ ଚୀନ କହିଛି, ଭାରତ ଚୀନ ସୀମା ଭିତରେ ପଶିବାକୁ ଉଦ୍ୟମ କରୁଛି । ଯଦିଓ ଦୁଇ ଦେଶ ବିବାଦୀୟ ସ୍ଥଳରୁ ସେନା ଅପସାରଣ କରିଛନ୍ତି , ହେଲେଏ କେଉଁ ମୁୂହୁର୍ତରେ ପରିସ୍ଥତି କଣ ହେବ ତାହା ଏବେ କହିବା ସମ୍ଭବପର ନହେଁ ।