ମୋଦୀ ହିଁ ରହିବେ ପ୍ରଧାନମନ୍ତ୍ରୀ । ବିଜେପିରେ କୌଣସି କନଫ୍ୟୁଜନ୍ ନାହିଁ । କେଜ୍ରିୱାଲଙ୍କ ବୟାନ ପରେ ଅମିତ ଶାହାଙ୍କ ଜବାବ ।

4,141

କନକ ବ୍ୟୁରୋ: ମୋଦୀଙ୍କୁ ୭୫ ବର୍ଷ ହେଇଗଲେ, ଏଥିରେ ଆପଣଙ୍କୁ ଆନନ୍ଦିତ ହେବାର ନାହିଁ । ବିଜେପିର ସମ୍ବିଧାନରେ କେଉଁଠି ବି ଲେଖାହେଇନି । ମୋଦୀ ପ୍ରଧାନମନ୍ତ୍ରୀ ଭାବେ ପୁଣିଥରେ ନିଜ କାର୍ଯ୍ୟକାଳ ପୂରା କରିବେ । ମୋଦୀ ହିଁ ଦେଶର ଆଗାମୀ ପ୍ରଧାନମନ୍ତ୍ରୀ ହେବା ସହିତ ଦେଶର ନେତୃତ୍ୱ ନେବେ । ଶନିବାର କେଜ୍ରିୱାଲଙ୍କୁ କିଛି ଏଭଳି ଢଙ୍ଗରେ ଜବାବ ଦେଇଛନ୍ତି କେନ୍ଦ୍ରୀୟ ଗୃହମନ୍ତ୍ରୀ ଅମିତ ଶାହା ।

କେଜ୍ରିୱାଲ ମୋଦୀଙ୍କୁ ନେଇ ଟିପ୍ପଣୀ ରଖିବା ପରେ ଶାହା କହିଛନ୍ତି, ମୋଦୀ ହିଁ ଦେଶର ପ୍ରଧାନମନ୍ତ୍ରୀ ରହିବେ । ତାଙ୍କର ନେତୃତ୍ୱରେ ସରକାର ଗଢାହେବ । ଏଥିରେ କୌଣସି ପ୍ରକାର କନଫ୍ୟୁଜନ ନାହିଁ । ତେବେ କେଜ୍ରିୱାଲ କହିଥିଲେ ଯେ, ଆସନ୍ତା ସେପ୍ଟେମ୍ବର ୨୭ ତାରିଖରେ ମୋଦୀଙ୍କୁ ୭୫ ବର୍ଷ ହେବ । ୨୦୧୪ରେ ମୋଦୀ ହିଁ ନିୟମ କରିଥିଲେ ଯେ, ବିଜେପିରେ କେହି ବି ୭୫ ବର୍ଷ ବୟସ୍କ ହେଲେ ସେ ରିଟାୟର ହେଇଯିବେ । ଏହି ଅନୁସାରେ ଲାଲକୃଷ୍ଣ ଆଡଭାନୀ, ମୁରଲୀ ମନୋହର ଯୋଶୀ, ସୁମିତ୍ରା ମହାଜନ ଏବଂ ଯଶବନ୍ତ ସିହ୍ନାଙ୍କୁ ରିଟାୟର କରାଯାଇଥିଲା ।

ତେଣୁ ବିଜେପିର ପ୍ରଧାନମନ୍ତ୍ରୀ ଦାବିଦାର କିଏ ବୋଲି ପ୍ରଶ୍ନ କରି, ଅମିତ ଶାହା ଆଗାମୀ ପ୍ରଧାନମନ୍ତ୍ରୀ ହେବେ ବୋଲି କହିଥିଲେ କେଜ୍ରିୱାଲ । ସେ କହିଥିଲେ, ତାଙ୍କ ସରକାର ଗଠନ ହେବା ପରେ ସେ ପ୍ରଥମ ଦୁଇ ମାସରେ ଯୋଗୀଙ୍କୁ ହଟେଇବେ । ଏହାପରେ ଅମିତ ଶାହାଙ୍କୁ ପ୍ରଧାନମନ୍ତ୍ରୀ କରିବେ । ବର୍ତ୍ତମାନ ମୋଦୀ ନିଜ ପାଇଁ ନୁହେଁ ଅମିତ ଶାହାଙ୍କ ପାଇଁ ଭୋଟ୍ ମାଗୁଛନ୍ତି ବୋଲି କହିଥିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ।

ତାଙ୍କର ଏଭଳି ମନ୍ତବ୍ୟ ପରେ ଅମିତ ଶାହା ମଧ୍ୟ ପ୍ରେସମିଟ୍ କରି ଏହାର ସ୍ପଷ୍ଟୀକରଣ ରଖିଛନ୍ତି । ମୋଦୀ ହିଁ ଦେଶର ଆଗାମୀ ପ୍ରଧାନମନ୍ତ୍ରୀ ଭାବେ କାର୍ଯ୍ୟକାଳ ପୂରା କରିବେ ବୋଲି କହିଛନ୍ତି ଅମିତ ଶାହା ।