୨୪ ଲଢ଼େଇ ପୂର୍ବରୁ ନେତାଙ୍କ ଲୋକପ୍ରିୟତାର ସର୍ଭେ ଆରମ୍ଭ କଲା ବିଜେଡି । ୧୭ରେ ବିଜେପି କରିବ ବୈଠକ, ୧୮ରେ କଂଗ୍ରେସର ସମୀକ୍ଷା ।

1,120

କନକ ବ୍ୟୁରୋ: ୨୪ ନିର୍ବାଚନ ପାଇଁ ଆରମ୍ଭ ହୋଇଛି ଅଙ୍କକଷା । ୨୦୨୪ ନିର୍ବାଚନରେ ଦଳ କେମିତି ଭଲ ପ୍ରଦର୍ଶନ କରିବ, ସେ ନେଇ ତିନି ଦଳ ମାନସମନ୍ଥନ ଆରମ୍ଭ କରିଛନ୍ତି । କାଲି ନବୀନ ନିବାସରେ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ । ସଂଗଠନକୁ ବିସ୍ତାର କରି ଦଳ ପୁଣି ୨୪ରେ କେମିତି ବହୁମତରେ ସରକାର ଗଠନ କରିବ, ସେନେଇ ଆରମ୍ଭ ହୋଇଯାଇଛି ରଣନୀତି । ସେହିପରି ଆସନ୍ତା ୧୭ ତାରିଖରେ ବିଜେପିର ଗୁରୁତ୍ୱପୂର୍ଣ୍ଣ ବୈଠକ ହେବ । ଯେଉଁଥିରେ କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲଙ୍କ ସହ ବିଭିନ୍ନ ଜିଲ୍ଲାର ସଭାପତି, ପ୍ରଭାରୀ ଓ ପଦାଧିକାରୀ ଏବଂ କୋର୍ ଟିମ୍ ସଦସ୍ୟମାନେ ଉପସ୍ଥିତ ରହିବେ ।

ପଦ୍ମପୁର ଉପନିର୍ବାଚନ ପରେ ୨୦୨୪ ନିର୍ବାଚନ ପାଇଁ ବିଜେଡି ପ୍ରସ୍ତୁତି ଆରମ୍ଭ କରି ଦେଇଛି । ବିଜେଡି ଅନ୍ଦରମହଲରୁ ମିଳିଥିବା ସୂଚନା ଅନୁସାରେ, ୨୦୨୪ରେ କାହାକୁ ଟିକେଟ ମିଳିବ, କିଏ କେଉଁ ନିର୍ବାଚନମଣ୍ଡଳୀରୁ କିଏ ପ୍ରାର୍ଥୀ ହେବ ସେ ସର୍ଭେ ଆରମ୍ଭ କରି ଦେଇଛି ଶାସକ ଦଳ ।

ଟିକେଟ୍ ପାଇଁ ବିଜେଡିର ସର୍ଭେ
କାହାକୁ ମିଳିବ ଟିକେଟ, କିଏ ପଡିବ ବାଦ?
ଗୋଟଏ ପଟେ ରାଜ୍ୟରେ ଆଗୁଆ ନିର୍ବାଚନ ପାଇଁ ଚର୍ଚ୍ଚା ହେଉଥିବାବେଳେ, ଆଉ ଗୋଟିଏ ପଟେ ବିଜୁ ଜନତା ଦଳ ଭିତରେ ଭିତରେ ଜୋରଦାର ପ୍ରସ୍ତୁତି ଚଳାଇଛି । ୧୨୫ ମିଶନ ନେଇ ଆଗଉ ଥିବା ବିଜେଡି ୧୪୭ ବିଧାନସଭା କ୍ଷେତ୍ରରେ ସର୍ଭେ କାମ ଆରମ୍ଭ କରିଛି । ବର୍ତମାନର ବିଧାୟକ ଓ ସାଂସଦଙ୍କ ଲୋକପ୍ରିୟତା, ଭାବମୂର୍ତିିର ରିପୋର୍ଟ ସଂଗ୍ରହ କରି ଦଳର ସୁପ୍ରିମୋଙ୍କୁ ପ୍ରଦାନ କରାଯିବ । କେଉଁ ନିର୍ବାଚନମଣ୍ଡଳୀରେ ସରକାରୀ ବିରୋଧୀ ହାୱା ରହିଛି, ତାର ମଧ୍ୟ ସର୍ଭେ କରୁଛି ଶାସକ ଦଳ । ଆଉ ଏହି ସର୍ଭେ ଆଧାରରେ ଦଳ ୨୦୨୪ ପାଇଁ ପ୍ରାର୍ଥୀ ଚୟନ କରିବ ବୋଲି କୁହାଯାଉଛି ।

୨୦୨୪ ପାଇଁ ବିଜେଡି ସ୍ୱତନ୍ତ୍ର ରଣନୀତି କରୁଥିବାବେଳେ ଲୋକପ୍ରିୟତା ହରାଇଥିବା ଓ ଭଲ ପ୍ରଦର୍ଶନ ନଥିବା ନେତା ଛାନିଆ ହେଲେଣି । ୨୦୧୯ରେ ବିଜେଡି ୫୦ରୁ ଅଧିକ ବିଧାୟକଙ୍କ ଟିକେଟ କଟାଯାଇଥିଲା । ଏଥିସହ ୨୦୧୯ ପରେ ରାଜ୍ୟରେ ହୋଇଥିବା ୭ଟି ଉପନିର୍ବାଚନରେ ୪ଜଣ ମହିଳା ପ୍ରାର୍ଥୀଙ୍କୁ ମଇଦାନକୁ ଓହ୍ଲାଇ ବଡ ସଂକେତ ଦେଇଛି ବିଜେଡି । ଅନ୍ୟପଟେ ବୟସ୍କଙ୍କୁ ଆଉ ଭରସା କରି ନପାରନ୍ତି ବିଜେଡି ସୁପ୍ରିମୋ । ତେବେ ଗ୍ରାଉଣ୍ଡରିପୋର୍ଟକୁ ଆଧାର କରି ସୁପ୍ରିମୋ ଟିକେଟ ଦେବେ ବୋଲି ଅନୁମାନ କରିଛନ୍ତି ବିଜେଡି ବିଧାୟକ । ଏସବୁ ଭିତରେ ଗୁରୁବାରଠାରୁ ଦଳ ଆରମ୍ଭ କରିବାକୁ ଯାଉଛି ସାଂଗଠନିକ ମାନସ ମନ୍ଥନ ।

୨୦୨୪ ପାଇଁ ସମରସଜ୍ଜା

୧୭ରେ ବିଜେପି,୧୮ରେ କଂଗ୍ରେସ ବୈଠକ

ବିଜେଡି ଭଳି ବିଜେପି ବି ୨୦୨୪ ପାଇଁ ରଣନୀତି କରିବା ଆରମ୍ଭ କରିଛି । ଏଥିପାଇଁ ଆସନ୍ତା ୧୭ତାରିଖରେ ବସିବ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ । କ୍ଷତ୍ରୀୟ ପ୍ରଭାରୀ ସୁନୀଲ ବଂଶଲ ଏହି ବୈଠକରେ ବିଭିନ୍ନ ଜିଲ୍ଲାର ସଭାପତି, ପ୍ରଭାରୀ, ପଦାକାରୀ ଓ କୋର ଟିମର ସଦସ୍ୟଙ୍କ ଆଲୋଚନା କରିବେ ଓ ୨୦୨୪ ପାଇଁ ରଣନୀତି ପ୍ରସ୍ତୁତ କରିବେ । .. ସେହିପରି ୨୦୨୪କୁ ଫୋକସରେ ରଖି ରାଜ୍ୟ ଦାୟିତ୍ୱରେ ଥିବା ପ୍ରଭାରୀମାନଙ୍କୁ ନିଜ ନିଜ କ୍ଷେତ୍ରରେ, ମାସକୁ ୧୦ଦିନ ସମୟ ଦେବାକୁ ନିର୍ଦ୍ଦେଶ ଦେଇଛି କଂଗ୍ରେସ । ଏହି କ୍ରମରେ ଆସନ୍ତା ୧୮ତାରିଖରେ ପ୍ରଭାରୀ ଚେଲା କୁମାର ଓଡିଶାକୁ ଆସିବା ସହ ସମୀକ୍ଷା କରିବେ ବୋଲି ଜଣାପଡିଛି । ରାଜ୍ୟରେ ଏବେ ନିର୍ବାଚନ ମାହୋଲ ଅନୁଭବ ହେଲାଣି । ଲଢ଼େଇ ପୂର୍ବରୁ ସବୁ ଦଳ ୨୦୨୪ ପାଇଁ କ୍ଷେତ୍ର ପ୍ରସ୍ତୁତ କରୁଛନ୍ତି ।