କାମ ଦେବନି ବୁଷ୍ଟର ଡୋଜ୍, ସମସ୍ତେ ହେବେ ଓମିକ୍ରନ ସଂକ୍ରମିତ । ଚର୍ଚ୍ଚା ବଢ଼ାଇଲା ଆଇସିଏମଆରର ବରିଷ୍ଠ ଚିକିତ୍ସକଙ୍କ ମତ ।

371

କନକ ବ୍ୟୁରୋ : ଦେଶରେ ବୁଷ୍ଟର ଡୋଜ ଦେବା ଆରମ୍ଭ ହୋଇଛି । ଏହାରି ଭିତରେ ଆଇସିଏମଆରର ବରିଷ୍ଠ ଚିକିତ୍ସକଙ୍କ ମତକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଡାକ୍ତର ଜୟପ୍ରକାଶ ମୁଲିୟଲ କହିଛନ୍ତି, ବୁଷ୍ଟର ଡୋଜ୍ କୌଣସି ବଡ଼ ଧରଣର ପରିବର୍ତନ ଆଣିପାରିବ ନାହିଁ । ସଂକ୍ରମଣ ହେବ ହିଁ ହେବ । ସେ ଆହୁରି ମଧ୍ୟ କହିଛନ୍ତି, କୋଭିଡ ଆଉ ଏବେ ଏକ ଭୟଙ୍କର ରୋଗ ହୋଇ ରହିନାହିଁ ।

ଦେଶରେ ବୁଷ୍ଟର ଡୋଜ୍ ଦେବା ଆରମ୍ଭ ହୋଇଯାଇଥିବା ବେଳେ ଭାରତୀୟ ଭେଷଜ ଗବେଷଣା ପରିଷଦ, ଆଇସିଏମଆରର ବରିଷ୍ଠ ଚିକିତ୍ସକ ଡାକ୍ତର ଜୟପ୍ରକାଶ ମୁଲିୟଲ ଯେଉଁ ମତ ପ୍ରକାଶ କରଛନ୍ତି ତାହା ଏବେ ଚର୍ଚ୍ଚା ସୃଷ୍ଟି କରିଛି । ଡାକ୍ତର ଜୟପ୍ରକାଶଙ୍କ କହିବା କଥା ହେଲା, “ବୁଷ୍ଟର ଡୋଜ୍ କୌଣସି ବଡ଼ ଧରଣର ପରିବର୍ତନ ଆଣିପାରିବ ନାହିଁ । ସଂକ୍ରମଣ ହେବ ହିଁ ହେବ । ବୁଷ୍ଟର ଡୋଜ୍ ସତ୍ୱେ ସାରା ବିଶ୍ୱରେ ସଂକ୍ରମଣ ହୋଇଛି । ଆମ ମଧ୍ୟରୁ ଅଧିକାଂଶଙ୍କୁ ଜଣାପଡ଼ିବନି ଯେ, ସଂକ୍ରମିତ ହୋଇସାରିଲେଣି । ଏହା ୮୦ ପ୍ରତିଶତଙ୍କ କ୍ଷେତ୍ରରେ ଘଟିପାରେ । ଆମେ ଡେଲଟା ଭୂତାଣୁ ଠାରୁ ଅନ୍ୟ ଏକ ଭାରିଆଣ୍ଟ ସହ ମୁକାବିଲା କରୁଛେ । ଏହାକୁ ରୋକିବା ଅସମ୍ଭବ ।’

ତେବେ କୋଭିଡକୁ ନେଇ ଆଶ୍ୱସ୍ତ କଲା ଭଳି ମତ ମଧ୍ୟ ସେ ରଖିଛନ୍ତି । କହିଛନ୍ତି, “କୋଭିଡ ଆଉ ଏବେ ଏକ ଭୟଙ୍କର ରୋଗ ହୋଇ ରହି ନାହିଁ । ନୂଆ ଭାରିଆଣ୍ଟ ଓମିକ୍ରନ କମ୍ କ୍ଷତିକାରକ । ଏଥିରେ ଆକ୍ରାନ୍ତ ହେବା ପରେ କମ୍ ଲୋକ ହସ୍ପିଟାଲରେ ଭର୍ତ୍ତି ହେଉଛନ୍ତି । ସଂକ୍ରମଣରୁ ସୁସ୍ଥ ହେବା ପରେ ସୃଷ୍ଟି ହେଉଥିବା ପ୍ରାକୃତିକ ପ୍ରତିଷେଧକ ଶକ୍ତି ସାରା ଜୀବନ ରହିଥାଏ, ଆଉ ଏହି କାରଣରୁ ଭାରତ ଏଥର ସେତେଟା ପ୍ରଭାବିତ ହୋଇନାହିଁ ।

୮ଟି ରାଜ୍ୟର ସଂକ୍ରମଣ ବଢ଼ାଉଛି ଚିନ୍ତା । ୩ଶହ ଜିଲ୍ଲାରେ ସାପ୍ତାହିକ ସଂକ୍ରମଣ ହାର ୫%ରୁ ଅଧିକ । ଦେଶର ୮ଟି ରାଜ୍ୟରେ ବଢ଼ୁଥିବା ସଂକ୍ରମଣ ଏବେ ଚିନ୍ତା ବଢ଼ାଇଛି । ଏହି ସବୁ ରାଜ୍ୟ ହେଲା ମହାରାଷ୍ଟ୍ର, ପଶ୍ଚିମବଙ୍ଗ, ତାମିଲନାଡୁ, କର୍ଣ୍ଣାଟକ, ଉତ୍ତରପ୍ରଦେଶ, ଦିଲ୍ଲୀ, କେରଳ ଓ ଗୁଜରାଟ । ଦେଶର ୩ଶହ ଜିଲ୍ଲାରେ ସାପ୍ତାହିକ ସଂକ୍ରମଣ ହାର ୫ ପ୍ରତିଶତରୁ ଅଧିକ । ଦେଶରେ ଆକ୍ଟିଭ୍ କେସ୍ ସଂଖ୍ୟା ୯ ଲକ୍ଷ ୩୩ ହଜାର ଟପିସାରିଛି । କେରଳରେ ଗୋଟିଏ ଦିନରେ ସର୍ବାଧିକ ୭୬ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମହାରାଷ୍ଟ, ରାଜସ୍ଥାନ, ଦିଲ୍ଲୀ ଓ କର୍ଣ୍ଣାଟକ ପରେ କେରଳରେ ସବୁଠୁ ଅଧିକ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କେରଳରେ ଏଯାଏଁ ମୋଟ୍ ୪୨୧ ଜଣ ଓମିକ୍ରନ ଆକ୍ରାନ୍ତଙ୍କୁ ଠାବ କରାଯାଇ ସାରିଛି । ଏସବୁ ଭିତରେ ଇଂଲଣ୍ଡର ବ୍ରିଷ୍ଟଲ ୟୁନିଭର୍ସିଟିର ଗବେଷଣା ଭଲ ଖବର ଆଣିଛି । ଭୂତାଣୁ ବାୟୁ ମାଧ୍ୟମରେ ସଂକ୍ରମଣ କ୍ଷମତା ପ୍ରାୟ ୯୦ ପ୍ରତିଶତ ହରାଇସାରିଛି । ଅର୍ଥାତ୍ ବାୟୁ ମଧ୍ୟରେ ପ୍ରବେଶ କରିବାର ୨୦ ମିନିଟ ମଧ୍ୟରେ ପୂର୍ବରୁ ଏହା ଯେପରି ସଂକ୍ରମିତ କରୁଥିଲା, ତାର ୯୦ ପ୍ରତିଶତ କ୍ଷମତା ହରାଇ ବସୁଛି ।