କ୍ରିକେଟ ପ୍ରେମୀଙ୍କ ପାଇଁ ଖୁସି ଖବର! ପ୍ରତିବର୍ଷ ହେବ ଭାରତ-ପାକ୍ ମ୍ୟାଚ୍? ପଢନ୍ତୁ କଣ ପ୍ଲାନ କରୁଛି ପିସିବି..

282

କନକ ବ୍ୟୁରୋ: କ୍ରିକେଟ ପ୍ରେମୀଙ୍କ ମଧ୍ୟରେ ଭାରତ-ପାକିସ୍ତାନ ମ୍ୟାଚ୍ କୁ ନେଇ ସବୁବେଳେ ଉତ୍ସାହ ଲାଗିରହିଥାଏ। ଦିନିକିଆ ହେଉ କି ଟେଷ୍ଟ କିମ୍ୱା ଫଟା ଫଟ ଟି-୨୦ ମ୍ୟାଚ। ଏହି ଦୁଇ ଦେଶ ମଧ୍ୟରେ ଯେବେ ଯେବେ ମ୍ୟାଚ ଖେଳାଯିବାର ତାରିଖ ଘୋଷଣା ହୁଏ , ସେବେଠାରୁ ଦୁଇ ଦେଶ ମଧ୍ୟରେ ଫ୍ୟାନ୍ସଙ୍କ ଖୁସି କହିଲେ ନସରେ। କିନ୍ତୁ ଗତ କିଛି ବର୍ଷ ହେବ ଦୁଇ ଦେଶ ମଧ୍ୟରେ ସୀମା ବିବାଦ ଓ କୂଟନୈତିକ ତିକ୍ତତା ଲାଗି ରହିଥିବାରୁ ଦୁଇ ଦେଶ ମଧ୍ୟରେ କ୍ରିକେଟ ଆଗ ଭଳି ଖେଳିବା ସମ୍ଭବ ହେଇପାରୁନି। କିନ୍ତୁ ଏବେ କ୍ରିକେଟ ଉଭୟ ଦେଶର କ୍ରିକେଟ ପ୍ରଶଂସକଙ୍କ ପାଇଁ ଖୁସି ଖବର ଆସିବାକୁ ଯାଉଛି। ପୁଣି ମୁହାଁମୁହିଁ ହେବାକୁ ଯାଉଛନ୍ତି କ୍ରିକେଟ ଦୁନିଆର ସବୁଠାରୁ ବଡ଼ ପ୍ରତିଦ୍ବନ୍ଦୀ କୁହାଯାଉଥିବା ଭାରତ-ପାକ୍।

ଏବେ ଉଭୟ ଦଳ ପ୍ରତିବର୍ଷ ପରସ୍ପର ବିପକ୍ଷରେ ଫଟା ଫଟ କ୍ରିକେଟ ବା ଟି -୨୦ ମ୍ୟାଚ୍ ଖେଳିପାରିବେ। ଏହି ମ୍ୟାଚଗୁଡିକ ଆୟୋଜନ କରିବା ପାଇଁ ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି)ର ସଭାପତି ଏକ ବଡ ରଣନୀତି ପ୍ରସ୍ତୁତ କରିଥିବା ସୂଚନା ମିଳିଛି। ସେ ଏ ସମ୍ପର୍କରେ ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ ବା ଆଇସିସିକୁ ଏକ ପ୍ରସ୍ତାବ ମଧ୍ୟ ଦେବାକୁ ଯାଉଛନ୍ତି ବୋଲି ଖୋଦ ପୂର୍ବତନ ପାକ କ୍ରିକେଟର ତଥା ପିସିବିର ସଭାପତି ରମିଜ ରାଜା। ତେବେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଗତ ୯ ବର୍ଷ ହେବ କୌଣସି ଦ୍ୱିପାକ୍ଷିକ ସିରିଜ୍ ଖେଳାଯାଏ ନାହିଁ। ରମିଜ ଟ୍ୱିଟ କରି ଲେଖିଛନ୍ତି ଯେ, ଆମେ ଚାରି ଦେଶ- ଭାରତ, ପାକିସ୍ତାନ, ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ପ୍ରତିବର୍ଷ ଏକ ଟି -୨୦ ଟୁର୍ନାମେଣ୍ଟ ଆୟୋଜନ କରିବାକୁ ଚିନ୍ତା କରୁଛୁ। ଏହି ଚାରିଟି ଦେଶରେ ଗୋଟିଏ ପରେ ଗୋଟିଏ ଦେଶ କୁ ଦେଶ ଏହି ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେବ। ମୁଁ ଏହି ପ୍ରସ୍ତାବକୁ ଶୀଘ୍ର ଆଇସିସି ଆଗରେ ରଖିବି । ଏହି ଟୁର୍ଣ୍ଣାମେଣ୍ଟରୁ ମିଳିବାକୁ ଥିବା ଲାଭର ଶତକଡା ଆଧାରରେ ଆଇସିସିର ସଦସ୍ୟ ଦେଶମାନଙ୍କ ମଧ୍ୟରେ ପ୍ରଦାନ କରାଯିବ ।

କେବଳ ଆଇସିସି ଟୁର୍ନାମେଣ୍ଟରେ ଭାରତ-ପାକିସ୍ତାନ ମଧ୍ୟରେ ଟକ୍କର ଦେଖିବାକୁ ମିଳୁଛି। ଯାହା ୪ ବର୍ଷରେ ଥରେ ଅନୁଷ୍ଠିତ ହେଉଛି। ବେଳେବେଳେ ଏହି ମ୍ୟାଚ୍ ଦୁଇ ବର୍ଷ ପରେ ମଧ୍ୟ ଅନୁଷ୍ଠିତ ହୁଏ। ତେବେ ବର୍ତ୍ତମାନ ଦୁଇ ଦଳ ମଧ୍ୟରେ ମ୍ୟାଚ୍ ସମ୍ପର୍କରେ ପିସିବି ସଭାପତି ରମିଜ ରାଜା ଏକ ବଡ଼ ପଦକ୍ଷେପ ନେଇଛନ୍ତି। ଯାହା ଉଭୟ ଦେଶର କ୍ରିକେଟ ପ୍ରେମୀଙ୍କ ମଧ୍ୟରେ ଉତ୍ସାହ ଭରି ଦେଇଛି। ୧୯୯୨ ରୁ ୨୦୨୧ ପର୍ୟ୍ୟନ୍ତ ଟି -୨୦ ଏବଂ ଦିନିକିଆ ବିଶ୍ୱକପରେ ଭାରତ-ପାକିସ୍ତାନ ଦଳ ୧୩ ଥର ମୁହାଁମୁହିଁ ହୋଇଛନ୍ତି। ଗତ ଟି -୨୦ ବିଶ୍ୱକପରେ ଶେଷଥର ପାଇଁ ଉଭୟ ଦଳ ମୁହାଁମୁହିଁ ହୋଇଥିଲେ ।

ଏହାପୂର୍ବରୁ ୨୦୧୨ରେ ଶେଷ ଦ୍ୱିପାକ୍ଷିକ ସିରିଜ୍ ଉଭୟ ଦେଶ ମଧ୍ୟରେ ଖେଳା ଯାଇଥିଲା। ଏହା ପରେ ପରେ ଲଗାତାର ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନ ଏବଂ ଫେବୃଆରୀ ୨୦୧୯ରେ ପୁଲୱାମା ଆକ୍ରମଣ ପରେ ଉଭୟ ଦେଶ ମଧ୍ୟରେ ସମ୍ପର୍କ ଖରାପ ରହିଛି। ୨୦୦୭-୦୮ ପରଠାରୁ ଟେଷ୍ଟ ସିରିଜରେ ଦୁହେଁ ପରସ୍ପରର ମୁହାଁମୁହିଁ ହୋଇନାହାଁନ୍ତି । କହିବାକୁ ଗଲେ ୯ ବର୍ଷ ଧରି ଭାରତ ଏବଂ ପାକ ମଧ୍ୟରେ କୌଣସି ଦ୍ୱିପାକ୍ଷିକ ସିରିଜ୍ ଖେଳା ଯାଇନାହିଁ। କିନ୍ତୁ ଯଦି ଆଇସିସିର ଅନୁମତି ମିଳେ ଏବଂ ଭାରତ ପାକ ମଧ୍ୟରେ ସୀମା ବିବାଦ ନବିଗିଡେ ତେବେ ଆଗକୁ ଉଭୟ ଦଳ ମଧ୍ୟରେ ପୂର୍ବ ପରି ହାଇ ଭୋଲତଟେଜ ଲଢେଇ ଦେଖିବାକୁ ମିଳିବ ବୋଲି କ୍ରିକେଟ ପ୍ରଶଂସକ ଆଶା ରଖିଛନ୍ତି।