ଲୁଧିଆନା କୋର୍ଟ ପରିସରରେ ବିସ୍ଫୋରଣ: କୋର୍ଟ ପରିସରରେ ସୁରକ୍ଷା ବ୍ୟବସ୍ଥା ଥାଇ କେମିତି ହେଲା ବିସ୍ଫୋରଣ, ଉଠିଲା ପ୍ରଶ୍ନ

92

କନକ ବ୍ୟୁରୋ: ଲୁଧିଆନାର ଏକ କୋର୍ଟରେ ବିସ୍ଫୋରଣ । ଏଥିରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଗୁରୁତର ଆହତ ହୋଇଛନ୍ତି । ଏହି ଘଟଣାରେ ଏନଆଇଏ ଏବଂ ଫରେନସିକ୍ ଟିମ୍ ତଦନ୍ତ ଆରମ୍ଭ କରିଛି । ଅନ୍ୟପଟେ କିଏ କୋର୍ଟ ପରିସରରେ ବିସ୍ଫୋରଣ କରିବାକୁ ପ୍ରୟାସ କରିଛି ତାହା ଏବେ ବଡ ପ୍ରଶ୍ନ?

ଦିନ ପ୍ରାୟ ୧୨ ଟା ୨୦ ମିନିଟ । ସ୍ଥାନ: ଲୁଧିଆନା ଜିଲ୍ଲା କୋର୍ଟ । ହଠାତ କୋର୍ଟ ପରିସରରେ ବୋମା ବିସ୍ପୋରଣ ସମସ୍ତଙ୍କୁ ଚକିତ କରିଛି । ବିସ୍ପୋରଣ ଏତେ ଭୀଷଣ ଥିଲା ଯେ କୋର୍ଟର ଦ୍ୱିତୀୟ ମହଲାର କାନ୍ଥ ମଧ୍ୟ ଭୁଶୁଡି ପଡିଛି । ବିସ୍ପୋରଣର ଶବ୍ଦ ଶୁଣିବା ପରେ ଆଖପାଖ ଅଂଚଳରେ ଭୟର ବାତାବରଣ ଖେଳିଯାଇଛି । ଘଟଣାର ତଦନ୍ତ କରିବା ପାଇଁ ଜାତୀୟ ତଦନ୍ତକାରୀ ସଂସ୍ଥା ଏନଆଇଏ ସହ ଫରେନସିକ ଟିମ୍ ଘଟଣା ସ୍ଥଳରେ ପହଂଚିଛିା

କୋର୍ଟ ପରିସରରେ କଡା ସୁରକ୍ଷା ବ୍ୟବସ୍ଥା ରହିଥିବା ବେଳେ କିପରି ଏହି ବୋମା ବିସ୍ପୋରଣ ହେଲା ତାହା ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ପ୍ରଶ୍ନ ଉଠାଇଛି । କାରଣ କୋର୍ଟ ପାଖରେ ଲୁଧିଆନା ପୋଲିସ କମିସନରଙ୍କ ଅଫିସ ରହିଛି । ଘଟଣାକୁ ନେଇ ପଞ୍ଜାବ, ହରିଆଣା ହାଇକୋର୍ଟ ମଧ୍ୟ ଚିନ୍ତା ପ୍ରକଟ କରିଛନ୍ତି । କୋର୍ଟ ପରିସରରେ ସୁରକ୍ଷା ବଢାଇବାକୁ ନିର୍ଦ୍ଦେଶ ଦେଇଛନ୍ତି । ଅନ୍ୟପଟେ ଗୃହ ମନ୍ତ୍ରାଳୟ ଏହି ପ୍ରସଙ୍ଗରେ ପଂଜାବ ସରକାରଙ୍କ ପାଖରୁ ରିପୋର୍ଟ ମାଗିଛନ୍ତି ।

ରାଜ୍ୟରେ ଆଗକୁ ବିଧାନସଭା ନିର୍ବାଚନ । ଏହାପୂର୍ବରୁ ରାଜ୍ୟରେ ନିର୍ବାଚନ ମାହୋଲ ମଧ୍ୟ ସରଗରମ ହେଉଥିବା ବେଳେ କୋର୍ଟ ପରିସରରେ ବିସ୍ଫୋରଣକୁ ନେଇ ଅଡୁଆରେ ପଂଜାବର ଚନ୍ନି ସରକାର ।