କଲେଜ ପିଲାଙ୍କ ଚରିତ୍ର ନିର୍ମାଣ ପାଇଁ ସରକାରଙ୍କ ଉଦ୍ୟମ: ଆରମ୍ଭ ହେବ ‘ଯୁବ ସଂସ୍କାର’ କ୍ଲାସ

105

କନକ ବ୍ୟୁରୋ: ଶିକ୍ଷାର ମୂଳ ଉଦ୍ଦେଶ୍ୟ ହେଉଛି ଚରିତ୍ର ନିର୍ମାଣ କରିବା। ଆମେ ପିଲାଙ୍କୁ ଶିକ୍ଷା ମାଧ୍ୟମରେ ଦକ୍ଷତା ଓ ଜ୍ଞାନ ବଢ଼ାଇ ପାରିବା। କିନ୍ତୁ ଭଲ ଚରିତ୍ର ବିନା ଶିକ୍ଷାର ପରିପୂର୍ଣ୍ଣ ହୋଇପାରିବ ନାହିଁ। ଦକ୍ଷତା, ଜ୍ଞାନ ଓ ଚରିତ୍ରର ସମ୍ମିଶ୍ରଣରେ ଜଣେ ବ୍ୟକ୍ତି ପୂର୍ଣ୍ଣାଙ୍ଗ ମନୁଷ୍ୟ ହୋଇପାରିବ। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଏକ ଭଲ ପଦକ୍ଷେପ ନେଇଛନ୍ତି। ଏଣିକି ମହାବିଦ୍ୟାଳୟ ଗୁଡ଼ିକରେ ପିଲା ମାନଙ୍କ ପାଇଁ ‘ଯୁବ ସଂସ୍କାର’ କ୍ଲାସ ହେବ। ଏନେଇ ରାଜ୍ୟ ସରକାରଙ୍କ ପ୍ରମୁଖ ସଚିବ ସାସ୍ୱତ ମିଶ୍ର ସମସ୍ତ ସରକାରୀ ଓ ସରକାର ଅନୁଦାନପ୍ରାପ୍ତ କଲେଜଗୁଡ଼ିକୁ ପତ୍ର ଲେଖିଛନ୍ତି।

‘ଯୁବ ସଂସ୍କାର’ କ୍ଲାସ ପାଇଁ କଲେଜ ଗୁଡ଼ିକରେ ସ୍ୱତନ୍ତ୍ର କୋଠରି ପ୍ରସ୍ତୁତ କରାଯିବ। ଏଠାରେ ଅଡିଓ/ଭିଜୁଆଲ ପ୍ରଦର୍ଶନ ପାଇଁ ବ୍ୟବସ୍ଥା କରାଯିବ। ଏଥି ପାଇଁ ୨ରୁ ୩ ଜଣ ଶିକ୍ଷକ ରହିବେ। ଏନ୍‌ଏସ୍‌ଏସ୍‌, ଓ୍ଵାଇଆର୍‌ସି କାଉନ୍‌ସେଲର, ଏନ୍‌ସିସି ଅଫିସରଙ୍କ ମୁଖ୍ୟତଃ ଏହି କ୍ଲାସରେ ଦାୟିତ୍ୱ ଦିଆଯାଇପାରିବ। ଜଣେ ବରିଷ୍ଠ ଶିକ୍ଷକଙ୍କ ତତ୍ତ୍ୱାବଧାନରେ ଏହି ଶିକ୍ଷକମାନେ କାମ କରିବେ।

ଅଡିଓ-ଭିଜୁଆଲ୍‌ ମାଧ୍ୟମରେ ‘ଯୁବ ସଂସ୍କାର’ କ୍ଲାସରେ ତମାଖୁ, ନିଶା ଏବଂ ମଦ କିପରି ଶରୀରକୁ କ୍ଷତି କରେ ସେ ବିଷୟରେ ଶିକ୍ଷା ଦିଆଯିବ। ଦେଶାତ୍ମବୋଧ, ସଂଗ୍ରାମ, ଦାୟିତ୍ୱବୋଧ, ସାଧୁତା, ସ୍ୱଚ୍ଛତା ଉପରେ ଗୁରୁତ୍ୱ ଦିଆଯିବ। ସେହିପରି ଅଭିଭାବକ, ବୟସ୍କ ଓ ବରିଷ୍ଠ ନାଗରିକଙ୍କୁ ସମ୍ମାନ ଉପରେ ଶିକ୍ଷା ଦିଆଯିବ। ଶିଶୁ, ମହିଳା, ଦିବ୍ୟାଙ୍ଗ, କିନ୍ନରଙ୍କୁ କିଭଳି ବ୍ୟବହାର କରାଯିବ, ସେନେଇ ମଧ୍ୟ ଶିକ୍ଷକମାନେ ପରାମର୍ଶ ଦେବେ।