ସ୍କୁଲରେ ଗଣିତକୁ ଡରୁଥିଲେ, ବିଶ୍ୱବିଦ୍ୟାଳୟରେ ଟପ୍ପର ହେଲେ । ୮ ଶହ ପିଲାଙ୍କୁ ପଛରେ ପକାଇ ଗଣିତରେ ସ୍ୱର୍ଣ୍ଣପଦକ ହାସଲ କଲେ ଓଡ଼ିଆ ଝିଅ ।

397

କନକ ବ୍ୟୁରୋ : ଯେତେବେଳେ ମଣିଷ ନିଜ ଦୁର୍ବଳତାକୁ ଅସ୍ତ୍ର ବୋଲି ମନେ କରେ ସେତେବେଳେ ତା’ପାଇଁ ସଫଳତାର ବାଟ ଫିଟିଯାଏ । ଶିକ୍ଷା କ୍ଷେତ୍ରରେ ମଧ୍ୟ ଏମିତି ଅନେକ ପ୍ରେରଣାଦାୟୀ ଖବର ଆପଣମାନେ ଗଣମାଧ୍ୟମରୁ ଜାଣିବାକୁ ପାଇଛନ୍ତି । ଆଉ ଏଭଳି ଖବରର ସଦ୍ୟ ଉଦାହରଣ ହେଉଛନ୍ତି ବଲାଙ୍ଗୀରର ପ୍ରତୀଶା ମିଶ୍ର । ପ୍ରତୀଶା, ସ୍କୁଲ ବେଳେ ଅଙ୍କରେ ବହୁତ ଦୁର୍ବଳ ଥିଲେ, ମିଶାଣ ଫେଡାଣ କରିବା ତାଙ୍କ ପାଇଁ କଷ୍ଟକର ହେଉଥିଲା । ହେଲେ ପିଜିରେ ତାଙ୍କୁ ସେହି ଅଙ୍କ ହିଁ ସ୍ୱର୍ଣ୍ଣ ପଦକ ବିଜେତା କରାଇଛି ।

ଦୁର୍ବଳ ଗଣିତ ଦେଇଛି ସ୍ୱର୍ଣ୍ଣ ପଦକ । କ୍ଲାସରୁମରେ ମିଶାଣ ଫେଡ଼ାଣ କରିବା କଷ୍ଟକର ହେଉଥିଲା କିନ୍ତୁ ଏବେ ଗଣିତରେ ୟୁନିଭର୍ସିଟି ଟପ୍ପର । ଗଣିତ ପାଇଁ ଗୋଲ୍ଡ ମେଡ଼ାଲ ଜିତିଛନ୍ତି ବଲାଙ୍ଗିର ତାଳପାଲିପଡ଼ାର ପ୍ରତୀଶା ମିଶ୍ର । ପିଲା ଦିନର ବିଫଳତାକୁ ଅସ୍ତ୍ର କରି ସଫଳତାର ସ୍ୱଦ ଚାଖିଛନ୍ତି । ପ୍ରତୀଶା କୁହନ୍ତି ଗଣିତକୁ ଡ଼ରିଲେ ହେବ ନାହିଁ, ଅଭ୍ୟାସର ଆବଶ୍ୟକତା ରହିଛି ।

ବଲାଙ୍ଗୀର ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟରୁ ସ୍ନାତକ ସାରିବା ପରେ ଝାଡଖଣ୍ଡ କେନ୍ଦ୍ରୀୟ ବିଶ୍ୱ ବିଦ୍ୟାଳୟରେ ଗଣିତରେ ସ୍ନାତକତ୍ତୋର କରୁଥିଲେ ପ୍ରତୀଶା । ପ୍ରାୟ ୮ଶହ ଛାତ୍ରଛାତ୍ରୀଙ୍କୁ ପଛରେ ପକାଇ ବିଶ୍ୱ ବିଦ୍ୟାଳୟ ଟପ୍ପର ହୋଇଛନ୍ତି ଓଡିଶା ଛାତ୍ରୀ । ଏଇ ନିକଟରେ ବିଶ୍ୱ ବିଦ୍ୟାଳୟ ସମାବର୍ତନ ଉତ୍ସବରେ ତାଙ୍କୁ ସ୍ୱର୍ଣ୍ଣ ପଦକରେ ପୁରସ୍କୃତ କରାଯାଇଛି ।

ମା’ଙ୍କ ତତ୍ୱାବଧାନରେ ଗଣିତରେ ଥିବା ଦୁର୍ବଳତାକୁ ଦୂର କରିଛନ୍ତି ପ୍ରତୀଶା । ଆଉ ଏବେ ଗଣିତ ପାଇଁ ସ୍ୱର୍ଣ୍ଣ ପଦକ ଜିତିବା ସହ ନିଜେ ପଢିଥିବା ବିଶ୍ୱବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ଗଣିତ ଶିକ୍ଷା ଦେଉଛନ୍ତି ।