ପତ୍ନୀଙ୍କ ସହ ରହିବାକୁ ଜେଲରେ ଉପବାସ ରହି ଅନଶନ କରୁଛନ୍ତି ସୁକେଶ ଚନ୍ଦ୍ରଶେଖର, ଅଡୁଆରେ ଜେଲ ପ୍ରଶାସନ

371

କନକ ବ୍ୟୁରୋ : ୨୦୦ କୋଟି ଟଙ୍କାରୁ ଅଧିକ ଠକି ନେଇ ବଲିଉଡର ହିରୋଇନମାନଙ୍କୁ ଉପହାର ଦେଇଥିବା ମହାଠକ ସୁକେଶ ଚନ୍ଦ୍ରଶେଖର ଏବେ ଜେଲରେ ନୂଆ ବାହାନା ଦେଖାଉଛନ୍ତି । ଦିଲ୍ଲୀ ତିହାର ଜେଲରେ ଥିବା ସୁକେଶ ଏବେ ନିଜ ପତ୍ନୀଙ୍କ ସହ ରହିବାକୁ ଜେଲରେ ଉପବାସ ରହି ଅନଶନ ଜାରି ରଖିଛନ୍ତି । ତିହାର ଜେଲର ଡିଜି କହିଛନ୍ତି କି ସୁକେଶ ଦାବି କରିଛନ୍ତି ଜେଲର ୬ ନମ୍ବର ମହିଳା କୋଠରୀରେ ବନ୍ଦିଥିବା ତାଙ୍କ ପତ୍ନୀ ଲୀନା ମାରିୟାଙ୍କ ସହ ରହିବାକୁ ଜିଦ୍ କରିଛନ୍ତି । ଏଭଳି କିଛି ଦାବି ଏବେ ଜେଲ ପ୍ରଶାସନର ମୁଣ୍ଡବିନ୍ଧାର କାରଣ ପାଲଟିଛି ।

ଜେଲ ଡିଜିଙ୍କ କହିବାକୁ ମୁତାବକ ଜେଲରେ ସ୍ତ୍ରୀ ସହିତ ରହିବାକୁ ଜିଦ କରି ସୁକେଶ ୨୩ ଏପ୍ରିଲ ରୁ ମଇ ୨ ତାରିଖ ପର୍ଯ୍ୟନ୍ତ ଉପବାସରେ ଅନଶନ କରିଥିଲେ । ଏବେ ପୁଣି ମଇ ୪ ତାରିଖରୁ ୧୨ ତାରିଖ ମଧ୍ୟରେ ସେ ଅନଶନ କରିଛନ୍ତି । ଏହି ଅନଶନ ବେଳେ ସୁକେଶ ଖାଦ୍ୟ ପାନୀୟ ବର୍ଜନ କରିଥିଲେ । ଏହାକୁ ନଜରରେ ରଖି ଜେଲ ପକ୍ଷରୁ ତାଙ୍କୁ ତରଳ ଗ୍ଲୁକୋଜ ଦିଆଯାଇଥିଲା ।

କହିରଖୁ କି ମହାଠକ ସୁକେଶ ୧୭ ବର୍ଷ ବୟସରୁ ନିଜର ଅପରାଧିକ କାର୍ଯ୍ୟକଳାପ ଆରମ୍ଭ କରିଥିଲେ । ସେ ନିଜକୁ ଜଣେ ବରିଷ୍ଠ ଅଧିକାରୀର ପରିଚୟ ଦେଇ ଲୋକଙ୍କ ଠାରୁ ଫୋନ ମାଧ୍ୟମରେ କୋଟି କୋଟି ଟଙ୍କା ଚାନ୍ଦା ଆଦାୟ କରୁଥିଲେ । ଏହି ଚାନ୍ଦା ଅର୍ଥରେ ସେ ବଲିଉଡର କିଛି ହିରୋଇନଙ୍କୁ ଦାମୀ ଉପହାର ଦେଇ ସେମାନଙ୍କ ସହ ପ୍ରେମ ସଂପର୍କ ରଖିଥିବା କଥା ଏବେ ଇଡି ଖୋଲାସା କରିଛି ।