ସେବା ନ ଯୋଗାଇ ବି ଟିକସ ନେଉଛି ବିଏମସି । ପାଇଖାନା ପାଇଁ ବିଏମସି ନେଉଛି ହଜାରେ, ୱାଟକୋ ନେଉଛି ୬୦୦ ।

65

କନକ ବ୍ୟୁରୋ : ହୋଲଡିଂ ଟିକସ ବୃଦ୍ଧିକୁ ନେଇ ରାଜଧାନୀବାସୀଙ୍କ ଅସନ୍ତୋଷ ବଢ଼ିବାରୁ ରାଜ୍ୟ ସରକାର ବର୍ଦ୍ଧିତ ଟିକସ ଆଦାୟକୁ ସ୍ଥଗିତ ରଖିଛନ୍ତି। କହିଛନ୍ତି ଯେ, ହାଇକୋର୍ଟଙ୍କ ଚୂଡ଼ାନ୍ତ ରାୟ ଯାହା ଆସିବ ସେହି ଅନୁଯାୟୀ ହୋଲଡିଂ ଟିକସ ଆଦାୟ ହେବ। ହେଲେ ହୋଲଡିଂ ଟିକସ ଆଦାୟ ଯେ ଭୁଲ୍‌ ହିସାବରେ ହେଉଛି ତାହା ନଗର ଉନ୍ନୟନ ବିଭାଗ ବୁଝିବାକୁ ନାରାଜ। ହାଇକୋର୍ଟଙ୍କୁ ଢାଲ କରି ସମସ୍ତେ ନିଜ ମୁଣ୍ଡରୁ ଦୋଷ ଖସାଉଛନ୍ତି। ଏପରିକି ହାଇକୋର୍ଟରେ ମାମଲା ଦାୟର କରିଥିବା ଅନୁଷ୍ଠାନ ବି ହୋଲଡିଂ ଟିକସ ହିସାବ ଭୁଲ୍‌ ବୋଲି ଉପସ୍ଥାପନ କରୁନି। ଯାହାର ଫାଇଦା ବିଏମସି ଉଠାଉଛି। ବିନା ସେବାରେ ବିଏମସି ବର୍ଷ ବର୍ଷ ଧରି ଲୋକଙ୍କୁ ଭୁଆଁ ବୁଲାଇ ହୋଲଡିଂ ଟିକସ ଆଦାୟ କରୁଛି। ବିବିଭ୍ନ ରାଜନୈତିକ ଦଳ ଏବଂ ଆନ୍ଦୋଳନ କରୁଥିବା ଲୋକେ କିପରି ଟିକସ କମିଯିବ ସେ କଥା କହୁଛନ୍ତି। କିନ୍ତୁ ବିଏମସି ଯେଉଁ ସେବା ନ ଯୋଗାଇ ଟିକସ ନେଉଛି ତାହା କେହି ଉଠାଉନାହାନ୍ତି।

ବିଏମସି ହୋଲଡିଂ ଟିକସ ହିସାବରେ ଯେଉଁ ୨.୫% ଲାଟ୍ରିନ୍ ଟ୍ୟାକ୍ସ ନେଉଛି ସେଥିପାଇଁ ୱାଟକୋ (ପୂର୍ବରୁ ଜନସ୍ବାସ୍ଥ୍ୟ ବିଭାଗ) ୫୦ଟଙ୍କା ଲେଖାଏଁ ଟିକସ ନେଉଛନ୍ତି। ଏବେବି ଯେଉଁମାନଙ୍କର ପାଇଖାନା ସ୍ବେରେଜ୍ ଲାଇନକୁ ସଂଯୋଗ ହୋଇଛି ସେମାନେ ମାସକୁ ୫୦ଟଙ୍କା ହିସାବରେ ବର୍ଷକୁ ୬୦୦ଟଙ୍କା ଦେଉଛନ୍ତି। ଏପଟେ ବିଏମସି ହୋଲଡିଂ ଟିକସ ହିସାବରେ ଜମି ଓ ଘରର ବାର୍ଷିକ ମୂଲ୍ୟ ଉପରେ ୨.୫% ବାବଦକୁ କେଉଁଠୁ ହଜାରେ ତ କେଉଁଠୁ ଦୁଇ ହଜାର ଟଙ୍କା ଆଦାୟ କରୁଛନ୍ତି। ବିଏମସି କର୍ତ୍ତୃପକ୍ଷ ଏହା ଜାଣିଛନ୍ତି। କିନ୍ତୁ ଲୋକଙ୍କ ବିରୋଧ ନ ଥିବାରୁ ଏବଂ ଓଡ଼ିଶା ମ୍ୟୁନିସପାଲ ଆକ୍ଟ-୧୯୫୦ ଅନୁସାରେ ହୋଲଡିଂ ଟିକସ ଆଦାୟ କରୁଥିବାରୁ ଏଥିରେ ପରିବର୍ତ୍ତନ ଆଣୁନାହାନ୍ତି।

ଆଗ ଭଳି ରାଜଧାନୀରେ ଅଧିକାଂଶ ‌େଲାକଙ୍କ ଘରର ପାଇଖାନା ମଳ ଆଉ ସ୍ବେରେଜ୍ ଲାଇନରେ ନିଷ୍କାସନ ହେଉନି। ଯେଉଁ କେତେକ ଅଞ୍ଚଳରେ ନିଷ୍କାସନ ହେଉଛି ସେମାନେ ୱାଟକୋକୁ ଟଙ୍କା ଦେଉଛନ୍ତି। କାରଣ ମଳ ନିଷ୍କାସନ ହେଉଥିବା ସ୍ବେରେଜ୍ ଲାଇନ, ମ୍ୟାନହୋଲ୍‌ ଚାମ୍ବର ମରାମତି ଓ ନୂଆ ନିର୍ମାଣ କାମ ୱାଟକୋ କରୁଛି। ଏହାବାଦ୍ ଯେଉଁମାନେ ସ୍ବେରେଜ୍ ଲାଇନକୁ ପାଇଖାନା ସଂଯୋଗ କରିନାହାନ୍ତି ସେମାନେ ସେପ୍ଟିକ୍ ଟାଙ୍କି କରିଛନ୍ତି। ଏହି ଟାଙ୍କିରୁ ମଳ ନିଷ୍କାସନ ପାଇଁ ସେମାନେ ବିଏମସି କିମ୍ବା ଘରୋଇ ସଂସ୍ଥାକୁ ସ୍ବେରେଜ୍ ଟ୍ୟାଙ୍କ ଆଣି ନିଷ୍କାସନ କରନ୍ତି। ଏଥିପାଇଁ ପ୍ରାୟ ୨ରୁ ୩ହଜାର ଟଙ୍କା ଟ୍ରିପ୍ ପିଛା ଦିଅନ୍ତି। ବିଏମସି ମାଗଣାରେ ବି ସେବା ଯୋଗାଉନି। ଏପରିକି ସ୍ବେରେଜ୍‌ ଟ୍ରିଟମେଣ୍ଟ ପ୍ଲାଣ୍ଟ ବି ବିଏମସି ଅଧୀନରେ ନାହିଁ। ଅଥଚ ଲୋକଙ୍କ ଠାରୁ ଲାଟ୍ରିନ୍ ଟ୍ୟାକ୍ସ ବାବଦକୁ ହଜାର ହଜାର ଟଙ୍କା ନେଉଛି।

ବିଏମସିର ଟିକସ ଜୁଲମ୍‌ ହିସାବ କଲେ ଜଣେ ଆଶ୍ଚର୍ଯ୍ୟ ହୋଇଯିବ। ଯଦି ଜଣଙ୍କର ସହିଦନଗରରେ ୨ହଜାର ବର୍ଗଫୁଟରେ ଏକ ଆବାସିକ ଜମି ଅଛି ଏବଂ ସେଠାରେ ୨୦୦ ବର୍ଗମିଟର ବା ୨୧୫୨.୭୮ ବର୍ଗଫୁଟର ଘର ଅଛି ତେବେ ତାଙ୍କୁ ହୋଲଡିଂ ଟିକସ ବାବଦକୁ ବର୍ଷକୁ ୮୭୬୫ଟଙ୍କା ଦେବାକୁ ପଡ଼ୁଛି। ଏଥିରେ ୯୨୦ଟଙ୍କା କେବଳ ଲାଟ୍ରିନ୍ ଟ୍ୟାକ୍ସ। ଯେଉଁ ଟିକସ ଆଦାୟ କରିବା ବିଏମସିର ନିୟମ ବାହାରେ। ମାତ୍ର ବିଏମସି ସେ ବାବଦକୁ ଟିକସ ନେଉଛି। ସହିଦନଗରରେ ଅଧିକାଂଶ ଜମି ସାଧାରଣ ପ୍ରଶାସନ ଆବଣ୍ଟିତ ଜମି। କେଉଁଠି ୩ହଜାର ତ କେଉଁଠି ୫ହଜାର ବର୍ଗଫୁଟର ଜମି ଅଛି। ଯେଉଁଠି ଗୋଟିଏ ଘରୁ ବିଏମସି ଲାଟ୍ରିନ୍ ଟିକସ ବାବଦକୁ ହଜାର ହଜାର ଟଙ୍କା ବାର୍ଷିକ ଆଦାୟ କରୁଛି। ସେହି ଲୋକମାନେ ବି ଏବେ ୱାଟକୋକୁ ବର୍ଷକୁ ୬୦୦ଟଙ୍କା ଦେଉଛନ୍ତି।

ଏ ନେଇ ବିଏମସିର ଜଣେ ଅଧିକାରୀ କହିଛନ୍ତି ଯେ, ଭୁବନେଶ୍ବର ଯେତେବେଳେ ଏନ୍‌ଏସି ହେଲା ସେବେଠାରୁ ବିଏମ୍‌ସି କର୍ମଚାରୀ ମଇଳା ଟାଙ୍କି ସଫା କରୁଥିଲେ। ବିଏମସି କର୍ମଚାରୀ ଲୋକଙ୍କ ଘରକୁ ଯାଇ ପାଇଖାନା ସଫା କରୁଥିଲେ। ତେଣୁ ସେତେବେଳେ ଟିକସ ନେଉଥିଲା। ଏହାପରେ ଜନସ୍ବାସ୍ଥ୍ୟ ବିଭାଗ ଏହି କାମ କରିବାରୁ ଜନସ୍ବାସ୍ଥ୍ୟ ବିଭାଗ ଲୋକଙ୍କଠାରୁ ଟିକସ ନେଲା। କିନ୍ତୁ ଆଶ୍ଚର୍ଯ୍ୟର ବିଷୟ ହେଲା, ବିଏମସି ପୂର୍ବରୁ ଯେଉଁ ହାରରେ ଟିକସ ଆଦାୟ କରୁଥିଲା ଏବେବି ସେହି ଧାରା ଜାରି ରହିଛି। ୱାଟକୋ କର୍ତ୍ତୃପକ୍ଷଙ୍କୁ ଏ ନେଇ ପଚାରିବାରୁ ସେ କହିଛନ୍ତି ଯେ, ଆମେ ତ ମ୍ୟାନହୋଲ୍‌ ସଫା କରୁଛୁ, ମରାମତି କରୁଛୁ, ନୂଆ ସ୍ବେରେଜ୍ ଲାଇନ୍ ପକାଉଛୁ। ତେଣୁ ଆମେ ଟିକସ ଆଦାୟ କରୁଛୁ। ପୂର୍ବରୁ ଏହା ଆବାସିକ ଘର ପାଇଁ ମାସକୁ ୨୦ଟଙ୍କା ଥିବାବେଳେ ଏବେ ଏହା ୫୦ଟଙ୍କା ହୋଇଛି। ବ୍ୟବସାୟିକ ପ୍ରତିଷ୍ଠାନରେ ୧୦୦ଏମଏମ୍‌ ଡାଇଆ ପାଇପ୍ ପଡ଼ିଥିଲେ ଏଥିପାଇଁ ମାସକୁ ୨୦୦ଟଙ୍କା, ୧୫୦ଏମଏମ୍ ପାଇପ୍ ପଡ଼ିଥିଲେ ୩୦୦ଟଙ୍କା ଆଦାୟ ହେଉଛି।