ବିଜେପିର ଜନଆକ୍ରୋଶ ଆନ୍ଦୋଳନ । ବେତନଟୀ ବ୍ଲକ ଘେରାଉ କଲେ ବିଜେପି କର୍ମୀ । ଦୁର୍ନୀତି ବିରୋଧରେ କଲେ ସ୍ୱର ଉତ୍ତୋଳନ ।

119

କନକ ବ୍ୟୁରୋ: ରାଜ୍ୟବ୍ୟାପୀ ବିଜେପିର ଜନଆକ୍ରୋଶ ଆନ୍ଦୋଳନ ଆରମ୍ଭ ହୋଇଛି । ଏନେଇ ସମଗ୍ର ରାଜ୍ୟରେ ହେଉଥିବା ଦୁର୍ନୀତି, ଭ୍ରଷ୍ଟାଚାର, ପିସି କାରବାର ଆଦି ଅନୀତିକର ଘଟଣାରେ ରାଜ୍ୟ ସରକାରଙ୍କୁ ଦାୟୀ କରି ଏହି ଆକ୍ରୋଶ ଆନ୍ଦୋଳନ ଜାରି ରଖିଛି ବିଜେପି । ସରକାରଙ୍କ ମିଛ ବିକାଶ ପ୍ରଚାର ଅଭିଯୋଗ କରି ବ୍ଲକ୍ ଓ ପଞ୍ଚାୟତସ୍ତରରେ ଗର୍ଜନ କରୁଛି ବିଜେପି । ବେକାରୀ ସମସ୍ୟାରୁ ପିସି କାରବାର, ଆଇନଶୃଙ୍ଖଳାରୁ ନେଇ ଆବାସ ଘୋଟଲା, ଦୁର୍ନୀତିର ଲମ୍ବା ଚିଠା ରଖି ଆନ୍ଦୋଳନ କରି ରାଜ୍ୟ ସରକାରଙ୍କୁ ଘେରିଛି ବିଜେପି ।

ଏହି ପରିପ୍ରେକ୍ଷୀରେ ଆଜି ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ନିର୍ବାଚନ ମଣ୍ଡଳୀ ଅଧିନସ୍ଥ ବେତନଟୀ ବ୍ଲକ ଘେରାଉ କରିଛି ବିଜେପି । ପ୍ରଥମେ ବିଜେପି କର୍ମୀମାନେ ବେତନଟୀ ହାଟ ଛକ ନିକଟରୁ ଏକ ବିରାଟ ପଦଯାତ୍ରାରେ ଆସି ବ୍ଲକ୍ କାର୍ଯ୍ୟାଳୟରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ସ୍ଥାନୀୟ ବଡ଼ସାହି ବିଧାୟକ ସନାତନ ବିଜୁଳିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଆନ୍ଦୋଳନରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଲୋକସଭା ସାଂସଦ ପ୍ରତାପ ଷଡ଼ଙ୍ଗୀ, ଜିଲ୍ଲା ସଭାପତି କାନ୍ଦ୍ରା ସୋରେନ୍, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କୃଷ୍ଣଚନ୍ଦ୍ର ମହାପାତ୍ର ପ୍ରମୁଖ ଯୋଗ ଦେଇଥିବା ବେଳେ ବଡ଼ସାହି ନିର୍ବାଚନ ମଣ୍ଡଳୀର ହଜାର ହଜାର ବିଜେପିର ମହିଳା ଓ ପୁରୁଷକର୍ମୀ ଯୋଗ ଦେଇଥିଲେ । ଏବଂ ଅଞ୍ଚଳରେ ହୋଇଥିବା ବିଭିନ୍ନ ପ୍ରକାରର ଦୁର୍ନୀତି ବିରୋଧରେ ସ୍ୱର ଉତ୍ତୋଳନ କରିଥିଲେ ।