ଜୟ ଜଗନ୍ନାଥ ଡିଗ୍ରୀ କଲେଜରେ ଶିଶୁ ଦିବସ ଓ ନବାଗତ ଛାତ୍ରଛାତ୍ରୀଙ୍କ ପାଇଁ ପାଳିତ ହେଲା ସ୍ୱାଗତ ଉତ୍ସବ । ଜୟପୁରକୁ ଶିକ୍ଷାର ହବ୍ କରିବାକୁ କହିଲେ ବିଧାୟକ ତାରା ବାହିନୀପତି ।

182

କନକ ବ୍ୟୁରୋ : ବିକ୍ରମ ଦେବ ବିଶ୍ୱବିଦ୍ୟାଳୟ ଅଧିନରେ ନୂତନ ଭାବେ ଖୋଲା ଯାଇଥିବା ଜୟ ଜଗନ୍ନାଥ ଡିଗ୍ରୀ କଲେଜରେ ଶିଶୁ ଦିବସ ଓ ନବାଗତ ଛାତ୍ରଛାତ୍ରୀଙ୍କ ପାଇଁ ସ୍ୱାଗତ ଉତ୍ସବ ବା ଫ୍ରେସର ପାର୍ଟି ମହାଆଡମ୍ବରରେ ପାଳିତ ହୋଇଯାଇଛି। ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିବା ସହ ସମବେତ ଛାତ୍ରଛାତ୍ରୀ ଓ ଅଭିଭାବକମାନଙ୍କୁ ସମ୍ବୋଧିତ କରିଥିଲେ। ନିଜ ଭାଷଣରେ ଜୟପୁରକୁ ଏକ ଶିକ୍ଷା ହବ୍ କରିବାକୁ ତାଙ୍କ ସଙ୍କଳ୍ପ ସମ୍ବନ୍ଧରେ କହିବା ସହ ପୁଅଝିଅ ମାନେ ବାପାମାଆଙ୍କ ସମ୍ପତି। ତେଣୁ ଛାତ୍ର ଛାତ୍ରୀ ମାନେ ନିଜର କଠିନ ପରିଶ୍ରମ ମାଧ୍ୟମରେ ସେମାନଙ୍କ ସ୍ବପ୍ନ ସାକାର କରିବା ପାଇଁ ଆହ୍ବାନ ଦେଇଥିଲେ। ସେହିପରି ମୁଖ୍ୟବକ୍ତା ରୂପେ ଯୋଗଦେଇ ଥିବା ବିକ୍ରମ ଦେବ ବିଶ୍ବବିଦ୍ୟାଳୟର ଶିକ୍ଷକ ଶିକ୍ଷା ବିଭାଗର ବିଭାଗୀୟ ମୁଖ୍ୟ ଡ଼ ମନୋରଞ୍ଜନ ପ୍ରଧାନ ଛାତ୍ର ଛାତ୍ରୀ ମାନଙ୍କୁ ଆଜିର ଆହ୍ଵାନ ଓ ଛାତ୍ର ଛାତ୍ରୀ ମାନଙ୍କ ପରିଶ୍ରମ, ପୁରୁଷାର୍ଥ ଓ ଯୋଗଦାନ ସମ୍ପର୍କରେ ଆଲୋକପାତ କରିଥିଲେ। ଡ଼ ପ୍ରଧାନ କହିଥିଲେ, କଲେଜ ଛାତ୍ରଛାତ୍ରୀ ମାନଙ୍କୁ ସାଧନ ଯୋଗାଇ ଦେବ କିନ୍ତୁ ସାଧନା କରିବା ଛାତ୍ରଛାତ୍ରୀ ମାନଙ୍କ କାମ। ଉଦାହରଣ ଛଳରେ ବିଭିନ୍ନ ବ୍ୟକ୍ତି ବିଶେଷଙ୍କ ଉଦାହରଣ ଦେଇ ସମବେତ ଜନତାଙ୍କୁ ଉଦବୋଧନ ଦେଇଥିଲେ।

ସମ୍ମାନୀତ ଅତିଥି ଭାବରେ ଯୋଗଦେଇ ଥିବା ଜୟପୁର ମୁନସିପାଲିଟିର ଅଧ୍ୟକ୍ଷ ନରେନ୍ଦ୍ର ମହାନ୍ତି ଛାତ୍ରଛାତ୍ରୀମାନଙ୍କୁ ମାର୍କ ପଛରେ ନ ଗୋଡାଇ ଦକ୍ଷ ଓ କୁଶଳୀ ହେବାକୁ ମାର୍ଗଦର୍ଶନ କରିଥିଲେ।କଲେଜର ନିର୍ଦ୍ଦେଶକ ଗଣେଶ ସାହୁ ଓ ପ୍ରଦୀପ ନାୟକ କଲେଜର ଗୁଣାତ୍ମକ ଶିକ୍ଷା, ମୂଲ୍ୟବୋଧର ବିକାଶ ଓ ନିୟୋଜନ ସମ୍ବନ୍ଧରେ ଆଲୋଚନା କରିଥିଲେ। ଉପସ୍ଥିତ ବିଧାୟକ, ଅଧ୍ୟକ୍ଷ ଓ ମୁଖ୍ୟବକ୍ତାଙ୍କୁ ସମ୍ମାନିତ କରାଯାଇଥିଲା। ଶେଷରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଅନୁଷ୍ଠାନର ପୂର୍ବ ଓ ବର୍ତ୍ତମାନର ଛାତ୍ରଛାତ୍ରୀମାନେ ନୃତ୍ୟ, ଗୀତ ଓ ସଙ୍ଗୀତ ପରିବେଷଣ କରିଥିଲେ।