ଲୋକସଭାରେ ଦିଲ୍ଲୀ ସେବା ସଂଶୋଧନ ବିଲ ଆଗତକୁ ନେଇ ଝଡ : ବିରୋଧୀ କହିଲେ ଲୋକତନ୍ତ୍ରକୁ ଦୁର୍ବଳ କରୁଛି କେନ୍ଦ୍ର

119

କନକ ବ୍ୟୁରୋ : ଅଧିକାରୀଙ୍କ ନିଯୁକ୍ତି ଓ ସ୍ଥାନାନ୍ତର ସହ ଜଡିତ ଦିଲ୍ଲୀ ସେବା ସଂଶୋଧନ ବିଲ ମଙ୍ଗଳବାର ଲୋକସଭାରେ ଆଗତ ହୋଇଛି । ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ଏବଂ ହୋହଲ୍ଲା ମଧ୍ୟରେ ଆଜି ଦିଲ୍ଲୀ ସେବା ନିଯୁକ୍ତି ବିଲ୍‌କୁ ସରକାର ଲୋକସଭାରେ ଆଗତ କରିଥିଲେ । ବିରୋଧୀ ସାଂସଦମାନେ ଉକ୍ତ ବିଲ୍‌କୁ ତୀବ୍ର ବିରୋଧ କରିଛନ୍ତି ।

ବିରୋଧୀ ଦଳ ନେତା ଅଧୀର ରଂଜନ ଚୌଧୁରୀ ଏହାକୁ ବିରୋଧ କରି କହିଛନ୍ତି କେନ୍ଦ୍ର ସରକାର ସମ୍ବିଧାନକୁ ଦୁର୍ବଳ କରୁଛନ୍ତି । ଦିଲ୍ଲୀ ସରକାରଙ୍କ ଅଧିକାରକୁ ହ୍ରାସ କରିବା ପାଇଁ ଏହା ଏକ ପ୍ରୟାସ ବୋଲି କହିଛନ୍ତି ବିରୋଧୀ । ଏହି ବିଲ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ବିରୋଧୀ ବୋଲି କହିଛନ୍ତି । ବିଲ ଆଗତ ସମୟରେ ଗୃହରେ ପ୍ରବଳ ହଟ୍ଟଗୋଳ ଦେଖିବାକୁ ମିଳିଛି । ସରକାରଙ୍କ ବିରୋଧରେ ସ୍ଲୋଗାନ ଦେଇ ହଙ୍ଗାମା କରିଥିଲେ ବିରୋଧୀ ।

କିନ୍ତୁ କେନ୍ଦ୍ର ସରକାର ବିରୋଧୀଙ୍କ ଅଭିଯୋଗକୁ ଖଣ୍ଡନ କରିଛନ୍ତି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି, ଦିଲ୍ଲୀ ପାଇଁ ଆଇନ ତିଆରି କରିବାପାଇଁ ସମ୍ବିଧାନ ସଂସଦକୁ ଅନୁମତି ଦେଇଛି । ବିଲ୍‌ ବିରୋଧରେ ଯେଉଁ ଟିପ୍ପଣୀ ଦିଆଯାଇଛି ତାହା ରାଜନୈତିକ ଏବଂ ତା’ର କୌଣସି ଆଧାର ନାହିଁ ବୋଲି ଶାହ କହିଛନ୍ତି ।