ବିଜେପି ନେତାଙ୍କ ଇସଲାମ ବିରୋଧୀ ମନ୍ତବ୍ୟ ପାଲଟିଲା ଅନ୍ତର୍ଜାତୀୟ ପସଙ୍ଗ । ଭାରତ ରାଷ୍ଟ୍ରଦୂତଙ୍କୁ କତାର, କୁଏତ ଓ ଇରାନର ସମନ

396

କନକ ବ୍ୟୁରୋ : ବିଜେପିର ଦୁଇ ନେତା ନୁପୁର ଶର୍ମା ଓ ନବୀନ ଜିନ୍ଦଲଙ୍କ ଇସଲାମ ବିରୋଧୀ ମନ୍ତବ୍ୟ ଧୀରେ ଧୀରେ ଅନ୍ତର୍ଜାତୀୟ ପ୍ରସଙ୍ଗ ପାଲଟିବାରେ ଲାଗିଛି । ଦୁଇ ନେତାଙ୍କ ବିରୋଧରେ ବିଜେପି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରେ ବି ମାମଲା ଥଣ୍ଡା ପଡିବାର ନାଁ ଧରୁ ନାହିଁ । ବରଂ କତାର, କ୍ୱଏତ୍ , ଇରାନ ଓ ପାକିସ୍ତାନ ଭଳି ଇସଲାମିକ ଦେଶ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । କତାର ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ଭାରତୀୟ ରାଷ୍ଟ୍ରଦୂତଙ୍କୁ ଡକାଇ ଏହି ପ୍ରସଙ୍ଗରେ ଅସନ୍ତୋଷ ପ୍ରକଟ କରାଯାଇଛି । ଏବଂ କତାର ପକ୍ଷରୁ କୁହାଯାଇଛି ବିଜେପି ସଦସ୍ୟଙ୍କ ଇସଲାମ ବିରୋଧୀ ମନ୍ତବ୍ୟକୁ ନିନ୍ଦା କରୁଛି । ଏପରି ବ୍ୟକ୍ତିଙ୍କୁ ଦଣ୍ଡ ନଦେଲେ ତାହା ସମାଜରେ ହିଂସାକୁ ପ୍ରୋତ୍ସାହିତ କରିବ । ମାନବ ଅଧିକାରର ସୁରକ୍ଷା ଦିଗରେ ଏହା ବିପଦ ସୃଷ୍ଟି କରିବ ।

ସେହିପରି ଏଭଳି ଆପତ୍ତିଜନକ ଟିପଣୀ ପାଇଁ ସର୍ବସାଧାରଣରେ କ୍ଷମା ମାଗିବାକୁ ଦାବି କରିଛି କୁଏତ୍ । ଇରାନ ପକ୍ଷରୁ ଭାରତକୁ ମଧ୍ୟ ସମନ କରାଯାଇ ଏଭଳି ମନ୍ତବ୍ୟର ନିନ୍ଦା କରାଯାଇଛି । ନୁପରୁଙ୍କ ଇସଲାମ ବିରୋଧୀ ମନ୍ତବ୍ୟ ବିରୋଧରେ ସାଉଦି ଆରବ ଓ ୟୁଏଇରେ ଅସନ୍ତୋଷ ଦେଖା ଦେଇଛି । ଏହାର ପ୍ରତିବାଦରେ ଲୋକମାନେ ବିଭିନ୍ନ ସୁପରମାର୍କେଟରେ ଥିବା ଭାରତୀୟ ଉତ୍ପାଦର ବହିଷ୍କାର କରିଛନ୍ତି । ଉତ୍ତରରେ ଭାରତୀୟ ଦୂତାବାସ ପକ୍ଷରୁ କୁହାଯାଇଛି ସମ୍ପୃକ୍ତ ମନ୍ତବ୍ୟକୁ କୌଣସି ପ୍ରକାରରେ ଭାରତ ସରକାରଙ୍କ ମନ୍ତବ୍ୟ ବୋଲି କୁହାଯାଇପାରିବ ନାହିଁ । ଏପରି ମନ୍ତବ୍ୟ କିଛି ହତଗଣତି ଲୋକଙ୍କ ମନ୍ତବ୍ୟ । ଭାରତ ସରକାର ସବୁ ଧର୍ମ ପ୍ରତି ସମ୍ମାନ ରଖନ୍ତି । ବିଜେପି ପକ୍ଷରୁ ମଧ୍ୟ ଉଭୟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।

ନୁପୁର ଶର୍ମାଙ୍କୁ ଦଳରୁ ନିଲମ୍ବିତ ଓ ଜିନ୍ଦଲଙ୍କୁ ବହିଷ୍କାର କରାଯାଇଛି । ନୂପୁର ଶର୍ମା ଏକ ଟିଭି ସୋରେ ଭାଗ ନେବା ସମୟରେ ପୈଗମ୍ବର ମହମ୍ମଦଙ୍କ ସମ୍ପର୍କରେ ଆପତିଜନକ ଟିପଣୀ ଦେଇଥିଲେ । ସେହିପରି ନବୀନ ଜିନ୍ଦଲ ମଧ୍ୟ ଆପତ୍ତିଜନକ ଟୁଇଟ୍ କରିଥିଲେ । ଯାହାକୁ ନେଇ ଇସଲାମିକ୍ ଦେଶମାନେ ଆପତ୍ତି ଉଠାଇଛନ୍ତି । ବିବାଦ ବଢ଼ୁଥିବାବେଳେ ନୁପୁର ନିଃସର୍ତ କ୍ଷମା ପ୍ରାର୍ଥନା କରିଛନ୍ତି । କହିଛନ୍ତି, କିଛି ଦିନ ହେଲା ମହାଦେବଙ୍କୁ ନେଇ ଅପମାନଜନକ କଥା କୁହାଯାଉଥିଲା । ଏହାର ଜବାବରେ ସେ କେତେକ କଥା କହିଥିଲେ । ଏହା ଦ୍ୱାରା ଯଦି କାହାର ଧାର୍ମିକ ଭାବାବେଗକୁ ଆଘାତ ପହଁଚିଥାଏ, ତାହେଲେ ସେ ନିଜର ବୟାନକୁ ପ୍ରତ୍ୟାହାର କରି ନେଉଛନ୍ତି ଓ ନିଃସର୍ତ କ୍ଷମା ମାଗୁଛନ୍ତି ।