ପାଖଉଛି ନିର୍ବାଚନ, ବଢୁଛି ବୟାନବାଜୀ । ବିଜେପି ଉପରେ ‘ଆପ’ର ଅଭିଯୋଗ

78

କନକ ବ୍ୟୁରୋ : ବିଜେପି ଉପରେ ଏବେ ଏହି ବଡ ଅଭିଯୋଗ ଆଣିଛି ଆମ ଆଦମୀ ପାର୍ଟି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜ୍ରିୱାଲଙ୍କୁ ଜୀବନରୁ ମାରିଦେବା ପାଇଁ ବିଜେପି ଷଡଯନ୍ତ୍ର କରୁଥିବା ଅଭିଯୋଗ ଆଣିଛି ଦଳ । ସାମ୍ବାଦିକ ସମ୍ମିଳନୀ କରି ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ ସିଧାସଳଖ ବିଜେପିକୁ ଦାୟୀ କରିଛନ୍ତି । ଗୁଜରାଟ ଓ ଏମସିଡି ନିର୍ବାଚନରେ ପରାଜୟ ଭୟରେ ବିଜେପି କେଜ୍ରିୱାଲଙ୍କ ହତ୍ୟା କରିବାକୁ ଷଡଯନ୍ତ୍ର କରୁଥିବା ଆପ୍ କହିଛି । ବିଜେପି ସାଂସଦ ମନୋଜ ତିୱାରୀ ଖୋଲାଖୋଲି କେଜ୍ରିୱାଲଙ୍କ ଉପରେ ଆକ୍ରମଣ ପାଇଁ କର୍ମୀଙ୍କୁ ପ୍ରବର୍ତାଉଛନ୍ତି ଓ ଏହା ପାଇଁ ପୂରା ଯୋଜନା ସରିଛି । ବିଜେପି ଏହି ଗୁଣ୍ଡାଗର୍ଦ୍ଦିର ଜବାବ ଜନତା ଦେବେ ବୋଲି ମନିଷ ସିସୋଦିଆ କହିଛନ୍ତି ।

ନିକଟରେ ବିଜେପି ନେତା ମନୋଜ ତିୱାରୀ ଏକ ଟୁଇଟ କରିଥିଲେ ଆଉ ଲେଖିଥିଲେ ଯେ ସେ ଅରବିନ୍ଦ କେଜ୍ରିୱାଲଙ୍କ ସୁରକ୍ଷାକୁ ନେଇ ବେଶ୍ ଚିନ୍ତାରେ ଅଛନ୍ତି । କାରଣ ଆପ ଓ ଏହାର ନେତାମାନେ ଯେଉଁ ଦୁର୍ନିତୀ କରୁଛନ୍ତି, ତାକୁ ନେଇ ଜନତା ଅସନ୍ତୁଷ୍ଟ ଅଛନ୍ତି । ନିକଟରେ ଦଳର ଜଣେ ନେତାଙ୍କୁ ମଧ୍ୟ ମାଡ଼ ମରାଯାଇଛି । ଆଗକୁ ମୁଖ୍ୟମନ୍ତ୍ରୀଙ୍କ ସହ ଏଭଳି କିଛି ଘଟିବା ଆଶଙ୍କା ରହିଛି । ଦୋଷୀଙ୍କୁ କେବଳ ଆଇନ ହିଁ ଦଣ୍ଡ ଦେଉ ବୋଲି ମନୋଜ ଟୁଇଟ କରିଥିଲେ । ଏହି ଟୁଇଟକୁ ଆଧାର କରି ବିଜେପି ଉପରେ ହତ୍ୟା ଷଡଯନ୍ତ୍ରର ଅଭିଯୋଗ ଆଣିଛି ଆପ୍ । ସେପଟେ ମନିଷ ସିସୋଦିଆଙ୍କ ଅଭିଯୋଗର ପାଲଟା ଜବାବ ରଖିଛନ୍ତି ମନୋଜ ତିୱାରୀ ।

ଆଗକୁ ଗୁଜରାଟ ଓ ଦିଲ୍ଲୀ ଏମସିଡି ନିର୍ବାଚନ । ଏହା ପୂର୍ବରୁ ବିଜେପି ଓ ଆମ ଆଦମୀ ପାର୍ଟି ମଧ୍ୟରେ ତେଜୁଛି ବିବାଦ । ଆପ ମନ୍ତ୍ରୀ ଓ ନେତାଙ୍କ ବିରୋଧରେ କେବେ ବିଜେପି ସଂଗୀନ ଅଭିଯୋଗ ଆଣୁଛି ପୁଣି କେବେ ବିଜେପି ବିରୋଧରେ ଗୋଟେ ପଟେ ଅଭିଯୋଗ ଆଣୁଛି ଆପ୍ । ଦୁଇ ଦଳ ମଧ୍ୟରେ ରାଜନୈତିକ ଟକ୍କର ଦିନକୁ ଦିନ ବଢିବାରେ ଲାଗିଛି ।