ଚର୍ଚ୍ଚିତ ଶ୍ରଦ୍ଧା ହତ୍ୟାକାଣ୍ଡ ମାମଲା । ପୁଣି ହେବ ଅଫତାବର ପଲିଗ୍ରାଫ ଟେଷ୍ଟ

87

କନକ ବ୍ୟୁରୋ : ବହୁ ଚର୍ଚ୍ଚିତ ଶ୍ରଦ୍ଧା ୱାଲକର ହତ୍ୟାକାଣ୍ଡ ମାମଲାରେ ଅଭିଯୁକ୍ତ ଅଫତାବର ପୁଣି ଥରେ ହେବ ପଲିଗ୍ରାଫ ଟେଷ୍ଟ । ଗୁରୁବାର ଦିନ ଦିଲ୍ଲୀର ରୋହିନୀ ଫରେନସିକ୍ ସାଇନ୍ସ ଲାବ୍ରୋଟେରୀରେ ୮ ଘଂଟା ଧରି ଅଫତାବର ପଲିଗ୍ରାଫ ଟେଷ୍ଟ ହୋଇଥିଲା । ତେବେ ରିପୋର୍ଟ ଅନୁସାରେ ଟେଷ୍ଟ ସମୟରେ ଅଫତାବ ବାରମ୍ବାର ଛିଙ୍କିବାରୁ ଉତର ଗୁଡିକ ସ୍ପଷ୍ଟ ରେକର୍ଡିଂ ହୋଇପାରିନାହିଁ । ପଲିଗ୍ରାଫ ଟେଷ୍ଟ ସମୟରେ ଅପତାବକୁ ୪୦ଟି ପ୍ରଶ୍ନ ପଚାରିଥିଲେ ଯାଂଚ୍ ଅଧିକାରୀ । ପ୍ରଶ୍ନ ଗୁଡିକୁ ହିନ୍ଦୀରେ ପଚରା ଯାଇଥିବା ବେଳେ ସେ ସମସ୍ତ ପ୍ରଶ୍ନର ଉତର ଇଂରାଜୀରେ ଦେଇଥିବା ଜଣାପଡ଼ିଛି । ପଲିଗ୍ରାଫ ଟେଷ୍ଟର ଅଡିଓ ସ୍ପଷ୍ଟ ନଥିବାରୁ ଶୁକ୍ରବାର ପୁଣି ଥରେ ଟେଷ୍ଟ କରାଯିବ । ସେ କିପରି ଶ୍ରଦ୍ଧାଙ୍କୁ ହତ୍ୟା କରି ଶରୀରକୁ ଖଣ୍ଡ ଖଣ୍ଡ କରି ବାହାରେ ପକାଇଥିଲା ସେନେଇ ପ୍ରଶ୍ନ ପଚାରୁଛି ଦିଲ୍ଲୀ ପୁଲିସ । ତେବେ ପୁଣି ଥିରେ ପଲିଗ୍ରାଫ୍ ଟେଷ୍ଟ କରିବା ପରେ ଅଫତାବର ନାର୍କୋ ଟେଷ୍ଟ ପାଇଁ ପ୍ରକ୍ରିୟା ଆରମ୍ଭ କରାଯିବ ବୋଲି ଜଣାପଡିଛି ।

ଏହା ଭିତରେ ଅଫତାବର ଫ୍ଲାଟ୍ରୁ ୫ଟି ଧାରୁଆ ଛୁରୀକୁ ଜବତ କରିଛି ଦିଲ୍ଲୀ ପୁଲିସ । ଜବତ ହୋଇଥିବା ଛୁରୀ ଗୁଡିକର ଲମ୍ବ ୫ରୁ ୬ ଇଂଚ୍ । ସେଗୁଡିକୁ ପରୀକ୍ଷା ପାଇଁ ଫରେନସିକ୍ ଲାବ୍ରୋଟୋରୀକୁ ପଠାଯାଇଛି । ଶ୍ରଦ୍ଧାଙ୍କ ଶରୀରକୁ ଖଣ୍ଡ ଖଣ୍ଡ କାଟିବାରେ ଏହି ଛୁରୀ ଗୁଡିକୁ ଅଫତାବ ବ୍ୟବାହାର କରିଥାଇପାରେ ବୋଲି ଯାଂଚ ଅଧିକାରୀମାନେ ଅନୁମାନ କରୁଛନ୍ତି ।

ଶ୍ରଦ୍ଧା ହତ୍ୟାକାଣ୍ଡ ମାମଲାର ତଦନ୍ତ ପାଇଁ ମୋଟ ୧୪ଟି ଟିମ୍ ଗଠନ କରାଯାଇଛି । ଜେରା ସମୟରେ ଅଫତାବ ଗୋଟେ ପରେ ଗୋଟେ ଚାଂଚଲ୍ୟକର ତଥ୍ୟ ଦେଉଛି । ଶ୍ରଦ୍ଧାଙ୍କ ସହ କେମିତି ତାର ସମ୍ପର୍କ ଯୋଡି ହୋଇଥିଲା? କାହିଁକି ଓ କେମତି ହତ୍ୟା କରିଥିଲା ଅଫତାବ? ହତ୍ୟା ପରେ କିଭଳି ଶ୍ରଦ୍ଧାଙ୍କ ଶରୀରକୁ ଖଣ୍ଡ ଖଣ୍ଡ କାଟି ଏଣେତେଣେ ଫିଙ୍ଗିଥିଲା? ଅଫତାବର ବୟାନରେ କେତେ ସତ୍ୟତା ରହିଛି ସେନେଇ ଖୋଳତାଡ ଜାରି ରଖିଛି ଦିଲ୍ଲୀ ପୁଲିସ୍ । ତେବେ ଅଧିକ ତଥ୍ୟ ଜାଣିବା ପାଇଁ ଅଭିଯୁକ୍ତର ପଲିଗ୍ରାଫ ଓ ନାର୍କୋ ଟେଷ୍ଟ କରିବାକୁ ଅନୁମତି ନିଆଯାଇଛି ।

ରିପୋର୍ଟ ଅନୁଯାୟୀ ଅଫତାବ ପ୍ରଥମେ ଶ୍ରଦ୍ଧାଙ୍କର ଗଳା ଚିପି ହତ୍ୟା କରିଥିଲା ଏବଂ ପରେ ଶରୀରକୁ ଖଣ୍ଡ ଖଣ୍ଡ କରି କାଟିଥିଲା । ତେବେ ଦୃଶ୍ୟମ ସିନେମା ଦେଖି ଅଫତାବ ହତ୍ୟାକାଣ୍ଡ ଘଟାଇଛି ବୋଲି ଏବେ ଚର୍ଚା ହେଉଛି । ପୂର୍ବରୁ ଡେକ୍ସଟର ୱେବ୍ ସିରିଜ୍ ଦେଖି ଏହି ହତ୍ୟାକାଣ୍ଡ କରିଥିବା ତଥ୍ୟ ସାମ୍ନାକୁ ଆସିଥିଲା ।